ବାରପୁଡୁଗିଆରେ ଅଘରିଆ ସମାଜ ସହ ନରସିଂହଙ୍କ ଆଲୋଚନା : ପଶ୍ଚିମ ଓଡିଶାର ଅଘରିଆ ସମାଜ ପ୍ରତି ସରକାରଙ୍କ ଅଣଦେଖାକୁ ନିନ୍ଦା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାରେ ପ୍ରାୟତଃ ଅଘରିଆ ସମାଜର ସିଂହଭାଗ ଲୋକ ରହନ୍ତି । ଏ ଅଂଚଳରେ ଥିବା ସମସ୍ତ ଜିଲ୍ଲାରେ ଅଘରିଆ ସମାଜ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି । ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଦିଗକୁ ଚିନ୍ତା କଲେ ଅଞ୍ଚଳ ପ୍ରତି ଏମାନଙ୍କର ଅବଦାନ ଅନେକ, କିନ୍ତୁ କାହିଁକି କେଜାଣି ନିକଟ ଅତୀତର କିଛି ଘଟଣାକୁ ସଂଜ୍ଞାନକୁ ନେଲେ ଜଣାପଡେ ପଶ୍ଚିମ ଓଡିଶାରେ ଥିବା ଏହି ଜାତି ପ୍ରତି ସରକାର ଅଣଦେଖା କରୁଛନ୍ତି । ସରକାରଙ୍କର ଏପରି ଚିନ୍ତାଧାରା ଜାରି ରହିଲେ ଆଗାମୀ ଦିନରେ ଏମାନେ ବିଦ୍ରୋହାତ୍ମକ ପନ୍ଥା ଅବଲମ୍ବନ କରିବା ପାଇଁ ବାଧ୍ୟ ହେବେ ବୋଲି ଆଜି ବଲାଙ୍ଗିର ସଦର ବ୍ଲକ ସ୍ଥିତ ବାରପୁଡୁଗିଆ ଗାଁରେ ଗୋ÷÷ନ୍ତିଆ ସ୍ୱର୍ଗତ ଯଜେ୍ଞଶ୍ୱର ସାଏଙ୍କ ସ୍ମୃତିଚାରଣ ସଭାରେ ଯୋଗ ଦେଇ ସମାଜର ମୁଖ୍ୟ ଲୋକଙ୍କ ସହ ଆଲୋଚନା ବେଳେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଏହି ମର୍ମରେ କହିଛନ୍ତି ଯେ, ସରକାର ଏହି ସମାଜର ଭବନ ନିର୍ମାଣ ପାଇଁ ୩ କୋଟି ଟଙ୍କା ଓ ଜମି ଘୋଷଣା କରିଥିଲେ, କିନ୍ତୁ କିଛି ମୁଷ୍ଟିମେୟ ତୋଷାମଦକାରୀ ଏହି ଜମି ଓ ଅନୁଦାନ ପ୍ରଦାନ ଦିଗରେ ବାଧକ ସୃଷ୍ଟି କରି ତାହା ପଶ୍ଚିମାଂଚଳର ଅଘରିଆ ସମାଜ ଯେପରି ପାଇ ନ ପରିବେ ସେ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି ଏବଂ ସରକାର ମଧ୍ୟ ଏ ଦିଗରେ ଆଉ କୋ÷÷ଣସି ପଦକ୍ଷେପ ନେଉନାହାନ୍ତି । ତେଣୁ ପଶ୍ଚିମ ଓଡିଶା ପ୍ରତି ସରକାରଙ୍କ କ୍ରମାଗତ ଅବହେଳା ର ଏହା ଏକ ଜଳନ୍ତ ଉଦାହରଣ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ବାରପୁଡୁଗିଆ ଏକ ଐତିହାସିକ ଗାଁ ଆଲୋଚନା ବେଳେ ସେ ଏହା ମଧ୍ୟ କହିଥିଲେ ଯେ, ଏହି ଗାଁର ସ୍ୱର୍ଗତ ରବିଚନ୍ଦ୍ର ସାଏ ପାଟଣା ଷ୍ଟେଟ୍ ଅମଳର ପ୍ରଥମ ମେଟ୍ରିକୁଲେଟ୍ ଥିଲେ । ଏହା ଏକ କମ୍ କଥା ନୁହେଁ । ତେଣୁ ତାଙ୍କର ମଧ୍ୟ ଏକ ପ୍ରତିମୂର୍ତ୍ତି ସ୍ଥାପନ କରି ତାଙ୍କୁ ଉପଯୁକ୍ତ ସମ୍ମାନ ଜଣାଇବା ଦରକାର । ସ୍ମୃତଚାରଣ ସଭାରେ ଗୋ÷÷ନ୍ତିଆ ଯଜେ୍ଞଶ୍ୱର ସାଏ ଜଣେ ସମାଜସେବୀ ଏବଂ ଏଠାକାର ଶିକ୍ଷା ଓ କୃଷିର ଉନ୍ନତି ପାଇଁ ତାଙ୍କର ଅତୁଳନୀୟ ଅବଦାନ ବାବଦରେ ଆଲୋଚନା ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଘରିଆ ସମାଜ ସଭାପତି ଶୁଭ୍ରାଂଶୁ ଶେଖର ପଟେଲ, ସଂପାଦକ ଦିଗାମ୍ବର ନାଏକ, ପୂର୍ବତନ ସଭାପତି ଦ୍ୱାରିକା ପଟେଲ, ହରିଶଙ୍କର ସାଏ, ଧୃବ ପଟେଲ, ଡାକ୍ତର ଲୋକେଶ୍ୱର ସାଏ, ଜୟକୃଷ୍ଣ ମିଶ୍ର, ଜୟକୃଷ୍ଣ ନାଏକ, ନୃପରାଜ ସାଏ, ଇଂ. ବିଘ୍ନରାଜ ସାଏ, ବିଶ୍ୱରାଜ ସାଏ, ଲୋକନାଥ କୁମୁରା, ଇଂ. ବେଲାରସିଂ ଭୋଇ, ଘାସିରାମ ବେହେରା, ବୁଲୁ ଦାନି, ଜୁଲୁ ପଟ୍ଟନାୟକ ଏବଂ ଅଘରିଆ ସମାଜର ଏ ଅଂଚଳରେ ଥିବା ୧୮ ଟି ଗୁଡିର ସଭାପତି, ସଂପାଦକମାନେ ଉପସ୍ଥିତ ଥିଲେ ।