ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ସହ ସରପଞ୍ଚ ସଂଘର ଆଲୋଚନା

  • ସରକାରୀ ଯୋଜନାରେ ସରପଞ୍ଚଙ୍କୁ ଗୁରୁତ୍ୱ ନ ଦେବା ନିନ୍ଦନୀୟ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ସରପଞ୍ଚଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ କାରଣ ପ୍ରତ୍ୟେକ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ତୃଣମୂଳ ସ୍ତରର ଲୋକଙ୍କ ସହ ସରପଞ୍ଚମାନେ ହିଁ ପ୍ରତ୍ୟକ୍ଷ ଭାବେ ଯୋଗାଯୋଗ ରଖି ପଂଚାୟତ ପାଇଁ ଆସୁଥିବା ଯୋଜନାର ସୁଫଳ ଲୋକେ ଯେପରି ପାଇବେ ତାର ବ୍ୟବସ୍ଥା କରିଥାନ୍ତି କିନ୍ତୁ ବର୍ତ୍ତମାନ ଦେଖାଯାଉଛି ପଂଚାୟତ ପାଇଁ ଆସୁଥିବା ଯୋଜନାରେ ସରପଞ୍ଚ ଭଳି ଲୋକ ପ୍ରତିନିଧିଙ୍କୁ କୌଣସି ଗୁରୁତ୍ୱ ଦିଆଯାଉ ନାହିଁ, ଏପରିକି ଯୋଜନା ପ୍ରଣୟନ ଓ କାର୍ଯ୍ୟନ୍ୱୟନ ବେଳେ ମଧ୍ୟ ସରକାର ସରପଞ୍ଚଙ୍କ ମତାମତ ନ ନେବା ଅତି ନିନ୍ଦନୀୟ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ଆବାସିକ କାର୍ଯ୍ୟାଳୟରେ ବଲାଙ୍ଗିର ସଦର ବ୍ଲକର ସରପଞ୍ଚ ସଂଘ ସହ ଆଲୋଚନା ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ବଲାଙ୍ଗିର ସଦର ବ୍ଲକ ସରପଞ୍ଚ ସଂଘ ସଭାପତି ବଳଦେବ ସାହୁଙ୍କ ନେତୃତ୍ୱରେ ସରପଞ୍ଚ ସଂଘ ବିଧାୟକ ଶ୍ରୀ ମିଶ୍ରଙ୍କୁ ଏକ ଆଠ ଦଫା ଦାବୀପତ୍ର ପ୍ରଦାନ କରି ସରକାର କିପରି ପଂଚାୟତିରାଜ ବ୍ୟବସ୍ଥାରେ ସରପଞ୍ଚମାନଙ୍କୁ ଅଣଦେଖା କରି ତାଙ୍କ ଭୂମିକାକୁ ସମୟ କ୍ରମେ ଗୌଣ କରିବାରେ ଲାଗିଛି ସେ ଉପରେ ଅଭିଯୋଗ କରିଥିଲେ । ସେମାନେ ପ୍ରଦାନ କରିଥିବା ଆଠ ଦଫା ଦାବୀପତ୍ରରେ ଆମ ଓଡିଶା ନବୀ ଓଡିଶା ଯୋଜନାରେ ଘୋଷଣା ହୋଇଥିବା ଅନୁଦାନ ଟଙ୍କା ପଚାଶ ଲକ୍ଷ ପଂଚାୟତକୁ ପ୍ରଦାନ କରାଯାଉ, ବାର୍ଦ୍ଧକ୍ୟ, ବିକଳାଙ୍ଗ ଓ ବିଧବା ଭତ୍ତାକୁ ମାସିକ ପାଂଚ ସହରୁ ଦୁଇ ହଜାର ଟଙ୍କା ଓ ୮୦ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ଦୁଇ ହଜାର ପାଞ୍ଚ ଶହ ଟଙ୍କା ଭତ୍ତା ପ୍ରଦାନ କରାଯାଉ, ରାସନ କାର୍ଡରୁ ବଂଚିତ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରାଯାଉ, ଆବାସ ଯୋଜନାରୁ ବଂଚିତ ଥିବା ଯୋଗ୍ୟ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯାଉ, ସରପଞ୍ଚମାନଙ୍କ ମାସିକ ଭତ୍ତା କୋଡିଏ ହଜାର ଟଙ୍କା କରାଯାଉ, ସରପଞ୍ଚ କାର୍ଯ୍ୟକାଳ ପରେ ଦଶ ହଜାର ଟଙ୍କା ପେନସନ ପ୍ରଦାନ କରାଯାଉ, ପଂଚାୟତ ଉନ୍ନୟନ କାର୍ଯ୍ୟ ଫାଇଲରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦସ୍ତଖତର ବ୍ୟବସ୍ଥା ଉଠେଇ ଦିଆଯାଉ ଏବଂ ଆବାସ, ରାସନ କାର୍ଡ ଚୟନ ପ୍ରକ୍ରିୟାରେ ସରପଞ୍ଚଙ୍କ ମତାମତ ନେଇ ହିତାଧିକାରୀ ଚୟନ କରାଯାଉ ବୋଲି ଉଲ୍ଲେଖ କରିଛନ୍ତି । ଦାବୀପତ୍ରକୁ ନେଇ ଆଲୋଚନା ବେଳେ ଶ୍ରୀ ମିଶ୍ର କହିଥିଲେ ସରପଞ୍ଚମାନଙ୍କ ଦାବୀ ଭିତରୁ ଗୋଟିଏକୁ ଛାଡିଦେଲେ ସମସ୍ତ ଦାବୀ ଯୁକ୍ତିଯୁକ୍ତ ଅଟେ, ମୁଁ ଆପଣଙ୍କ ଦାବୀଗୁଡିକୁ ନେଇ ସହମତ ପ୍ରଦାନ କରୁଛି, ଏସବୁକୁ ନେଇ ବିଭାଗୀୟ ମନ୍ତ୍ରୀ ଓ ସଚିବ ସ୍ତରରେ ଆଲୋଚନା କରିବି ଏବଂ ଆଗାମୀ ମୌସୁମୀ ଅଧିବେଶନରେ ଆପଣଙ୍କ ଏହି ନ୍ୟାର୍ଯ୍ୟ ଦାବୀଗୁଡିକୁ ଗୃହରେ ନିଶ୍ଚିତ ଭାବରେ ଉପସ୍ଥାପନ କରାଯିବ, ଆପଣଙ୍କ ରାଜ୍ୟ ସଙ୍ଗଙ୍କୁ ଆପଣମାନେ ଜଣାଇଦିଅନ୍ତୁ ଯଦି ସରକାର ଅଣଦେଖା କରନ୍ତି ତେବେ ଏହାକୁ ନେଇ ଗୃହରେ ଜୋରଦାର ଲଢେଇ ହେବ । ସରପଞ୍ଚ ସଂଘ ସଭାପତି ବଳଦେବ ସାହୁ ବିଧାୟକ ଶ୍ରୀ ମିଶ୍ର ନେତୃତ୍ୱ ଓ ଦିଗ ଦର୍ଶନ ବଳରେ ସଂଘ ନିଶ୍ଚିତ ଭାବରେ ଏହି ଲଢେଇରେ ଦୃଢ ଭାବରେ ଲଢେଇ କରିବ ଓ ବିଜୟୀ ହେବ ବୋଲି ଆଶା ପୋଷଣ କରିବା ସହ ବିଧାୟକ ଶ୍ରୀ ମିଶ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ବିଧାୟକ ଶ୍ରୀ ମିଶ୍ରଙ୍କ ସହ ଆଲୋଚନା ବେଳେ ସରପଞ୍ଚ ନୀଳମଣି ସେଠ, ସୁରେନ୍ଦ୍ର ବିଶ୍ୱାଳ, କରୁଣାକର ପଟେଲ, ଶୁକୃ ମହାନନ୍ଦ, ଉଗ୍ରସେନ ବରାଡ, ସୁବାକାନ୍ତି ମାଝି, ଶ୍ରେୟା ସାହୁ, ରମ୍ଭା ରାଣା, ରଂଜିତା ପାଣିଗ୍ରାହୀ, ସୁବାସିନୀ ଅମାତ, ସୁଜାତା ରାଉତ, ବନିତା ବାରିକ, ଜନାର୍ଦ୍ଦନ ମହାପାତ୍ର, ଜନମୟ ମେହେର, ରିଙ୍କୁ ପଟେଲ ଓ ଯୁବନେତା ସରୋଜ ରଥ, ଜୁଲୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.