jayashree

ମନ୍ତ୍ରୀ ରିତା ସାହୁଙ୍କ ସହିତ ସରପଞ୍ଚ ସଂଘର ଆଲୋଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସରପଞ୍ଚ ସଂଘ ଅନେକ ଗୁଡ଼ାଏ ସମସ୍ୟାକୁ ନେଇ ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ଅନେକ ଥର ଅଭିଯୋଗ କରିବା ପରେ କିଛି ସମସ୍ୟାର ସମାଧାନ ହୋଇଥିବା ବେଳେ ଅନେକ ଗୁଡ଼ାଏ ସମସ୍ୟାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରି ନାହିଁ । ତେବେ ଏ ସବୁ ସମସ୍ୟା ବିଷୟରେ ସରପଞ୍ଚ ସଂଘ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ସରପଂଚ ମାନେ ନିଜ ନିଜ ଗ୍ରାମ ପଞ୍ଚାୟତରେ ଚାହୁଁଥିବା କୌଣସି ଉନ୍ନୟନମୂଳକ କାମ ହୋଇ ପାରୁନଥିବାରୁ ସମସ୍ତ ସରପଞ୍ଚ କ୍ଷୋଭ ପ୍ରକାଶ କରିଥିଲେ । ମନରେଗା ଯୋଜନାରେ ସରକାରଙ୍କ ନିୟମ ଅନୁସାରେ ଅଣକୁଶଳୀ ୬୦% ଓ ସାମଗ୍ରୀ ୪୦% ପ୍ରତିଶତ ଅନୁସାରେ ପ୍ରକଳ୍ପମାନ ଅନୁମୋଦନ କଲେ ଏଥିରେ ଗାଈ ଗୁହାଳ, ଛେଳି ଗୁହାଳ, ଫାର୍ମ ପଣ୍ଡ, ଜମି ଉନ୍ନତିକରଣ, ସ୍କୁଲ ପାଚେରୀ, ଗାଧୁଆ ଘାଟ ଆଦି ଅନେକ ଗୁଡିଏ ଉନ୍ନୟନମୂଳକ କାମ ହୋଇପାରିବ ଯାହା ଫଳରେ ଲୋକେ ଉପକୃତ ହୋଇପାରିବେ । ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ସ୍କୁଲ ଗୁଡ଼ିକ ଅତି ଦୟନୀୟ ପରିସ୍ଥିତିରେ ପଡ଼ିଥିବାରୁ ମରାମତି ଏବଂ ନୂତନ ଶ୍ରେଣୀ କୋଠରୀ କିପରି ହୋଇ ପାରିବ, ପୁରୁଣା ପୋଖରୀ ଗୁଡ଼ିକୁ କିଭଳି ପୁନଃ ଉଦ୍ଧାର କରାଯିବ, ପାନୀୟଜଳ ପାଇଁ ନୂତନ ନଳକୂପ ଖନନ କରାଯାଇ ପାରିବ, ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା ଭତ୍ତା ଏବଂ ରାସନ କାର୍ଡ ପାଇବାରୁ ବଞ୍ଚିତ ଥିବା ଲୋକଙ୍କୁ କେମିତି ସାମିଲ କରାଯିବ ସେ ନେଇ ଆଲୋଚନା କରିଥିଲେ । ଗାଇସିଲେଟ ବ୍ଲକରେ ୧୯ ଟି ଗ୍ରାମ ପଞ୍ଚାୟତ ଥିବା ବେଳେ ମାତ୍ର ୪ ଜଣ କନିଷ୍ଠ ଯନ୍ତ୍ରୀ ଏବଂ ୯ ଜଣ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଥିବାରୁ କୌଣସି କାର୍ଯ୍ୟ ଠିକ୍ ଭାବରେ ହେଉ ନ ଥିବା ବେଳେ ଲୋକମାନଙ୍କ କୌଣସି ସମସ୍ୟାର ସମାଧାନ କରି ନ ପାରିବାରୁ ନିର୍ବାଚିତ ହୋଇଥିବା ସରପଞ୍ଚ ମାନେ ସାଧାରଣ ଭୋଟର ମାନଙ୍କ ରୋଷର ଶିକାର ହେଉଛନ୍ତି । ତେଣୁ ଏ ସବୁ ସମସ୍ୟାର ସମାଧାନ ପାଇଁ ବ୍ଲକ୍ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁଙ୍କ ସହିତ ସରପଞ୍ଚମାନେ ମନ୍ତ୍ରୀଙ୍କ ସହିତ ଅନେକ ସମୟ ଧରି ଆଲୋଚନା କରିଥିଲେ । ତେବେ ଖୁବ୍ ଶୀଘ୍ର ଏ ସବୁ ସମସ୍ୟା ବିଷୟରେ ଜିଲ୍ଲାପାଳ ଏବଂ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରି ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ମନ୍ତ୍ରୀ ରିତା ସାହୁ ସରପଞ୍ଚମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଏତେ ବ୍ୟସ୍ତତା ଭିତରେ ଅନେକ ସମୟ ଧରି ମନ୍ତ୍ରୀ ସରପଞ୍ଚମାନଙ୍କ ସମସ୍ୟା ଶୁଣିଥିବାରୁ ଗାଇସିଲେଟ ସରପଞ୍ଚ ସଂଘ ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

Leave A Reply

Your email address will not be published.