ମହାସମାରୋହରେ ପାଳିତ ହେବ ଶଲାବୁଢା ଅଟଳ ବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଡିସେମ୍ବର ୧ ତାରିଖ ଦିନ ଶଲାବୁଢା ଅଟଳ ବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀକୁ ସ୍ଥାନୀୟ ପିପି ଏକାଡେମି ଠାରେ ମହାସମାରୋହରେ ପଳନ କରାଯିବ । ଅଟଳ ପଣ୍ଡା ସ୍ମୃତି କମିଟି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ଏହା ସହ ଉକ୍ତ କାର୍ଯ୍ୟକ୍ରମର ଏକ ବିସ୍ତୃତ ବିବରଣୀ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ପ୍ରଦାନ କରାଯାଇଛି । ସୂଚନା ମୁତାବକ ଏହି ଦିନ ସ୍ୱର୍ଗତ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଏକ ଗୀତ ‘ଅଟଳ ପଣ୍ଡା ଅମର ରହେ’ ଉତ୍ସର୍ଗୀକୃତ କରିବା ପାଇଁ କମିଟି ସ୍ଥିର କରିଛି । ଏହି ଗୀତକୁ ସୋମ୍ୟ ରଞ୍ଜନ ପୂଜାରୀ ପ୍ରଯୋଜନା କରିଥିବା ବେଳେ ଗୀତ ପ୍ରସ୍ତୁତ କରିଛନ୍ତି ଯତିନ୍ଦ୍ର ପ୍ରଧାନ, ରତନ ପୂଝାରୀ ଓ ଘନଶ୍ୟାମ ମେହେର । ବିରଞ୍ଚି ନାରାୟଣ ମେହେର, ଜୟ ପ୍ରକାଶ ମେହେର ଓ ମନ ମେହେର ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । କଣ୍ଠ ଦାନ କରିଛନ୍ତି ପଙ୍କଜ ଜାଲ, ଶର୍ବେଶ୍ୱର ଭୋଇ, ବ୍ୟାସଦେବ ପୁରୋହିତ, ଶତୃଘ୍ନ ଲୁହା, ତୁଲାରାମ କଲେତ, ବିଭୁତି ପଟ୍ଟନାଏକ, ନୁର ବେଗମ, ପ୍ରତିଭା ରାନି ଭୋଇ, ପଦ୍ମିନୀ ଦୋରା, ପ୍ରୀତିନନ୍ଦ ମିଶ୍ର । ଆହୁରି ଏହି ଦିନ ସ୍ୱର୍ଗତ ପଣ୍ଡାଙ୍କ ହାତ ଲେଖା ଆତ୍ମ ଜିବନୀ ବାନ୍ଦୁ ଉବାଚ (ଭାଗ -୨)କୁ ସୋନପୁର ସ୍ଥିତ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ ପ୍ରକାଶ କରାଯିବାର ବ୍ୟବସ୍ଥା ରହିଛି । ଶ୍ରୀ ପଣ୍ଡାଙ୍କ ଅନେକ କୃତିତ୍ୱ ଯଥା ଶଲାବୁଢା ଓ ଆଦିମ ବିଚାର ଚଳଚିତ୍ରରେ ସେ ପାଇଥିବା ଶ୍ରେଷ୍ଠ ଅଭିନେତା ପୁରସ୍କାର ସାରା ଦେଶରେ ଚହଳ ପକାଇଥିଲା । ତାଙ୍କ ଅବର୍ତ୍ତମାନରେ ସ୍ମୃତି କମିଟି ତାଙ୍କ ପରିବାର ଏବଂ ଉକ୍ତ ଚଳଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ନିମନ୍ତ୍ରିତ କରି ସମ୍ବର୍ଦ୍ଧିତ କରିବା କାର୍ଯ୍ୟକ୍ରମ ରହିଛି । ଅଟଳ ପଣ୍ଡା ସ୍ମୃତି କମିଟିର ସଭାପତି ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅୟୋଜିତ ଆଜିର ଏହି ସମ୍ବାଦିକ ସମ୍ମିଳନୀରେ ସଂପାଦିକା ସଂଗୀତା ଦାଶ, ଆବାହକ ଜୟକୃଷ୍ଣ ମିଶ୍ର, ପ୍ରଯୋଜକ ସୋମ୍ୟ ରଞ୍ଜନ ପୂଜାରୀ ଓ ଉପଦେଷ୍ଟା କପିଳେଶ୍ୱର ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.