ଯୁବ ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ୨ ଯୁବକଙ୍କୁ ଗିରଫ୍‌ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହାଉସ୍‌ ସର୍ଜନ ଯୁବ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଦୁଇ ଜଣ ଯୁବକଙ୍କୁ ଗିରଫ୍‌ କରିବାରେ ବଲାଙ୍ଗିର ପୋଲିସକୁ ସଫଳତା ମିଳିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଗତକାଲି ଅପରାହ୍ନରେ ପ୍ରାୟ ସାଢେ଼ ୫ଟା ସମୟରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରୁ ଆଉଟ୍‌ ଡୋର୍‌ ଡ୍ୟୁଟି ସାରି ବାଇକ୍‌ରେ ନିଜ ସାଥୀ ଡାକ୍ତର ସହ ମେଡ଼ିକାଲ୍‌ କଲେଜ୍‌କୁ ଫେରୁଥିବା ଡାକ୍ତର ବିଶ୍ୱରଂଜନ ସାହୁଙ୍କୁ ଲାଲ୍‌ଟିକ୍ରା ପାଖରେ ଦୁଇଜଣ ଦୁର୍ବୃତ୍ତ ଅଟକାଇ ନିସ୍ତୁକ ମାଡ଼ ମାରିଥିବା ବେଳେ ତାଙ୍କୁ ଭୀମ ଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ଏହି ଘଟଣାକୁ ନେଇ ମେଡ଼ିକାଲ୍‌ କଲେଜର ଛାତ୍ରଛାତ୍ରୀ ଧାରଣରେ ବସିବା ସହ ଆକ୍ରମଣକାରୀ ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ୍‌ କରି କଡ଼ା କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ଧାରଣାସ୍ଥଳରେ ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍‌ପି ମଧ୍ୟ ପହଂଚି ବୁଝାସୁଝା କରିଥିଲେ ମଧ୍ୟ ଆଜି ପୂର୍ବାହ୍ନରେ ପୁଣି ଡାକ୍ତରୀ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଥିଲେ । ଅନ୍ୟପଟେ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ବଲାଙ୍ଗିର ପୋଲିସ ତନାଘନା ଉଦ୍ୟମ କରି ଆଜି ସେମାନଙ୍କୁ ଜିଲ୍ଲା ବାହାରୁ ଗିରଫ୍‌ କରିଥିବା ସୂଚନା ମିଳିଛି । ଗିରଫ୍‌ ଦୁଇଜଣ ଯୁବକ ହେଲେ ବଲାଙ୍ଗିର ଚଟିଆପାଲିର ସମୀର ବଡ଼ମାଲି ଓ ଶାନ୍ତିପଡ଼ାର ଲିପୁନ୍‌ ସାହୁ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.