ଭିନ୍ନକ୍ଷମ ଯୁବକଙ୍କ ଉପରେ ପୋଲିସ ଏସ.ଆଇ.ଙ୍କ ବର୍ବରୋଚିତ ଆକ୍ରମଣ

  • ଏସ.ଆଇ. ହିମାଂଶୁ ପାତ୍ରଙ୍କୁ ଗଞ୍ଜାମ ଏସପି ଅନ୍ୟତ୍ର ବଦଳି କଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟ ଥାନା ଏସ.ଆଇ. ହିମାଂଶୁ ପାତ୍ର ଜଣେ ପୂର୍ଣ୍ଣ- ଭିନ୍ନକ୍ଷମଙ୍କୁ ବର୍ବରୋଚିତ ଆକ୍ରମଣ ସଦୃଶ ମାଡ଼ ମାରି ଲହୁ-ଲୁହାଣ କରି ଦେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଘରେ ବାଣ ରଖିଥିବା ନେଇ ସର୍ଚ୍ଚ କରିବା ଆଳରେ ପୋଲିସ ଘରେ ପଶି ଅଶ୍ଳୀଳ ଭାଷାରେ ଗାଳି-ଗୁଳଜ କରିବା ସାଂଗକୁ ଘରେ ପଡ଼ିଥିବା ଏକ ଇଲେକ୍ଟ୍ରି-ଆଲୁମିନିୟମ ତାରରେ ପିଟି ଦେହର ଛାଲ ଉତୁରାଇ ଦେଇଛନ୍ତି । ତାହା ସାଂଗକୁ ଏସ.ଆଇ. ଜଣକ ଭିନ୍ନକ୍ଷମଙ୍କୁ ତାଙ୍କ ଆଶାବାଡ଼ିରେ ମଧ୍ୟ ପିଟିଛନ୍ତି । ପୀଡ଼ିତ ରାଜେନ୍ଦ୍ର ନାହାକଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ଚିକିତ୍ସା କେନ୍ଦ୍ରକୁ ନେଇ ଚିକିତ୍ସା କରାଯାଇଛି । ଖଲ୍ଲିକୋଟ ସହରାଞ୍ଚଳଠାରୁ ମାତ୍ର ୪ କିମି ଦୂର ଶ୍ୟାମସୁନ୍ଦରପୁର ଗ୍ରାମର ବାସିନ୍ଦା ରାଜେନ୍ଦ୍ର ନାହାକ ଓ ତାଙ୍କ ବିଧବା ମାଆଙ୍କୁ ନେଇ ସେ ଛୋଟ-କାଟିଆ ବ୍ୟବସାୟ କରି ଘର ଚଳାନ୍ତି । ଅନ୍ୟପକ୍ଷରେ ଦୀପାବଳୀ ସିଜିନ ଆସିଲେ ସେ ତାଳ-ଫୋଟକା, କୁମ୍ଫି-ବାଣ ଆଦି କରି ବିକ୍ରୀ କରି ନିଜର ଗୁଜୁରାଣ ମେଣ୍ଟାଇ ଆସୁଥିଲା । ଏହାରି ଉପରେ ପୋଲିସ ନଜରକୁ ଆସିଥିବା ପରେ ଥାନା ପୋଲିସ ଏଭଳି କାଣ୍ଡ କରିଥିବା ଜଣାଯାଇଛି । ଶନିବାର ମଧ୍ୟାହ୍ନରେ ଖଲ୍ଲିକୋଟ ଥାନା ପକ୍ଷରୁ ଏହି କାଣ୍ଡ ହୋଇଥିଲା । ପରେ ପୀଡ଼ିତ ଭିନ୍ନକ୍ଷମ ଯୁବକ ଏସମ୍ପର୍କରେ ସନ୍ଧ୍ୟାରେ ଗଞ୍ଜାମ ପୋଲିସ ମୁଖ୍ୟାଳୟ ଆସି ଜିଲ୍ଲା ଏସ୍‌ପିଙ୍କୁ ଭେଟିଥିଲେ । ଜରୁରୀକାଳୀନ ଭାବେ ଖଲ୍ଲିକୋଟ ଥାନା ଏସ୍‌.ଆଇ. ହିମାଂଶୁ ପାତ୍ରଙ୍କ ଉପରେ ଏସ୍‌ପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଯାହାକି, ତାଙ୍କୁ ଅନ୍ୟସ୍ଥାନକୁ ବଦଳି କରିଥିବା ଏସ୍‌ପି ଜଗମୋହନ ମୀନା କହିଛନ୍ତି । ପୀଡ଼ିତ ରାଜେନ୍ଦ୍ର ନାହାକଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରି ଲହୁ-ଲୁହାଣ ଭିଆଇଥିବା ଘଟଣା ସମ୍ପର୍କରେ ବିଭିନ୍ନ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯିବା ସାଂଗକୁ ଉକ୍ତ ଏସ୍‌.ଆଇ.ଙ୍କୁ ଗିରଫ କରିବାକୁ ଦୃଢ଼ ଦାବୀ ହୋଇଛି ।

Leave A Reply

Your email address will not be published.