oum

ଛତ୍ରପୁର ଆହାର କେନ୍ଦ୍ରରେ ଝୁଲୁଛି ନବୀନଙ୍କ ଫଳକ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଲୋୱେର ବସ୍‌ଷ୍ଟାଣ୍ଡ ଠାରେ ରହିଛି, ଆହାର କେନ୍ଦ୍ର । ଏହା ଗତ ୧୪ / ୪ / ୨୦୧୬ ମସିହାରେ ନବୀନ ସରକାରଙ୍କ ସୌଜନ୍ୟରେ ଉଦ୍‌ଘାଟିତ ହୋଇଛି । ରାଜ୍ୟରେ ସରକାର ପରିବର୍ତ୍ତନ ହୋଇ ନୂଆଁ ସରକାର ଗଠନ ହୋଇଯାଇଥିଲେ ମଧ୍ୟ ଛତ୍ରପୁର ଅଞ୍ଚଳର କେତେକ ସରକାରୀ ଅଫିସର ମାନଙ୍କର ୫-ଟି, ଆମ ଓଡ଼ିଶା ଓ ନବୀନ ଓଡ଼ିଶା ତଥା ନବୀନ ସରକାରଙ୍କର ଭୋଳ ନିଶା ଛାଡ଼ି ନାହିଁ । ଅଦ୍ୟାବଧି କେତେକ ସ୍ଥାନରେ ୫-ଟି ଓ ନବୀନ ସରକାରଙ୍କ ଫଳକ ଉଠାଇବାକୁ ପ୍ରମୁଖ ଅଧିକାରୀଙ୍କୁ ଇଚ୍ଛା ହେଉନାହିଁ । ଯାହା ଫଳରେ କି ଫଳକ ବଦଳାଇବାକୁ ଅଫିସର୍ ମାନେ ଆଗଭର ହେଉନାହାନ୍ତି । ଏହାର ଜଳନ୍ତ ଉଦାହରଣ ସ୍ୱରୂପ ଛତ୍ରପୁର ଆହାର କେନ୍ଦ୍ରରେ ନବୀନଙ୍କ ସୁନ୍ଦର ଫଟୋ ଝୁଲୁଥିବା ଦେଖାଯାଉଛି । ଏହି ଫଳକରେ ୫-ଟି ଚିତ୍ରିତ ନବୀନ ପଟ୍ଟନାୟକଙ୍କ ଫଟୋ ପ୍ରଦର୍ଶିତ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ଛତ୍ରପୁର ଆହାର କେନ୍ଦ୍ର ପ୍ରତି ଛତ୍ରପୁର ପୌର କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ମଙ୍ଗଳାବର ଆହାର କେନ୍ଦ୍ର ପରିଦର୍ଶନରେ ଆମ ପ୍ରତିନିଧି ଦିନ ୧୦ ଘଣ୍ଟା ସମୟରେ ଯାଇ ଦେଖିଲା ବେଳକୁ ଆହାର କେନ୍ଦ୍ର ମଧ୍ୟରେ ଦୁଇଟି ଡଷ୍ଟ-ବିନ୍‌ରେ ତିନିଦିନର ବାସି ପୋଚ ସଙ୍କୁଡ଼ି ଭାତ, ଡାଲି ଗନ୍ଧୁଛି । ଯାହା ଲୋକମାନେ ଥାଳିରେ ଖାଇ ବଳକା ହେଲେ ଡଷ୍ଟ-ବିନ୍‌ରେ ପକାଇଥାନ୍ତି, ସେଗୁଡ଼ିକ ଅଳିଆ ଆବର୍ଜ୍ଜନା ନେଉଥିବା ଗାଡ଼ି ବାଲା ନିୟମିତ ନେଉନଥିବା ଅଭିଯୋଗ ହେଉଛି । ଯାହାକି ଆଜି ଏହା ଦେଖି ପ୍ରମାଣିତ କରୁଛି । ଆହାର କେନ୍ଦ୍ର ପୂର୍ବଭଳି ସଫା ସୁତରା ହେଉନାହିଁ । ଆହାର କେନ୍ଦ୍ର ଗୃହ ଚାରିପାଖରେ ଅପରିଷ୍କାର ରହିବା, ରଙ୍ଗ ଚୂନ ଛାଡ଼ି ଯାଇଥିବା ବେଳେ ନୂଆଁ ରଙ୍ଗ ଲେପ ଦିଆଯାଇ ନାହିଁ । ଆହାର କେନ୍ଦ୍ର ଗୃହ ମଧ୍ୟରେ ଥିବା ଏଲ୍‌. ଇ. ଡି. ଟିଭିରେ ପୂର୍ବେ ସରକାରଙ୍କ ମାଳ ମାଳ ଯୋଜନା ଗୁଡ଼ିକ ପ୍ରଦର୍ଶିତ ହେଉଥିଲା । ଏବେ କିନ୍ତୁ ସେହି ଟିଭି ଚାଲୁ କରାଯାଉନାହିଁ । ଏଦିଗରେ ଛତ୍ରପୁର ପୌର କର୍ତ୍ତୃପକ୍ଷ ତଥା ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛି । ଆହାର କେନ୍ଦ୍ରରେ ପୂର୍ବେ ୫ ଶହ ଲୋକଙ୍କ ପାଇଁ ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ବର୍ତ୍ତମାନ ମାତ୍ର ୪ ଶହ ଜଣଙ୍କ ପାଇଁ ଖାଦ୍ୟ ଯୋଗାଇ ଦିଆଯାଉଥିବା ଜଣାଯାଇଛି । ଏଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ଦେଇ ବିହିତ ପଦକ୍ଷେପ ଗ୍ରହଣ କରି ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.