ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବାରପୁଡିଗିଆ ପଞ୍ଚାୟତ କର୍ଲାପିଟା ଗ୍ରାମରେ ଆରମ୍ଭ ହୋଇଛି ଆଦର୍ଶ ଚାଟଶାଳୀ କାର୍ଯ୍ୟକ୍ରମ । ସେହିଭଳି ଭାବରେ ବଲାଙ୍ଗିର ବ୍ଲକର ବିଭିନ୍ନ ଗ୍ରାମରେ ମଧ୍ୟ ମୋ ଚାଟଶାଳୀ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । କାେଭିଡ ମହାମାରୀ ଯାେଗୁଁ ସାରା ଓଡ଼ିଶା ରାଜ୍ୟରେ ଦୀର୍ଘ ଦିନ ଧରି ବିଦ୍ୟାଳୟ ବନ୍ଦ ରହିବା ଦ୍ଵାରା ଶିକ୍ଷା ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇପଡ଼ିଛି । ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀମାନେ ପାଠ ପଢିବାର ସୁଯୋଗ ପାଇ ନ ପାରି ପାଠ ପଢ଼ାରୁ ବଞ୍ଚିତ ହୋଇଛନ୍ତି । ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି ଯେ, କୋଭିଡ୍-୧୯ ହେତୁ ବିଦ୍ୟାଳୟ ବନ୍ଦରୁ ଦୀର୍ଘକାଳୀନ ଶିକ୍ଷାର କ୍ଷତି ବଡ଼ ହୋଇପାରେ ଏବଂ ଏହା ବିଦ୍ୟାଳୟ ବନ୍ଦ ସମୟରେ ଅନୁଭୂତ ହୋଇଥିବା ସ୍ୱଳ୍ପ ମିଆଦି ଶିକ୍ଷାର କ୍ଷତି ଠାରୁ ବହୁ ଅଧିକ । ଏହାକୁ ଦୃଷ୍ଟିରେ ରଖି ଆତ୍ମଶକ୍ତି ଟ୍ରଷ୍ଟ ରାଜ୍ୟସ୍ତରୀୟ ‘ଓଡିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା’ ଲୋକ ଉନ୍ନତି ସଂଗଠନଙ୍କ ଏକ ମିଳିତ ଉଦ୍ୟମରେ ବଲାଙ୍ଗିର ଜିଲ୍ଲାର ସ୍ଥାନୀୟ ଲୋକ ଉନ୍ନତି ସଂଗଠନ ‘ଶ୍ରମଜୀବୀ ସଂଗଠନ ଓ ମହିଳା ଶ୍ରମଜୀବୀ ସଂଗଠନ’ଙ୍କ ଦ୍ୱାରା ଗତ ଜୁଲାଇ ୨୦୨୦ ବର୍ଷରେ ମିଶନ ୩, ୫, ୮, କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପୁଣି ପରବର୍ତ୍ତୀ ସମୟରେ ଫେବ୍ରୁଆରି ୨୦୨୧ରେ ବଲାଙ୍ଗିର ବ୍ଲକର ବିଭିନ୍ନ ଗ୍ରାମରେ ମୋ ଚାଟଶାଳୀ ଖୋଲାଯାଇ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଶିକ୍ଷାଦାନର ବ୍ୟବସ୍ଥା କରାଯାଇଥିଲା ଓ ପରେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ଗୁରୁତ୍ୱକୁ ଉପଲବଧି କରି ‘ମିଶନ ୧ ଲକ୍ଷ’ ଭଳି ଏକ ବଳିଷ୍ଠ ପଦକ୍ଷେପ ନିଆଯାଇଥିଲା ଯେଉଁଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇଥିଲା । ବର୍ତ୍ତମାନର ଆବଶ୍ୟକତାକୁ ଲକ୍ଷ୍ୟ କରି ରାଜ୍ୟସ୍ତରୀୟ ଲୋକ ଉନ୍ନତି ସଂଗଠନ ‘ଓଡିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା’ଙ୍କ ଦ୍ଵାରା ସାରା ରାଜ୍ୟରେ ୫ଲକ୍ଷ ଛାତ୍ରଛାତ୍ରୀଙ୍କୁ ‘ମିଶନ ଚାଟଶାଳୀ’ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବାର ଯୋଜନା କରାଯାଇଛି ।