centurian jitm

ବଲାଙ୍ଗିର ପୋଲିସ ହାତରେ ଧରାପଡ଼ିଲେ ହୋଟେଲ୍‌ ଇନ୍ଦ୍ରପ୍ରସ୍ଥରେ ବର୍ବର ହତ୍ୟାକାଣ୍ଡ ଘଟାଇଥିବା ୬ ଜଣ ଅଭିଯୁକ୍ତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ହାତରେ ଧରାପଡ଼ିଲେ ହୋଟେଲ୍‌ ଇନ୍ଦ୍ରପ୍ରସ୍ଥରେ ବର୍ବର ହତ୍ୟାକାଣ୍ଡ ଘଟାଇଥିବା ୬ ଜଣ ଅଭିଯୁକ୍ତ । ଏ ସଂକ୍ରାନ୍ତରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ । ଦିଆଯାଇଥିବା ସୂଚନା ଅନୁସାରେ ଗତ ମେ’ ମାସ ୧୭ ତାରିଖ ଦିନ ବଲାଙ୍ଗିର ସହରର ରେଳଷ୍ଟେସନ ନିକଟରେ ଥିବା ହୋଟେଲ ଇନ୍ଦ୍ରପ୍ରସ୍ଥ ରୁମ୍‌ ନଂ.୨୧୨ର ୱାସିଂ ରୁମ୍‌ ଭିତରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ଶବ ପଡ଼ିଥିବା ବଲାଙ୍ଗିର ଟାଉନ୍‌ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ଟାଉନ୍‌ ପୋଲିସ ସାଇନ୍‌ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ସେତେବେଳେ ଜଣାପଡ଼ିଥିଲା ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସୋନପୁର ଟାଉନ୍‌ ପୋଲିସ୍‌ ଷ୍ଟେସନ୍‌ରେ କାର୍ଯ୍ୟରତ ଶଙ୍କର ବେହେରା । ତଦନ୍ତରୁ ପୋଲିସ ଏହି ଘଟଣାରେ ରାଜ୍ୟ ବାହାରର ଲିଙ୍କ୍‌ ଥିବା ମଧ୍ୟ ତଦନ୍ତରୁ ଜାଣି ପାରିଥିଲା । ଏହାପରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବଲାଙ୍ଗିର ପୋଲିସ ପକ୍ଷରୁ ବିଭିନ୍ନ ଟିମ୍‌ ଗଠନ କରାଯାଇଥିଲା । ବଲାଙ୍ଗିର ସାଇବର୍‌ ପୋଲିସ ସହାୟତାରେ ହୋଟେଲ ଇନ୍ଦ୍ରପ୍ରସ୍ଥର ସିସିଟିଭି ଫୁଟେଜ୍‌ ଏବଂ ପାରିପାଶ୍ୱିର୍କ ପ୍ରମାଣ ସଂଗ୍ରହ କରି ତଦନ୍ତକୁ ଆହୁରି ଶାଣିତ କରିଥିଲା ବଲାଙ୍ଗିର ପୋଲିସ । ହସ୍ତଗତ ହୋଇଥିବା ବିଭିନ୍ନ ପ୍ରମାଣକୁ ଆଧାର କରି ଅଭିଯୁକ୍ତମାନଙ୍କୁ କାବୁ କରିବା ପାଇଁ ବିହାର ରାଜ୍ୟର ଗୟା, ପଶ୍ଚିମବଙ୍ଗର କୋଲକାତା ଏବଂ ପଞ୍ଜାବ ରାଜ୍ୟର ଜଳନ୍ଧରକୁ ତଦନ୍ତ ଟିମ୍‌ ପଠାଯାଇଥିବା ବେଳେ ଏହି ମାମଲାର ୬ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ବଲାଙ୍ଗିର ପୋଲିସ । ଗିରଫ୍‌ ଅଭିଯୁକ୍ତମାନେ ହେଲେ ଝାରଖଣ୍ଡ ରାଜ୍ୟର କୋଡେ଼ର୍‌ମା ନିବାସୀ ପଙ୍କଜ କୁମାର(୨୫), କୋଡେ଼ର୍‌ମା ଜିଲ୍ଲା ଜୟ ନଗର ହିରୋଡ଼ିହ ନିବାସୀ ସୁରଜ କୁମାର ବର୍‌ନୱାଲ(୨୫), ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ସର୍ଗିସେନୀ ନିବାସୀ କୃଷ୍ଣ ମେହେର(୪୨), ବୌଦ୍ଧ ଜିଲ୍ଲା ଇଚ୍ଛାପୁର ନିବାସୀ ମନୋରଂଜନ ସାଥୁଆ(୪୮), ସୋନପୁର ଜିଲ୍ଲା ନନ୍ଦନମାଲ ନିବାସୀ ନିତାଇ କର(୫୯) ଏବଂ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ବରପଦର ନିବାସୀ ରୋହିତ ସା (୩୭) । ଗିରଫ୍‌ ଅଭିଯୁକ୍ତମାନଙ୍କ ଠାରୁ ୨ଟି କାର୍‌, ୩ଟି ବାଇକ୍‌, ଗୋଟିଏ ପିସ୍ତଲ, ହୀରା ଭଳି ଦେଖାଯାଉଥିବା ଏକ ପଥର, ଦୁଇଟି ଷ୍ଟିଲ୍‌ ଛୁରି, ମାମଲାରେ ବ୍ୟବହୃତ ୪ଟି ମୋବାଇଲ୍‌ ଫୋନ୍‌, ତିନୋଟି ସିରିଂଜ ସହ ଦୁଇଟି ଡିସ୍‌ପୋଭେନ୍‌ ଇଂଜେକ୍‌ସନ, ଦୁଇ ପ୍ୟାକେଟ୍‌ ଷ୍ଟେରାଇଲ୍‌ ପାଉଡ଼ର୍‌ ବୋଳା ଗ୍ଲୋଭ୍‌ସ୍‌ ଏବଂ ଗୋଟିଏ ସେଲୋ ଟେପ୍‌ ଭର୍ତ୍ତି ହୋଇଥିବା ଏକ ପୋଲିଥିନ୍‌ ପ୍ୟାକେଟ୍‌ ପୋଲିସ ଜବତ୍‌ କରିଛି । ତେବେ ଏହି ହତ୍ୟାକାଣ୍ଡ ପଛରେ ରତ୍ନପଥର କାରବାର ରହିଥିବା କୁହାଯାଇଛି । ତେବେ ମୃତକ କନେଷ୍ଟବଳ ଶଙ୍କର ବେହେରା ମଧ୍ୟ ଏହି କାରବାରରେ ସାମିଲ ରହିଥିବା ବେଳେ ଟଙ୍କା ଦେଣନେଣଙ୍କୁ ନେଇ ପୂର୍ବ ପ୍ରସ୍ତୁତି ଅନୁସାରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!