jayashree

ଗଞ୍ଜାମ ଜିଲ୍ଲାପାଳଙ୍କ ଭଞ୍ଜନଗର ସବ୍-ଡିଭିଜନ କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ଉପଖଣ୍ଡସ୍ଥ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଉପସ୍ଥିତ ରହି ସର୍ବ ପ୍ରଥମେ ଦିବ୍ୟାଙ୍ଗ ଜନ ଶୁଣାଣି କରିଥିଲେ ଏବଂ ପରେ ସର୍ବ ସାଧାରଣଙ୍କ ଅଭିଯୋଗ ଗୁଡିକର ଶୁଣାଣି ହୋଇଥିଲା । ଏହି ଯୁଗ୍ମ ଶୁଣାଣି ସମୟରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ଜନ ସାଧାରଣଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ଜିଲ୍ଲାର ବ୍ଲକ୍, ଉପଖଣ୍ଡ ଏବଂ ସଦର ମହକୁମା ଗୁଡିକରେ ସମୁଦାୟ ୯୩ଗୋଟି ଜନ ଶୁଣାଣି ଆବେଦନ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ୪୧ଗୋଟି ପେନସନ୍ ସମ୍ବନ୍ଧୀୟ, ଏକ ଗୋଟି ସ୍ୱାସ୍ଥ୍ୟ ସମ୍ପର୍କିତ, ୨ଗୋଟି ପ୍ରମାଣ ପତ୍ର ଜନିତ, ୨ଗୋଟି ଡି.ଆର୍.ଆଇ. ଋଣ ସମ୍ପର୍କିତ, ଏକ ଗୋଟି ଶିକ୍ଷା ସମ୍ବନ୍ଧୀୟ, ୯ଗୋଟି ସୁଷମ ବଣ୍ଟନ ସମସ୍ୟା, ୨୮ଗୋଟି ଉପକରଣ ସହାୟତା ସମ୍ପର୍କିତ, ଜଣେ ବ୍ୟକ୍ତିଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଥିବା ବେଳେ ଅନ୍ୟାନ୍ୟ ସମ୍ପର୍କିତ ୧୧ଗୋଟି ସମସ୍ୟାର ଶୁଣାଣି ହୋଇଥିଲା । ଏହିଭଳି ସମୁଦାୟ ୧୩ଗୋଟି ସମସ୍ୟାର ସମାଧାନ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ହୋଇଯାଇଛି । ଭଞ୍ଜନଗର ଉପଖଣ୍ଡଠାରେ ସମୁଦାୟ ୩୨ଗୋଟି ଅଭିଯୋଗରୁ ୧୬ଗୋଟି ପେନସନ୍ ସମ୍ବନ୍ଧୀୟ ସମସ୍ୟାର ଶୁଣାଣି ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରା କରାଯାଇଥିଲା । ୧୧ ଜଣଙ୍କୁ ତିନି ଚକିଆ ସାଇକେଲ ଏହିଭଳି ୧୬ଗୋଟି ଉପକରଣ ଆବଣ୍ଟନ କରିଥିଲେ । ୩୬ ଜଣ ଆଦିବାସୀ ପରିବାରଙ୍କୁ ଜଙ୍ଗଲ ଜମି ପଟ୍ଟାର ସଂଶୋଧିକରଣ କରାଯାଇ ବଣ୍ଟନ କରାଯାଇଥିଲା । ବାର୍ଦ୍ଧକ୍ୟ, ବିଧବା, ବିକଳାଙ୍ଗ ଭତ୍ତା ନିମନ୍ତେ ଅନେକ ଗୁଡିଏ ଆବେଦନର ଶୁଣାଣି କରି ସାତ ଦିନ ମଧ୍ୟରେ ଉକ୍ତ ଆବେଦନର ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ଏହି ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାସ, ଉପଖଣ୍ଡ ଚିକିତ୍ସା ଅଧିକାରୀ ସୀତାଂଶୁ କୁମାର ଶତପଥୀ, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.