centurian jitm

ବିଜୁ ପକ୍କା ଘର ନାଁରେ ଦୋକାନ ନିର୍ମାଣ ଅଭିଯୋଗ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନସାଧାରଣଙ୍କୁ ସୁବିଧା ଏବଂ ଗରିବ ହିତାଧିକାରୀଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ମିଳିବା ନେଇ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଥିବା ବେଳେ ବିଗତ ବର୍ଷ ମାନଙ୍କରେ ଓଡ଼ିଶାରେ ଏହି ଯୋଜନାର ନାମ ପରିବର୍ତ୍ତନ କରିଦେଇ ନିଜ ସରକାରର ପ୍ରଚାର ପାଇଁ ବିଜୁ ପକ୍କା ଘର ଭାବରେ ନବୀନ ସରକାର ଏହାକୁ ବାଣ୍ଟିଥିବା ବେଳେ ଏଥିରୁ କିନ୍ତୁ ବଂଚିତ ରହୁଥିଲେ ପ୍ରକୃତ ହିତାଧିକାରୀ । ନିଜ ମନ ଇଚ୍ଛା ନିଜର ଦଳୀୟ କର୍ମୀ ଏବଂ ସମର୍ଥକଙ୍କୁ ବଣ୍ଟଯାଉଥିଲା ଆବାସ ଯୋଜନା । ତେଲିଆ ମୁଣ୍ଡରେ ତେଲ ସଦୃଶ୍ୟ ଘର, ଗାଡି, ଜମି, ଦୋକାନ ବେପାର ଆଦି ଥିବା ସତ୍ୱେ ବିଜୁ ପକ୍କା ଘର ଯୋଜନା ଅନ୍ତର୍ଗତ ଘର ପାଇଁ ପଇସା ମିଳିଛି କିନ୍ତୁ ଯେଉଁମାନେ ଚାଳ ଛପର ପ୍ଲାଷ୍ଟିକ ତଳେ ରହି ଜୀବନ ବିତାଉଛନ୍ତି ତାଙ୍କୁ ଅଣଦେଖା କରି ଯୋଜନାକୁ ହରିଲୁଟ କରାଯାଇଥିବା ବାରମ୍ବାର ଅଭିଯୋଗ ହୋଇଛି । ତେବେ କିଛି ଦଳୀୟ କର୍ମୀ ବ୍ଲକର ଅସାଧୁ ଅଧିକାରୀଙ୍କ ସହ ମିଶି ଆବାସ ନାଁରେ ଟଙ୍କା ଉଠାଇ ଯୋଜନାର ବାଟମାରଣା ସହ ଆବାସ ବଦଳରେ ଦୋକାନ ତିଆରି କରିଥିବା ଶୁଣିବାକୁ ମିଳୁଛି । ଏମିତି କିଛି ଅଭିଯୋଗ ବର୍ତ୍ତମାନ ପାଇକମାଲ ବ୍ଲକ ମାଣ୍ତିଆଢିପା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚୁଆପାଲି ଗ୍ରାମରୁ ମଧ୍ୟ ଆସିଛି । ପାଇକମାଲ ବ୍ଲକ ମାଣ୍ତିଆଢିପା ଗ୍ରାମପଞ୍ଚାୟତ ଚୁଆପାଲି ଗ୍ରାମର ପ୍ରମୋଦ ସାହୁ ନାମକ ଜଣେ ବ୍ୟକ୍ତି ଦୁଇଟି ଚାରିଚକିଆ ଗାଡି, ପକ୍କା କୋଠାଘର, ଜମିବାଡ଼ି ଦୋକାନ ସବୁଥାଇ ମଧ୍ୟ ପାଇକମାଲ ବ୍ଲକର କିଛି ଅସାଧୁ ଅଧିକାରୀଙ୍କ ସହ ମିଶି ନିଜ ନାଁରେ ଏକ ବିଜ୍ଜୁ ପକା ଘର କରାଇବା ସହ ଯୋଜନାରେ ମିଳିଥିବା ଟଙ୍କାରେ ନୂତନ ଦୋକାନ ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ଏମିତି କି ପକ୍କା ଘରଟେ ପାଇଁ ଜଣେ ପ୍ରକୃତ ହିତାଧିକାରୀ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ିବା ପରେ ମଧ୍ୟ କୌଣସି ନା କୌଣସି କାରଣରୁ ଯୋଜନା ଅନ୍ତର୍ଭୁକ୍ତ ହୋଇ ପାରିନଥିବା ବେଳେ ଜଣେ ସବୁକିଛି ଥାଇ ମଧ୍ୟ କିପରି ଯୋଜନାରେ ଲାଭାବାନ ହେଲେ ଏବଂ କେମିତି ବ୍ଲକର କୌଣସି ଅଧିକାରୀ କୌଣସି ପଦକ୍ଷେପ ନ ନେଇ ଯୋଜନାର ଅନ୍ତର୍ଭୁକ୍ତ କରାଇଲେ ତାହା ତଦନ୍ତ ସାପେକ୍ଷ ଏବଂ ଦଣ୍ଡନୀୟ ବୋଲି ସାଧାରଣରେ ଚର୍ଚ୍ଚା ହେଉ ଥିବାବେଳେ, କିଛିଟା ହାତ ଗୁଞ୍ଜା ପାଇଁ ପାଇକମାଲ ବ୍ଲକରେ ଯୋଜନାର ଖୁଲମ୍‌ଖୁଲା ବାଟମାରଣା ହେଉଥିବା ସବୁଦିନିଆ ହୋଇଗଲାଣି ବୋଲି ଅଭିଯୋଗ କରିଛନ୍ତି ଲୋକେ । ତେବେ ଏହି ଅଭିଯୋଗକୁ ନେଇ କେତେ ଶୀଘ୍ର ପାଇକମାଲ ବ୍ଲକ କର୍ତ୍ତୃପକ୍ଷ ସତ୍ୟତା ସାମ୍ନାକୁ ଆଣିବେ ନା ନିଜର ହାତ ଗୁଞ୍ଜା ପାଇଁ ଚୁପ ରହିଯିବେ ତାହା ସବୁଠୁ ବଡ଼ ପ୍ରଶ୍ନ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

error: Content is protected !!