jayashree

ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ବାଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଗତ କିଛିଦିନ ମଧ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ କାରଣରୁ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗତ କିଛିଦିନ ତଳେ ଖୁଜେନପାଲି ଗ୍ରାମର ତ୍ରୀନାଥ ବକୁଳ ନାମକ ଜଣେ ଯୁବକର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଶନିବାର ରାତିରେ ସ୍ଥାନୀୟ ହସ୍‌ପିଟାଲ୍‌ କଲୋନୀରେ ଆଉ ଜଣେ ଯୁବକ ଗୋଲକ ମାଝୀ(୩୫)ଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗୋଲକ ସକାଳ ବେଳା ଠିକଥିଲେ ଓ ସେ କିଛିକାମରେ ବାହାରକୁ ଯାଇଥିଲେ । ସେଠାରୁ ଘରକୁ ଫେରିଲା ପରେ ତାଙ୍କ ମୁଣ୍ଡ ପ୍ରବଳ ବିନ୍ଧିଥିଲା । ଭୀମଭୋଇ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କୁ ଦେଖାଇ ଚିକିତ୍ସିତ ମଧ୍ୟ ହୋଇଥିଲେ । କିନ୍ତୁ ରାତିରେ ଘରେ ଶୋଇଥିବା ବେଳେ ହଠାତ୍‌ ତାଙ୍କୁ ବାନ୍ତି ହୋଇଥିଲା । ଡାକ୍ତରଖାନାକୁ ତାଙ୍କୁ ନେବାପରେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ଭୀମଭୋଇ ଡାକ୍ତରଖାନାରେ ତାଙ୍କର ଶବର ପୋଷ୍ଟମର୍ଟମ୍‌ କରାଯାଇଛି । ପୋଲିସ ଏକ ଅପମୃତ୍ୟୁମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏବେ ଗୋଲକଙ୍କ ବିଧବାପତ୍ନୀ ଓ ଦୁଇ ପୁଅଝିଅ ରହିଛନ୍ତି । ଗୋଲକ ମୂଳତଃ ତୁଷୁରା ଅଞ୍ଚଳର ମୂଳନୀବାସୀ ହୋଇଥିବା ବେଳେ ଏଠାରେ ତାଙ୍କ ପତ୍ନୀ ନର୍ସଚାକିରିରେ ଥିବାରୁ ଭୀମଭୋଇ ମେଡିକାଲ ହସ୍‌ପିଟାଲ୍‌ର ଏକ କ୍ୱାଟରରେ ରହୁଥିଲେ ଓ ବଲାଙ୍ଗିରରେ ବିଭିନ୍ନ ବିଭାଗରେ ଠିକାକାମ କରୁଥିଲେ । ସ୍ଥାନୀୟ ରୁଗୁଡିପଡା ମାଛବଜାର ସେରସୁଆଁଗୁଡି କମିଟିର ଜଣେ ସକ୍ରିୟ ସଭ୍ୟଥିଲେ । ଜଣେ ମେଳାପି ଓ ବନ୍ଧୁବତ୍ସଳ ଯୁବକ ଭାବରେ ପରିଚିତ ଗୋଲକଙ୍କ ମୃତ୍ୟୁରେ ବଲାଙ୍ଗିରରେ ଶୋକର ଛାୟା ଖେଳିଯାଇଛି । ପ୍ରଶାସନ ଏହି ମୃତ୍ୟୁ ଘଟଣାର ତଦନ୍ତ ପୂର୍ବକ ଅଂଶୁଘାତ ଜନିତ ମୃତ୍ୟୁରେ ସରକାର ଦେଉଥିବା ସହାୟତାରାଶି ପ୍ରଦାନ କରିବାକୁ ଦାବି ହେଉଛି ।

Leave A Reply

Your email address will not be published.