ଖଳିସାହି ଗ୍ରାମର ସୁନା ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ ଅଭିଯୋଗ

ନୟାଗଡ, (କେପିଏନ୍‌ଏସ୍‌) : ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନସ୍ଥ ଖଳିସାହି ବଜାରର ବିଶିଷ୍ଟ ସୁନା ଅଳଙ୍କାର ବ୍ୟବସାୟୀ ବିଜୟ କୁମାର ପୃଷ୍ଟିଙ୍କ ଘରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ଓ ଟଙ୍କା ଦୁବୃର୍ତ୍ତମାନେ ଲୁଟ କରି ନେଇଥିବା ଅଭିଯୋଗ ହୋଇଛି । ବୁଧବାର ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଶ୍ରୀ ପୃଷ୍ଟିଙ୍କ ବାସଗୃହ ପଛ ପାଖଦେଇ ପ୍ରବେଶ କରିବା ସହ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ଲୁଟ କରି ନେଇଥିବା ଜଣାପଡିଛି । ଦୁବୃର୍ତ୍ତମାନେ ଧାରୁଆ ଅସ୍ତ୍ର ସହାୟତାରେ ପରିବାର ସଦସ୍ୟଙ୍କୁ ପ୍ରଥମେ ଭୟଭୀତ ଓ ଆକ୍ରମଣ କରି ସୁନା ଅଳଙ୍କାର, ନଗଦ ଟଙ୍କା ଲୁଟ କରି ନେଇଥିବା ନେଇ ଖଣ୍ଡପଡ଼ା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଖୋଲତାଡ କରିବା ସହ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିବା ପୋଲିସ ସୂତ୍ରରୁ ଜଣାଯାଇଛି । ଚୋରୀ ହୋଇଥିବା ସୁନା ଅଳଙ୍କାର ଓ ଟଙ୍କାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ଅନୁମାନ କରାଯାଉଛି । ତେବେ କିଛି ମାସର ବ୍ୟବଧାନ ପରେ ଜନଗହଳି ପୂର୍ଣ୍ଣ ଖଳିସାହି ବଜାର ଅଞ୍ଚଳରୁ ଲୁଟପାଟ କରିବା ପାଇଁ ପୁଣି ଲୁଟେରାମାନେ ସକ୍ରୀୟ ହୋଇ ଉଠିଥିବା ବେଳେ ଏହି ଘଟଣା ଖଣ୍ଡପଡ଼ା ପୁଲିସ ପାଇଁ ପୁଣି ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଜଣାପଡିଛି । ନୟାଗଡ ଏସପି ଘଟଣାରେ ହସ୍ତକ୍ଷେପ କରିବାକୁ ଖଳିସାହି ବଜାର କମିଟିର କର୍ମକର୍ତ୍ତାମାନେ ଦାବି କରିଛନ୍ତି ।

Leave A Reply

Your email address will not be published.