ବରବାହାଲ ଗ୍ରାମରେ ରହସ୍ୟଜନକ ମୃତ୍ୟୁ : ଯୁବ ବ୍ୟବସାୟୀଙ୍କ ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର, ହତ୍ୟା ଅଭିଯୋଗ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ଥାନା ଅନ୍ତର୍ଗତ ଯୁଗିମୁଣ୍ଡା ନିକଟସ୍ଥ ବରବାହାଲ ଗ୍ରାମରେ ଗତକାଲି ରାତିରେ ଏକ ହୃଦୟବିଦାରକ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଗ୍ରାମର ଯୁବ ବ୍ୟବସାୟୀ କ୍ଷମାନିଧି କରୁଆଲ(୩୩)ଙ୍କ ମୃତଦେହ ନିକଟସ୍ଥ ଗୋଚର ଜମିରେ ଥିବା ଗୋଟିଏ ଗଛରେ ଫାଶୀ ଲଗା ଅବସ୍ଥାରେ ଝୁଲୁଥିବା ତାଙ୍କ ପରିବାର ଲୋକ ଦେଖିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପାଟଣାଗଡ଼ ପୋଲିସ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ ବୋଲି ଗ୍ରାମବାସୀ କହିଛନ୍ତି । କିନ୍ତୁ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ମତାମତ କିମ୍ବା ଅଧିକାରୀକ ବିବୃତି ମିଳିନାହିଁ । ମୃତକ କ୍ଷମାନିଧି କରୁଆଲ ଜଣେ ସରଳ, ସୁଶୀଳ ଓ ସମାଜପ୍ରିୟ ମଣିଷ ଥିଲେ ବୋଲି ଗ୍ରାମବାସୀମାନେ କହିଛନ୍ତି । ତାଙ୍କ ପରିବାରରେ ୫ ବର୍ଷର ଗୋଟିଏ କନ୍ୟା, ସ୍ତ୍ରୀ, ଗୋଟିଏ ସାନ ଭାଇ ଓ ବୃଦ୍ଧ ପିତାମାତା ରହିଛନ୍ତି । ଏହି ଅପୂରଣୀୟ କ୍ଷତି ପରିବାରକୁ ଗଭୀର ଶୋକରେ ବୁଡଇ ଦେଇଛି । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାବେଳେ କ୍ଷମାନିଧି ବ୍ୟବସାୟିକ କାମରେ ଠକପାଲି ଯାଇ, ସେଠାରୁ ଯୁଗିମୁଣ୍ଡାରୁ ସାମଗ୍ରୀ କିଣି ଘରକୁ ଫେରୁଥିଲେ । କିନ୍ତୁ ତାହାପରେ ଏମିତି ଏକ ଦୁଃଖଦ ଓ ରହସ୍ୟଜନକ ଘଟଣା ଘଟିବ, କେହି ମଧ୍ୟ କଳ୍ପନା କରିନଥିଲେ । ଘଟଣାସ୍ଥଳର ପାରିପାର୍ଶ୍ୱିକ ପରିସ୍ଥିତି ଓ ସ୍ଥାନୀୟ ଲୋକଙ୍କ ମତାନୁସାରେ, କ୍ଷମାନିଧିଙ୍କୁ ପୂର୍ବରୁ ହତ୍ୟା କରାଯାଇ ପରେ ପ୍ଲାଷ୍ଟିକ ରଶି ସାହାଯ୍ୟରେ ଗଛରେ ଝୁଲାଇ ଦିଆଯାଇଥିବା ସନ୍ଦେହ ପ୍ରକାଶ କରାଯାଉଛି । ଏହାକୁ ନେଇ ଗ୍ରାମରେ ଭୟ, କ୍ଷୋଭ ଓ ଗଭୀର ଆଶଙ୍କାର ପରିବେଶ ସୃଷ୍ଟି ହୋଇଛି । ଏହି ଘଟଣାର ସତ୍ୟ ତଦନ୍ତ, ନ୍ୟାୟସଙ୍ଗତ ତଦନ୍ତ ପ୍ରକ୍ରିୟା ଓ ଦୋଷୀଙ୍କୁ ଶୀଘ୍ର ଗିରଫ ପାଇଁ ପୋଲିସ ପ୍ରଶାସନ ସ୍ପଷ୍ଟ ଓ ଦୃଢ଼ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରୁଛନ୍ତି ।

Leave A Reply

Your email address will not be published.