-କାର୍ଯ୍ୟାନୁଷ୍ଠାନ ଶୂନ
ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ସଦର ବ୍ଲକ ଅନ୍ତର୍ଗତ ମନହିରା ସ୍ଥିତ ପଞ୍ଚାୟତ ଆଦିବାସୀ ହାଇସ୍କୁଲରେ ଗତ କିଛି ବର୍ଷ ଧରି ବ୍ୟାପକ ଅନିୟମିତତା ହୋଇ ଆସୁଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗର ଦୀର୍ଘ ଏକବର୍ଷ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ସ୍ଥାନୀୟ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଅଭିଯୋଗ ମୁତାବକ, ଆଦିବାସୀ ହାଇସ୍କୁଲ, ମନହିରାର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଧର୍ମରାଜ ସାହୁ ଏବଂ ସହକାରୀ ଶିକ୍ଷକ ରାମକୃଷ୍ଣ ଷଡ଼ଙ୍ଗୀ ଦୀର୍ଘବର୍ଷ ଧରି ଏହି ବିଦ୍ୟାଳୟରେ ଆସ୍ଥାନ ଜମାଇ ରହିବା ସହିତ ସ୍କୁଲକୁ ଆସୁଥିବା ସରକାରୀ ଅନୁଦାନର ଦୁରୂପଯୋଗ କରୁଛନ୍ତି । ବିଜ୍ଞାନ ପ୍ରୋତ୍ସାହନ ପୁରସ୍କାର ବାବଦରେ ଛାତ୍ରଛାତ୍ରୀ ପାଇଥିବା ପୁରସ୍କାର ରାଶିରୁ ବେଆଇନ ଭାବେ ଶିକ୍ଷକ ଦ୍ୱୟ ଟଙ୍କା ଅସୁଲ କରିବା, ସ୍କୁଲ ପରିତ୍ୟାଗ ପ୍ରମାଣପତ୍ର ପ୍ରଦାନ ସମୟରେ ଛାତ୍ରଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ, ବିନା ଛୁଟିରେ ଅବୈଧାନିକ ଭାବେ ସ୍କୁଲରେ ଅନୁପସ୍ଥିତ ରହିବା, ଶିକ୍ଷାଦାନ ସମୟରେ ନିରବଚ୍ଛିନ୍ନ ଭାବେ ମୋବାଇଲରେ ଗପିବା, ସ୍କୁଲରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପକାଇ ସେମାନଙ୍କ ମଧ୍ୟାହ୍ନ ଭୋଜନ ବାବଦ ଅର୍ଥ ଆତ୍ମସାତ କରିବା, ବିଳମ୍ବରେ ବିଦ୍ୟାଳୟକୁ ଆସି ନିର୍ଦ୍ଧାରିତ ସମୟ ଠାରୁ ଆଗତୁରା ସ୍କୁଲ ଛୁଟି କରିବା, ବିଦ୍ୟାଳୟରେ ପୂର୍ବରୁ ଥିବା କାଠର ବେଞ୍ଚ ଓ ଡେସ୍କକୁ ମଧ୍ୟାହ୍ନ ଭୋଜନର ଜାଳେଣି ଭାବେ ବ୍ୟବହାର କରିବା ସହିତ ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଦେବା ଭଳି ସଙ୍ଗୀନ ଅଭିଯୋଗ ଆଣି ଅଭିଭାବକମାନେ ଗତବର୍ଷ ଅକ୍ଟୋବର ୨୮ ରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଚଳିତ ଏପ୍ରିଲ ୨୮ ରେ ବଲାଙ୍ଗିର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଏହାର ତଦନ୍ତ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ରିପୋର୍ଟ ଦିଆଯାଇ ନାହିଁ ଅଥବା ଶିକ୍ଷକ ଦ୍ୱୟଙ୍କ ବିରୁଦ୍ଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଧର୍ମରାଜ ସାହୁ ଏବଂ ସହକାରୀ ଶିକ୍ଷକ ରାମକୃଷ୍ଣ ଷଡ଼ଙ୍ଗୀଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନ ଥିଲା । ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ସ୍କୁଲରେ ତାଲା ପକାଇ ଦିଆଯିବା ସହିତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଅଭିଯୋଗକାରୀ ବ୍ରଜ ପୁଟେଲଙ୍କ ସମେତ ସରୋଜ ଭୋଇ, ଗୋବର୍ଦ୍ଧନ ସାହୁ, ବାଲଗୋପାଲ୍ ପୁଟେଲ, ବଂଶୀଧର ଭୋଇ, ସୁରୁ ଭୋଇ, ବୈଶାଖୁ ପୋଢ଼, ତେଜ ମଟାରି, ଜଗନ୍ନାଥ ମରପାଚି, ଅନାଦି ବଗର୍ତ୍ତିଙ୍କ ସମେତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।