ଆଇଆର୍‌ଇଏଲ୍ କମ୍ପାନୀର ସିଏସ୍ଆର୍‌ ଫଣ୍ଡରେ ପ୍ରିୟାପ୍ରୀତିତୋଷଣ ଅଭିଯୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଇଏଲ୍ (ଇଣ୍ଡିଆ) ସୌଜନ୍ୟରେ ସିଏସ୍ଆର୍‌ ଫଣ୍ଡରେ ଏସ୍ଏଚ୍‌ଜି ମହିଳାମାନଙ୍କୁ ରୋଜଗାରକ୍ଷମ କରାଇବା ଯୋଜନାରେ ପ୍ରିୟାପ୍ରୀତିତୋଷଣ ଏବଂ ପକ୍ଷପାତ କରାଯାଉଥିବା ନେଇ ଜିଲ୍ଲା ପ୍ରଶାସନଠାରେ ଅଭିଯୋଗ ହୋଇଛି । ଆଇଆର୍‌ଇଏଲ୍ ଓସ୍କୋମ (ଇଣ୍ଡିଆ) ପ୍ଲାଣ୍ଟ ପ୍ରତିଷ୍ଠିତ ଥିବା ସ୍ଥାନ ମାଟିଖାଲ ଅଞ୍ଚଳର ଏସ୍ଏଚ୍‌ଜି ମହିଳାମାନଙ୍କୁ ଏହି ସୁଯୋଗରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ଉଠିଛି । ମହିଳାମାନଙ୍କୁ ସ୍ୱାବଲମ୍ବନଶୀଳ କରାଇବା ନିମନ୍ତେ ଉକ୍ତ ସିଏସ୍ଆର୍‌ ଫଣ୍ଡ ମାଧ୍ୟମରେ ମହିଳାମାନଙ୍କୁ ସିଲେଇଶିକ୍ଷା, ଫିନାଇଲ ପ୍ରସ୍ତୁତି ଶିକ୍ଷା, କାଗଜ ପ୍ଲେଟ ଓ ଖଲିପ୍ଲେଟ ଆଦି ପ୍ରଶିକ୍ଷଣ ତାଲିମ ଦିଆଯାଉଛି । ଏପରିକି ଗାଁର ଗାଡ଼ିଆ, ବନ୍ଧ, ପୋଖରୀମାନଙ୍କରେ ଦଳ ପଙ୍କ ଉଦ୍ଧାର କରି ପୋଖରୀରେ ମାଛଚାଷ କରିବା ପାଇଁ ସହାୟତା ଓ ପ୍ରଶିକ୍ଷଣ ଦିଆଯାଇବା ସହିତ ରୋଜଗାରକ୍ଷମ କରାଉଛନ୍ତି ସତ କିନ୍ତୁ ଏ ଦିଗରେ ପ୍ଲାଣ୍ଟ ଅଧିଷ୍ଠିତ ଛତ୍ରପୁର ବ୍ଲକର ୭ଟି ଗ୍ରାମପଞ୍ଚାୟତରେ ଏହି ଯୋଜନା ବ୍ୟବସ୍ଥିତ ଥିବାବେଳେ ସିଏସ୍ଆର୍‌ କର୍ତ୍ତୃପକ୍ଷ ଗ୍ରାମମାନଙ୍କରେ ମହିଳାମାନଙ୍କ କ୍ଷେତ୍ରରେ ପାତରଅନ୍ତର କରୁଥିବା ଅଭିଯୋଗ ହୋଇଛି । ସର୍ବୋପରି ପ୍ଲାଣ୍ଟ ଅଧିଷ୍ଠିତ କଣମଣା ପଞ୍ଚାୟତର ମାଟିଖାଲ ଅଞ୍ଚଳର ଏସ୍ଏଚ୍‌ଜି ମହିଳାମାନଙ୍କୁ ଏ ସମସ୍ତ ସୁବିଧାରୁ ବଞ୍ଚିତ କରାଯାଇଥିବା ଅଭିଯୋଗ କରିଛନ୍ତି । ଏହି ଅଞ୍ଚଳର ଲୋକେ ପ୍ଲାଣ୍ଟ ପାଇଁ ଜମିହରାଇଥିବା ସତ୍ତ୍ୱେ କମ୍ପାନୀ ତରଫରୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ପାଉନାହାଁନ୍ତି ବୋଲି କ୍ଷୋଭ ପ୍ରକାଶ ପାଇଛି । ମହିଳା ନେତ୍ରୀ ନୀଳନ୍ଦ୍ରୀ ପ୍ରଧାନଙ୍କ ନେତ୍ୱତ୍ୱରେ ଶନିବାର ଅପରାହ୍ନରେ ଛତ୍ରପୁର ବ୍ଳକ୍ ଅଫିସ ଆଗରେ ପ୍ରତିବାଦ କରି ଛତ୍ରପୁର ବିଡ଼ିଓଙ୍କୁ ସାକ୍ଷାତ କରି ପ୍ଲାଣ୍ଟ ଏରିଆ ମାଟିଖାଲ ଅଞ୍ଚଳର ମହିଳାମାନେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହାସାଂଗକୁ ଉକ୍ତ ସ୍ମାରକପତ୍ର ଜରିଆରେ ଗଞ୍ଜାମ ଜିଲ୍ଲାପାଳ, ଛତ୍ରପୁର ତହସିଲଦାର, ଆଇଆର୍‌ଇଏଲ୍ ଓସ୍କୋମ (ଇଣ୍ଡିଆ) ଜେନେରାଲ ମ୍ୟାନେଜର, ମୁଖ୍ୟ ମହାପ୍ରବନ୍ଧକ ମୁମ୍ବାଇ ତଥା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିବା କୁହାଯାଇଛି । ଏହାର ଆଶୁ-ସମାଧାନ ନ ହେଲେ ମହିଳା ମୋର୍ଚ୍ଚା ପକ୍ଷରୁ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି । ସମାଜସେବୀ ତଥା କଂଗ୍ରେସ ପାର୍ଟିର ଅନୁସୂଚୀତ ଜାତିବର୍ଗ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଭାଗିରଥୀ ବେହେରା, କ୍ରିଷ୍ଣାରେଡ୍ଡୀ ଏବଂ ବହୁ ମହିଳାନେତ୍ରୀଗଣ ଏହାର ବିରୋଧ କରିଥିଲେ । ଖୁବଶୀଘ୍ର ଏହାର ସମାଧାନ ପାଇଁ ପ୍ରଶାସନଠାରେ ଦାବୀ କରିଥିଲେ ।

Leave A Reply

Your email address will not be published.