ଭଣ୍ଡାରବାଞ୍ଜି ଅଙ୍ଗନୱାଡ଼ି କର୍ମୀଙ୍କ ୭ ବସ୍ତା ଚାଉଳ ବିକ୍ରି ଅଭିଯୋଗ ଘଟଣାରେ ଗାଁକୁ ପହଞ୍ଚିଲେ ପୂର୍ବ କଂଗ୍ରେସ ବିଧାୟକ ଶ୍ରୀ ସାଲୁଜା
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଇଛାପଡ଼ା ପଞ୍ଚାୟତ ଭଣ୍ଡାରବାଞ୍ଜି ଗ୍ରାମର ଅଙ୍ଗନବାଡ଼ି କର୍ମୀ ସସ୍ମିତା ବାଗ ଗତ ୮ ତାରିଖ ରାତିରେ କେନ୍ଦ୍ରର ଶିଶୁଙ୍କ ପାଇଁ ଆସିଥିବା ୭ବସ୍ତା ଚାଉଳ ଇଚ୍ଛାପଡା ଗାଁର ହିତେଶ ବେହେରାଙ୍କ ପିକଅପ୍ ଗାଡି (ଓଡ଼ି ୦୩ ସି ୨୫୪୫)ଯୋଗେ ବିକ୍ରି କରୁଥିବା ଗ୍ରାମବାସୀ ଗୁରୁତର ଅଭିଯୋଗ କରି ଏହାକୁ ଅଟକ ରଖିଥିଲେ । ଚାଉଳ ଚୋରା ଚାଲାଣ ବେଳେ ଚାଉଳ ସହ ଗାଡିକୁ ଅଟକ ପରେ ଗାଁରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା । ମୁରିବାହାଲ ପୋଲିସ ଖବର ପାଇଲା ପରେ ସେହି ରାତିରେ ହିଁ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ସତ୍ୟତା ଦେଖିବା ସହ ତଦନ୍ତ କରିଥିଲେ । ଏ ବିଷୟରେ ଗ୍ରାମବାସୀ ମୁରିବାହାଲ ସିଡ଼ିପିଓ ପୂର୍ଣ୍ଣିମା ବୈଠାରୁଙ୍କୁ ମଧ୍ୟ ଅବଗତ କଲା ପରେ ଦାୟିତ୍ଵରେ ଥିବା ସୁପରଭାଇଜର କେନ୍ଦ୍ରକୁ ଆସି ଚାଉଳ ଚୋରି ନେଇ ତଦନ୍ତ ଆରମ୍ଭ କରିଥିଲେ । ଚୋରି ହେଉଥିବା ଚାଉଳ ଅଙ୍ଗନୱାଡି କେନ୍ଦ୍ରର ବୋଲି ତଦନ୍ତ କରି ଜାଣି ସାରିଲା ପରେ ମଧ୍ୟ ଦୋଷୀ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇନାହିଁ । ପ୍ରଶାସନ ଦୋଷୀକୁ ଘଣ୍ଟ ଘୋଡାଇ ରଖିଥିବା ଗ୍ରାମବାସୀ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଜଣାଇଥିଲେ । ଶ୍ରୀ ସାଲୁଜା ରବିବାର ଘଟଣାସ୍ଥଳକୁ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ କଥାବାର୍ତ୍ତା ହୋଇଥିଲେ ଓ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଙ୍ଗନୱାଡି କର୍ମୀ ସସ୍ମିତା ବାଗଙ୍କୁ ବହିଷ୍କାର ପାଇଁ ଦାବି କରିଥିଲେ ।