ପ୍ୟାଲେସ୍‌ ଲାଇନ୍‌ରେ ନାଳ ଚୋରୀ : ଆର୍‌ଟିଆଇ କର୍ମୀଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ୱାର୍ଡ ନଂ୨୧ ସ୍ଥିତ ପ୍ୟାଲେସ ଲାଇନ ପଡା ଠାରେ ନାଳ ଚୋରୀ ହୋଇଥିବା ଏକ ଅଜବ ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ମୁତାବକ, ବାରମ୍ବାର ଗୁହାରି ପରେ ଗତ ୨୦୨୩ ମସିହା ୨୩ ସେପ୍ଟେମ୍ବରରେ ରାସ୍ତା ଓ ନାଳ ତିଆରି ପାଇଁ ପୌରପାଳିକା ପ୍ରସ୍ତାବ ଗ୍ରହଣ କରିଥିଲା । ସେହି ଅନୁସାରେ ୭ଲକ୍ଷ ଟଙ୍କା ବ୍ୟୟବରାଦରେ ୟୁଜିବି ଚେୟାରମ୍ୟାନ ଗଳିରେ ନିରୁ ଅଗ୍ରୱାଲଙ୍କ ଘର ପର୍ଯ୍ୟନ୍ତ ରାସ୍ତା ଓ ନାଳ ତିଆରି ଆରମ୍ଭ ହୋଇଥିଲା । କିନ୍ତୁ କାମ ସରିବା ବେଳକୁ ରାସ୍ତା ତିଆରିରେ କୌଣସି ନୀତିନିୟମ ପାଳନ କରାଯାଇନଥିବା ବେଳେ ରାସ୍ତା ଅଧାପନ୍ତରିଆ ଅବସ୍ଥାରେ ବନ୍ଦ ହୋଇଯାଇଥିଲା । ଅନ୍ୟପଟେ ଗାଡୱାଲ ଓ ନାଳ ସମ୍ପୂର୍ଣ୍ଣ ଭାବେ ଗାଏବ ହୋଇଯାଇଥିବା ପଡାବାସୀ ଅଭିଯୋଗ କରିଛନ୍ତି । ଏହି ଦୁର୍ନୀତିକୁ ନେଇ ଆର୍‌ଟିଆଇ କର୍ମୀ ଶମ୍ଭୁନାଶ ଶତପଥି ପୌରପାଳିକାକୁ କାର୍ଯ୍ୟପ୍ରଣାଳୀର ନକଲ ମାଗିବାରୁ ପୌରପାଳିକା ଏହାକୁ ଏଡାଇ ଦେଇଥିଲା । କମିସନରଙ୍କ ପାଖରୁ ତଥ୍ୟ ଆସିବା ପରେ ଜଣା ପଡିଲା ଯେ, ରାସ୍ତାର ପ୍ରସ୍ତାବରେ ଥିବା ଗାର୍ଡୱାଲ ଓ ନାଳ ତିଆରି ନକରି ଦୁର୍ନୀତି କରାଯାଇଥିବା ଶ୍ରୀ ଶତପଥି ଅଭିଯୋଗ କରିଛନ୍ତି । ସେ ଏନେଇ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରେରଣ କରିଛନ୍ତି । ଅନ୍ୟପଟେ ଅଞ୍ଚଳବାସୀ ଶମ୍ଭୁଭୂଷଣ ମିଶ୍ର ରାସ୍ତା ତିଆରିରେ ଅତି ନିମ୍ନମାନର କାମ ହୋଇଥିବା ବେଳେ ଅଧା କାମ କରି ରାସ୍ତାକୁ ବନ୍ଦ କରିଦିଆଯାଇଛି । ଆହୁରି ଏହି ପ୍ରକଳ୍ପରେ ନାଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ବେଳେ ନାଳ ସମ୍ପୂର୍ଣ୍ଣ ଭାବେ ଗାଏବ ରହିଛି ବୋଲି ଅଭିଯୋଗ କରଛନ୍ତି ।

Leave A Reply

Your email address will not be published.