ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଦୁଇ ଭାଇ କୋର୍ଟ ଚାଲାଣ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ସରପଞ୍ଚଙ୍କ ଦୁଇ ପୁଅ ଗିରଫ ହୋଇ କୋର୍ଟ ଚାଲାଣ ହେବା ଘଟଣା ଉଭୟ କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । କୋର୍ଟ ଚାଲାଣ ହୋଇଥିବା ବ୍ୟକ୍ତି ଦ୍ୱୟ ନୂଆପଡା ଜିଲ୍ଲା କୋମନା ଥାନା କୁରେଶ୍ଵର ପଞ୍ଚାୟତ ଉଦ୍ୟାନ ବନ୍ଧର ସତ୍ୟବ୍ରତ ବରାଳ ଓ ତାଙ୍କ ଭାଇ ଉତ୍ତମ ବରାଳ । ସତ୍ୟବ୍ରତ ସିନାପାଲି ବ୍ଲକ ଘୁଚାଗୁଡା ପଞ୍ଚାୟତର ପିଇଓ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କ ମାଁ ବିଜୟଲକ୍ଷ୍ମୀ ବରାଳ କୁରେଶ୍ଵର ପଞ୍ଚାୟତର ସରପଞ୍ଚ ଅଛନ୍ତି । ତେବେ ସତ୍ୟବ୍ରତଙ୍କ ମାଁ ବିଜୟଲକ୍ଷ୍ମୀ ବରାଳ କୁରେଶ୍ୱର ପଂଚାୟତର ସରପଞ୍ଚ ଥିବା ଯୋଗୁଁ ସେହି ପଂଚାୟତର ପିଇଓଙ୍କ ସହିତ ମିଶି ପଂଚାୟତର ଉନ୍ନତି ପାଇଁ ଆସିଥିବା ସିଏଫ୍‌ସି ଓ ସଫାସି ଟଙ୍କାକୁ କାମ ନକରି ହାଇମାଷ୍ଟ ଲାଇଟ ଏବଂ ଜିମ ଉପକରଣ କ୍ରୟ କରାଯାଇଥିବା ଦର୍ଶାଇ ମିଥ୍ୟା ବିଲ କରିବା ସହ ୭ ଲକ୍ଷରୁ ଅଧିକ ଟଙ୍କା କୁରେଶ୍ଵର ପଞ୍ଚାୟତ ଆକାଉଣ୍ଟରୁ ଉଠାଇଥିଲେ । ସେହି ଟଙ୍କାକୁ ପିଇଓ ପର୍ଯ୍ୟାୟକ୍ରମେ ସରପଞ୍ଚଙ୍କ ଦୁଇ ପୁଅଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ନୂଆପଡା ଭିଜିଲାନ୍ସ ଟିମର ଅଭିଯୋଗ ପରେ ଭବାନୀପାଟଣା ଭିଜିଲାନ୍ସଟିମ ଅନୁସନ୍ଧାନ କରି କୁରେଶ୍ଵର ପଞ୍ଚାୟତରେ ଚଢ଼ାଉ କରିଥିଲା । ତଦନ୍ତ ବେଳେ ଭିଜିଲାନ୍ସ ବିଭାଗ ଏହି ଘଟଣାରେ ସତ୍ୟତା ଥିବା ଜାଣିବାକୁ ପାଇଥିଲା । କୁରେଶ୍ୱର ପଞ୍ଚାୟତ ପିଇଓ ବରୁଣ ଦାସ ଏବଂ ସରପଞ୍ଚ ବିଜୟଲକ୍ଷ୍ମୀ ବରାଳଙ୍କ ମିଳିତ ଦସ୍ତଖତରେ ବିନା କାମରେ ଟଙ୍କା ଉଠାଇ ପର୍ଯ୍ୟାୟ କ୍ରମେ ସରପଞ୍ଚଙ୍କ ଦୁଇ ପୁଅଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ଜଣା ପଡିଥିଲା । ସରକାରୀ ଅର୍ଥ ଆତ୍ମସାତ କରିଥିବା ସ୍ପଷ୍ଟ ହେବାପରେ ଭିଜିଲାନ୍ସ ବିଭାଗ କୁରେଶ୍ଵର ପଞ୍ଚାୟତର ସରପଞ୍ଚଙ୍କ ଦୁଇପୁଅ ସତ୍ୟବ୍ରତ ବରାଳ ଓ ଉତ୍ତମ ବରାଳଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏହି ମାମଲାରେ କୁରେଶ୍ଵର ପଞ୍ଚାୟତର ସରପଞ୍ଚ ବିଜୟ ଲକ୍ଷ୍ମୀ ବରାଳ ଓ ପିଇଓ ବରୁଣ ଦାସଙ୍କ ବିରୁଦ୍ଧରେ ଅଧିକ ତଦନ୍ତ ଚାଲିଥିବା ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ କୋରାପୁଟ ଭିଜିଲାନ୍ସ ବିଭାଗରେ ୪/୨୦୨୫ରେ ଏକ ମାମଲା ରୁଜ୍ଜୁ ହୋଇଛି ।

Leave A Reply

Your email address will not be published.