ବେଆଇନ ଭାବେ ଲିଜ୍‌ ଜମିକୁ ଦଖଲ କରି ଉତ୍ପିଡନ କରୁଥିବା ବିରୁଦ୍ଧରେ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସିଂହନପୁର ଗ୍ରାମର ପଦ୍ମପୁର ସବ୍‌ଜେଲ୍‌ ନିକଟରେ ବସବାସ କରୁଥିବା ମହିଳା ସୁକାନ୍ତି ମେହେର, ସୁମିତ୍ରା ମେହେର, ଶକୁନ୍ତଳା ପାଣ୍ତେ ପ୍ରମୁଖ ପଦ୍ମପୁର ଉପଜିଲ୍ଲାପାଳଙ୍କଠାରେ ଏକ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ଏହି ମହିଳାମାନେ ନିଜ ନିଜର ପରିବାର ଧରି ଦୀର୍ଘ ୩୦-୪୦ ବର୍ଷ ହେଲାଣି ବିଜୁ ଏକ୍ସପ୍ରେସ ୱେ ରାସ୍ତା କଡରେ ଥିବା ସରକାରୀ ଜମିରେ ଘରଦ୍ୱାର କରି ରହି ଆସୁଥିଲେ । ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଉକ୍ତ ପରିବାରମାନଙ୍କୁ ଅନୁଗ୍ରହ କରି ସରକାରୀ ଜମିରେ ଘର ନିର୍ମାଣ କରି ସେମାନଙ୍କୁ ଏଠାରେ ରହିବା ପାଇଁ ପରାମର୍ଶ କରିଥିଲେ । କହିବା ଅନୁସାରେ ସେହି ସମୟରେ ଆର୍‌ଆଇ ସେମାନଙ୍କୁ ଉକ୍ତ ଜମିକୁ ଚିହ୍ନଟ କରି ଦଖଲ ମଡାଇ ଦେଇଥିଲେ । କିନ୍ତୁ କିଛି ବର୍ଷ ପରେ ପଞ୍ଚାନନ ମେହେର ନାମକ ବ୍ୟକ୍ତି ସେହି ସମୟରେ ସରକାରୀ ଅମିନ ଭାବେ କାର୍ଯ୍ୟ କରୁଥିବା ବେଳେ ବେଆଇନ ଭାବେ ଉକ୍ତ ଜମିକୁ ଅକ୍ତିଆର କରି ସେଠାରେ ବାସକରି ଉପରୋକ୍ତ ମହିଳାମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର କରି ବର୍ତ୍ତମାନ ସେହି ସ୍ଥାନରୁ ତଡି ଦେବାକୁ ଅପ ଚେଷ୍ଟା କରୁଅଛନ୍ତି । ଏ ସମ୍ପର୍କରେ ପୋଲିସ ପ୍ରଶାସନଠାରୁ ଆରମ୍ଭ କରି ପ୍ରଶାସନଠାରେ ଗୁହାରୀ କରି ଆସୁଥିଲେ ସୁଦ୍ଧା ଉପଯୁକ୍ତ ନ୍ୟାୟ ମିଳି ପାରୁନାହିଁ । ସରକାର ଭୂମିହୀନ ଲୋକଙ୍କୁ ସରକାରୀ ଜମି ଯୋଗାଇ ଦେଇ ଆବାସ ଗୃହ ନିର୍ମାଣ କରି ଥଇଥାନ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ମାତ୍ର ଏହି ମହିଳାମାନଙ୍କର ସପକ୍ଷରେ ନ୍ୟାୟ ମିଳୁନାହିଁ । ଏଣୁ ଜିଲ୍ଲା ପ୍ରଶାସନ ଏ ସଂକ୍ରାନ୍ତରେ ସଦୟ ହୋଇ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ମହିଳାମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.