jayashree

ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାରବର୍ଗ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ସକାଳେ ରାଉଣ୍ଡ ଡ୍ୟୁଟିରେ ଡାକ୍ତର ଆସି ନ ଦେଖିବା ଯୋଗୁଁ ରୋଗୀଙ୍କ ଜୀବନ ଚାଲିଗଲା ବୋଲି ଅଭିଯୋଗ କରିଛନ୍ତି ପରିବାର ବର୍ଗ । ବୁଧୁବାର ରାତିରେ ଟିଟିଲାଗଡ ନିକଟସ୍ଥ କୁମୁଡ଼ି ପଦର ଗ୍ରାମର ତପସ୍ଵିନୀ ଦେବଗୁରୁ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ପାଇଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ରାତିରେ ଥିବା କାର୍ଯ୍ୟରତ ଡାକ୍ତର ବଳରାମ ସାହୁ ତାଙ୍କୁ ଭର୍ତ୍ତି କରାଇ ଚିକିତ୍ସା କରିଥିଲେ । ସକାଳେ ୱାର୍ଡକୁ ୱାର୍ଡ ବୁଲି ରାଉଣ୍ଡରେ ଦେଖିବାକୁ କୌଣସି ଡ଼ାକ୍ତର ଆସିଲେ ନାହିଁ, ଯଦ୍ୱାରା ତପସ୍ଵିନୀଙ୍କ ଜୀବନ ଚାଲିଗଲା ବୋଲି ତପସ୍ୱିନୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଶେଷରେ ଘରୋଇ ଆମ୍ବୁଲାନ୍ସ ଯୋଗେ ତାଙ୍କର ମର ଶରୀରକୁ ନେବା ସହ କାନ୍ଦି କାନ୍ଦି ଗଲେ ପରିବାର ଲୋକେ । ଏ ନେଇ ଏସ୍‌ଡିଏମ୍‌ଓଙ୍କୁ ପଚାରିବାରୁ ସକାଳୁ ଆମେ ତାଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲୁ, ତାଙ୍କର ତିନୋଟି ଝାଡ଼ା ହେବା ପରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଛି ବୋଲି କହିଥିଲେ । ତେବେ ଦୋଷ କାହାର, ରାଉଣ୍ଡରେ ଯଦି ଡାକ୍ତର ଆସି ରୋଗୀଙ୍କୁ ଚିକିତ୍ସା କରି ଥାଆନ୍ତେ ତା’ହେଲେ ହୁଏତ ତପସ୍ଵିନୀଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ପରିବାର ଲୋକେ କାନ୍ଦି କାନ୍ଦି କହୁଥିଲେ । ତେବେ ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଯୋଗୁଁ ଚିକିତ୍ସାରେ ବାଧା ତଥା ଅବହେଳା ହେଉଥିବା ପୂର୍ବରୁ ବି ଅଭିଯୋଗ ହୋଇଆସୁଛି ।

Leave A Reply

Your email address will not be published.