ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ମାତ୍ରାଧିକ ଭାବେ ବ୍ୟାପକ ବେଆଇନ ସଟ୍ଟା ଖେଳ ବୃଦ୍ଧି ହେଉଥିବା ନେଇ ଅଭିଯୋଗ ହୋଇଛି । ମାତ୍ର ଏକ ଟଙ୍କାରେ ଅଶି ଟଙ୍କା ପାଇବା ଲୋଭରେ ଉଭୟ ପୁରୁଷ, ମହିଳା, ଯୁବକ ଓ ଛୋଟ ଛୋଟ ସ୍କୁଲ ଶିଶୁ ବି ଏହି ଖେଳକୁ ଆପଣାଇ ସର୍ବସାନ୍ତ ହେବା ସାର ହୋଇ ଯାଇଥିବା ଦେଖାଯାଉଛି । ସହରର ବିଭିନ୍ନ ଛକ ଓ ଦୋକାନ ଗୁଡ଼ିକରେ ଏ ଖେଳ ଚାଲୁଥିବା ବେଳେ ଗ୍ରାମାଞ୍ଚଳରେ ଅତ୍ୟଧିକ ଭାବେ ବୃଦ୍ଧି ପାଇ ଚାଲିଛି । ହେଲେ ପଦ୍ମପୁର ପୋଲିସ ପ୍ରଶାସନ ନାମକୁ ମାତ୍ର କିଛି ଛୋଟ ଏଜେଣ୍ଟକୁ ଗିରଫ କରିଦେଇ କୋର୍ଟ ଚାଲାଣ କରିବା ଦ୍ୱାରା ତୁରନ୍ତ ଜାମିନରେ ଆସି ପୂର୍ବବତ୍ ଖେଳ ଖେଳାଇବା ଆରମ୍ଭ କରୁଛନ୍ତି । ମୁଖ୍ୟ ସଟ୍ଟା ଖେଳ ଖେଳାଉ ଥିବା ସଟ୍ଟା ଡନ୍ମାନଙ୍କୁ ଗିରଫ କରିବା ପାଇଁ ପୋଲିସ ସତ୍ ସାହସ ଯୁଟାଇ ପାରୁନଥିବା ସାଧାରଣରେ ଚର୍ଚ୍ଚା ଚାଲିଛି । ଏବେ ଆଣ୍ଡ୍ରଏଡ୍ ମୋବାଇଲ ଫୋନ ଯୋଗୁଁ ଏ ଖେଳ ବେଶ୍ କଳା ବ୍ୟବସାୟୀଙ୍କୁ ସହାୟ ହୋଇଛି । ପୋଲିସ ପ୍ରଶାସନ ସହ ଖୋଲା ଖୋଲି ମାସିକ ମୋଟା ଅଙ୍କରେ ଟଙ୍କା କାରବାର କରି ଖେଳକୁ ଚଳେଇ ନିଜେ ବେଶ୍ ଲାଭବାନ ହୋଇ ପ୍ରସୟ ଦେଇ ଆସୁଥିବା ପରି ଗୁରୁତର ଅଭିଯୋଗ ଜନସାଧାରଣ ପକ୍ଷରୁ ହୋଇଆସୁଛି । ସହରର ବିଭିନ୍ନ ସ୍ଥାନ ଓ ଗ୍ରାମାଞ୍ଚଳରେ ପୋଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ ପ୍ରସ୍ତୁତ କରି ଏ ଖେଳ ଉପରେ ରୋକ୍ ଲଗାଇବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।