ଦହିଗାଁ ଗ୍ରାମ ପଂଚାୟତରେ ପିଡିଏସ୍‌ ସାମଗ୍ରୀକୁ ନେଇ ମହାଦୁର୍ନୀତି ହେଉଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦହିଗାଁ ଗ୍ରାମ ପଂଚାୟତରେ ପିଡିଏସ୍‌ ସାମଗ୍ରୀକୁ ନେଇ ମହାଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ପଦ୍ମପୁର ବ୍ଲକ ଦହିଗାଁ ପଂଚାୟତରେ ମା’ ତାରିଣୀ ଏସ୍‌ଏଚ୍‌ଜି ଦହିଗାଁ ବହୁଦିନ ହେଲା ପିଡିଏସ୍‌ ସାମଗ୍ରୀ ବଣ୍ଟନ କରିଆସୁଥିଲେ । କିନ୍ତୁ ଗତ ତିନିମାସ ହେବ ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସେମାନେ ଚାଉଳ, ଗହମ ଓ କିରୋସିନ ବଣ୍ଟନ କରିନାହାନ୍ତି । ଏଣୁକରି ହିତାଧିକାରୀମାନେ ପଂଚାୟତ କାର୍ଯ୍ୟାଳୟକୁ ଆସି ସରପଞ୍ଚଙ୍କ ପାଖରେ ଗୁହାରି କରିଥିଲେ । ସରପଞ୍ଚ ପଂଚାୟତବାସୀଙ୍କ ଗୁହାରି ଶୁଣି ତା.୧୬/୦୧/୨୦୨୩ ଦିନ ପଂଚାୟତବାସୀଙ୍କୁ ସାଙ୍ଗରେ ନେଇ ଜିଲ୍ଲାପାଳଙ୍କ ଜନଶୁଣାଣି ପ୍ରକୋଷ୍ଠକୁ ଯାଇଥିଲେ ଓ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ କିଛି ଫଳ ହୋଇ ନ ଥିବା ଅଭିଯୋଗ ହୋଇଛି । ଶେଷରେ ପଂଚାୟତର ହଜାର ହଜାର ହିତାଧିକାରୀ ପଂଚାୟତକୁ ଯାଇ ଆନ୍ଦୋଳନ କରିଥିଲେ ଏବଂ ସରପଞ୍ଚଙ୍କୁ ଏକ କୋଠରୀରେ ଦୁଇଦିନ ପର୍ଯ୍ୟନ୍ତ ତାଲା ଦେଇ ରଖିଥିଲେ । ଏହି ଖବର ପାଇବା ପରେ ଯୋଗାଣ ନିରୀକ୍ଷକ ଦହିଗାଁ ପଂଚାୟତକୁ ଆସିଥିଲେ ଏବଂ ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା ଓ ହିତାଧିକାରୀମାନଙ୍କ ଉପସ୍ଥିତିରେ ଲିଖିତ ପ୍ରତିଶୃତି ପରେ ସରପଞ୍ଚଙ୍କୁ ବନ୍ଦ କୋଠରୀରୁ ମୁକ୍ତ କରିଥିଲେ । ଯୋଗାଣ ନିରୀକ୍ଷକ ଏହା ପ୍ରତିଶୃତି ଦେଇଛନ୍ତି ଯେ, ସାତଦିନ ମଧ୍ୟରେ ମା’ ତାରିଣୀ ଏସ୍‌ଏଚ୍‌ଜିର ଲାଇସେନ୍ସ ବନ୍ଦ କରି ଦହିଗାଁ ପଂଚାୟତକୁ ଲାଇସେନ୍ସ ପ୍ରଦାନ କରିବେ । ଦହିଗାଁ ପଂଚାୟତବାସୀଙ୍କ ମୁଖ୍ୟ ଅଭିଯୋଗ ଯେ, ମା’ ତାରିଣୀ ଏସ୍‌ଏଚ୍‌ଜିର ସଭାପତି ରେଣୁକା ସାହୁ ଓ ସମ୍ପାଦିକା ଯୋଶବନ୍ତୀ ପଟେଲଙ୍କ ନାଁରେ ଥିବା ୩୫୬ କ୍ୱିଣ୍ଟାଲ ଚାଉଳ ହେରଫେର୍‌ କରିଥିବାରୁ ତାଙ୍କୁ କଠୋରରୁ କଠୋର ଦଣ୍ଡ ମିଳୁ । ଏହି ଆନ୍ଦୋଳନରେ ସରପଞ୍ଚ ପ୍ରତିନିଧି ପ୍ରବୀଣ କୁମାର ଦାଶ, ସମିତିସଭ୍ୟ ପ୍ରତିନିଧି ବାସୁଦେବ ପାତ୍ର, ନାଏବ ସରପଞ୍ଚ ପ୍ରହଲ୍ଲାଦ ବେଶେରା, ସରପଞ୍ଚ ଶ୍ରୀମତୀ ଚଞ୍ଚଲା ଦାଶ, ସମିତି ସଭ୍ୟ ଯଜ୍ଞସିନୀ ପାତ୍ର, ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା ଏବଂ ଦହିଗାଁ ପଂଚାୟତର ହିତାଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.