oom

ଉତ୍ତର ପ୍ରଦେଶ ଇଟାଭାଟି ମାଲିକ ପାଖରେ ଗରିବ ଆଦିବାସୀ ଶ୍ରମିକଙ୍କ ୧ ଲକ୍ଷ ଟଙ୍କା ବାକି ଥିବା ଅଭିଯୋଗ : ଶ୍ରମିକମାନେ ଥାନାର ଦ୍ୱାରସ୍ଥ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉତ୍ତର ପ୍ରଦେଶ ଇଟାଭାଟି ମାଲିକ ପାଖରେ ଗରିବ ଆଦିବାସୀ ଶ୍ରମିକଙ୍କ ୧ ଲକ୍ଷ ଟଙ୍କା ବାକି ଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରମିକ ମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର ଗ୍ରାମ ପଞ୍ଚାୟତ କପିଲାସପୁର ଗ୍ରାମର ଭୂମିହୀନ, ଗରିବ, ଆଦିବାସୀ ପରିବାରର ୯ ଜଣ ସଦସ୍ୟ ଇଟା ଗଢିବା ପାଇଁ ଉତ୍ତର ପ୍ରଦେଶର ଆମ୍ବେଦକର ଜିଲ୍ଲା ଅନ୍ତର୍ଗତ ଦେହଟ ଗ୍ରାମଠାରେ ଏକ ଇଟା ଭାଟି ମାଲିକଙ୍କ ପାଖରେ ପ୍ରାୟ ୪ ମାସ କାର୍ଯ୍ୟ କରିଥିଲେ । ନୂଆପଡା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ବେଲଟୁକୁରି ଗ୍ରାମର ଜଣେ ମଧ୍ୟସ୍ଥି ଗିରିଶ ଚନ୍ଦ୍ର ଚନ୍ଦ୍ରକାରଙ୍କ ଜରିଆରେ ଉତ୍ତର ପ୍ରଦେଶକୁ ଯାଇ ଇଟାଭାଟି ମାଲିକ ମାନିକ ଚାନ୍ଦ ଚୌରେସିଆଙ୍କ ଇଟାଭାଟିରେ ଗତ ତା ୧୯/୧/୨୦୨୨ରୁ ତା ୨୧/୫/୨୦୨୨ ପର୍ଯ୍ୟନ୍ତ ଇଟାଭାଟି କାର୍ଯ୍ୟରେ ଏହି ୯ଜଣ ଶ୍ରମିକ ନିୟୋଜିତ ହୋଇଥିଲେ । ଉତ୍ତର ପ୍ରଦେଶ ଯିବା ପୂର୍ବରୁ ଜଣ ପ୍ରତି ୮ ହଜାର ଟଙ୍କା ଅଗ୍ରିମ ଦିଆଯାଇଥିଲା ବୋଲି ଶ୍ରମିକମାନେ ଉଲ୍ଲେଖ କରିଛନ୍ତି । ୪ ମାସ ଇଟାଭାଟିରେ କାର୍ଯ୍ୟ କଲାପରେ ଗାଁକୁ ଫେରିବା ବେଳେ ଅଗ୍ରିମ ଛାଡି ବକେୟା ଶ୍ରମ ଟଙ୍କା ମିଳି ନଥିବାରୁ ଏହି ଶ୍ରମିକମାନେ ସପରିବାର ପାଇକମାଲ ଥାନାକୁ ଆସି ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଇଟାଭାଟି ମାଲିକ ଶ୍ରୀ ଚୌରେସିଆଙ୍କ କହିବା ଅନୁସାରେ ମଧ୍ୟସ୍ଥି ଶ୍ରୀ ଚନ୍ଦ୍ରକାର ଟଙ୍କା ନେଇଛନ୍ତି ହେଲେ ମଧ୍ୟସ୍ଥି ମାଲିକ ଟଙ୍କା ଦେଇନ ଥିବା ପ୍ରକାଶ କରିଛନ୍ତି । ଶେଷରେ ଅନ୍ୟ ଉପାୟ ନ ପାଇଁ କପିଲାସପୁର ଗ୍ରାମର ଶ୍ରମିକମାନେ ନଗୁଦେବ ମହାଲିଙ୍ଗ, ଶ୍ରୀମତୀ ପାନବତି ମହାଲିଙ୍ଗ, ସରଜ ମହାଲିଙ୍ଗ, ତିଲକ ଅମରୀ, ମନୁ ମହାଲିଙ୍ଗ, ଗୋରେଖ ଅମରୀ, ଅନୁତମ ବଣ୍ଟକା, ଶ୍ରୀମତୀ ତୁଲସା ମହାଲିଙ୍ଗ, ଶ୍ରୀମତୀ ସୁବଲବାଇ ଅମରୀ ପ୍ରମୁଖ ପାଇକମାଲ ଥାନାରେ ଲିଖିତ ରିପୋର୍ଟ ଦେଇଛନ୍ତି । ଏବେ ଏହି ଗରିବ ଆଦିବାସୀ ଶ୍ରମିକଙ୍କ ଘରେ ଖାଇବାକୁ ଦାନା ନାହିଁ । ରିପୋର୍ଟ ଗ୍ରହଣ କରିଥିବା ପୋଲିସ ସବ ଇନ୍ସପେକ୍ଟର ଶ୍ରୀମତୀ ଚୁମକି ପ୍ରଭା ନାଥ ଶ୍ରମିକଙ୍କ ପାଉଣା ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ।

jittmm
Leave A Reply

Your email address will not be published.