jayashree

ଡଙ୍ଗାଘାଟରେ ପରିବେଶ ସଚେତନତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଡଙ୍ଗାଘାଟ ଗ୍ରାମ ପଂଚାୟତର ଡଙ୍ଗାଘାଟ ଗ୍ରାମରେ ପରିବେଶ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଡଙ୍ଗାଘାଟ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରକୃତିବଂଧୁ ଶଙ୍କର୍ଷଣ ନାଗଙ୍କ ସହଯୋଗ ଓ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଅଂଶଗ୍ରହଣ ମହାବିଦ୍ୟାଳୟ ପଦ୍ମପୁର ପ୍ରାଣୀ ବିଜ୍ଞାନ ଅଧ୍ୟାପକ ସୁବୋଧ କୁମାର ତ୍ରିପାଠୀ, ସ୍ୱତନ୍ତ୍ର ଅତିଥି ଭାବରେ ଜିଲ୍ଲା ପରିବେଶ ସୁରକ୍ଷା ମଂଚ ବରଗଡ ସଂପାଦକ ପ୍ରକୃତିବନ୍ଧୁ ମୀନକେତନ ସାହୁ ଅଂଶଗ୍ରହଣ କରି ବିଶ୍ୱ ଉତ୍ତାପନ ଓ ଜୀବଜଗତ ଉପରେ ଏହାର ପ୍ରଭାବ, ଜଳବାୟୁ ପରିବର୍ତ୍ତନର କାରଣ ଓ ନିରାକରଣ, ବୃକ୍ଷରୋପଣ ଓ ସଂରକ୍ଷଣ ସଂପର୍କରେ ବିସ୍ତ୍ରୁତ ଆଲୋଚନା କରି ପରିବେଶ ସଚେତନତା ଅଭିଯାନକୁ ଜନ ଆନ୍ଦୋଳନର ରୂପ ଦେବାକୁ ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡଙ୍ଗାଘାଟ ଗ୍ରାମ କମିଟିର ସଂପାଦକ ନିରଞ୍ଜନ କୁଦେଇ, ଗ୍ରାମ କମିଟି ସଦସ୍ୟ ଗୋବର୍ଦ୍ଧନ ମଲ୍ଲିକ, ୱାଡ୍‌ ମେମ୍ବର ବିମ୍ବାଧର ବରିହା, ଏମ୍. ବି. କେ ବୈଜୟନ୍ତି ପଟେଲ, କୃଷିମିତ୍ର ରୁବିତା ବାଗ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉପସ୍ଥିତ ଗ୍ରାମବାସୀଙ୍କୁ ଅଶୋକ ଚାରା ପ୍ରଦାନ କରାଯାଇ ନିଜ ନିଜର ଘରବାଡିରେ ରୋପଣ ପାଇଁ ପରାମର୍ଶ ଦିଆଯାଇଥିଲା । ସରପଞ୍ଚ ପ୍ରକୃତିବନ୍ଧୁ ଶଙ୍କର୍ଷଣ ନାଗ ଆଗାମୀ ପିଢ଼ିର ସୁରକ୍ଷା ନିମନ୍ତେ ସମସ୍ତ ଜନସାଧାରଣ ଗୋଟିଏ ଗୋଟିଏ ଗଛ ଲଗାଇ ପ୍ରକୃତି ସୁରକ୍ଷା ଅଭିଯାନରେ ଝାସ ଦେବାକୁ ଆହ୍ଵାନ ଦେଇଥିଲେ । ଶେଷରେ ଏମ୍. ବି. କେ ବୈଜୟନ୍ତୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.