ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ୍ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ପରିବେଶ ସମ୍ବନ୍ଧୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପଦମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି ସଭାରେ ରାଜ ବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରାଲମ୍ବ ପ୍ରସାଦ ପଟେଲ, ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପହଣ୍ଡି ବିଜୟ ମେହେର ଓ ଏବିଇଓ ଜୟ କୁମାର ସାହୁ ମଞ୍ଚାସୀନ ଥିଲେ । ସର୍ବପ୍ରଥମେ ଶ୍ରୀ ଗଣେଶ ଓ ମା’ ସିଦ୍ଧିଦାତ୍ରୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦ୍ଵୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଆୟୋଜକ ସ୍କୁଲର ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ମୁଖ୍ୟଅତିଥିଙ୍କ ଦ୍ଵାରା ପ୍ରଦର୍ଶନୀ କକ୍ଷକୁ ଉଦ୍ଘାଟିତ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟରୁ ୧୯୭ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଦ୍ଵିତୀୟାର୍ଦ୍ଧରେ ପ୍ରୀତି ରଶ୍ମି ସେଠ୍ ଓ ମନୀଷା ଭୋଇଙ୍କ ଦ୍ଵାରା ବିଜ୍ଞାନ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଉତ୍ସବରେ ଡକ୍ଟର ଜୟକୃଷ୍ଣ ପଟେଲ ମୁଖ୍ୟ ଅତିଥି ଏବଂ ବରିଷ୍ଠ ବିଜ୍ଞାନ ଶିକ୍ଷକ ଦିଲ୍ଲୀପ କୁମାର ଧଳ ମୁଖ୍ୟବକ୍ତା ଭାବରେ ଯୋଗଦେଇ ନୂତନ ବିଶ୍ଵର ଆହ୍ୱାନ ସମ୍ୱନ୍ଧରେ ଏକ ଚିତ୍ତାକର୍ଷକ ଅଭିଭାଷଣ ରଖିଥିଲେ । କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜକ ବିଦ୍ୟାଳୟର ଛାତ୍ରୀମାନେ ଏକ ବିଜ୍ଞାନ ଭିତ୍ତିକ ନୃତ୍ୟ ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ରାଜେଶ ଖମାରୀ ଓ ମାନସ ରଞ୍ଜନ ଶତପଥୀ । ପରିଶେଷରେ ପ୍ରେମାନନ୍ଦ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । ବ୍ଲକର ସମସ୍ତ ସିଆର୍ସିସି, ସମସ୍ତ ପ୍ରଧାନଶିକ୍ଷକ, ବିଜ୍ଞାନଶିକ୍ଷକ ଓ ବିଭିନ୍ନ ଦାୟିତ୍ଵ ନେଇ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ, ସମସ୍ତ ଶିକ୍ଷା କର୍ମଚାରୀ ମାନଙ୍କ ସକ୍ରିୟ ସହଯୋଗ ଫଳରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା ।
Next Post