ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସାଇବର ଅପରାଧରୁ ସୁରକ୍ଷିତ ରହିବା ଲକ୍ଷ୍ୟ ନେଇ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ପୋଲିସ ପକ୍ଷରୁ ଡେଲାଙ୍ଗ ଷ୍ଟେସନ ବଜାର ସନ୍ନିକଟ ରାଧାକାନ୍ତ ଉଚ୍ଚ ବିଦ୍ୟାପୀଠ ପରିସରରେ ଆଖପାଖ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ନିମନ୍ତେ ସାଇବର ସୁରକ୍ଷା ସଚେତନତା ଅଭିଯାନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ଥାନା ନିରୀକ୍ଷକ ଶ୍ୟାମଘନ ବାରିକଙ୍କ ଦ୍ୱାରା ଉଦ୍ଘାଟିତ ଏହି ସଚେତନତା ଶିବିରରେ ବ୍ଲକ ଶିକ୍ଷାଧିକାରୀ ଶତ୍ରୁଘ୍ନ ବେହେରା, ରାଧାକାନ୍ତ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ଅଜୟ କୁମାର ଭୋଇ, ମହତାବ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ମଲ୍ଲିକ, ଅଭୟମୁଖୀ ସର୍ବପଲ୍ଲୀ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଧ୍ରୁବଚରଣ ବରାଳ, ଆଂକୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କଳିଙ୍ଗ କେଶରୀ ମହାପାତ୍ର, ଡେଲାଙ୍ଗ ଥାନା ଉପ ନିରୀକ୍ଷକ ଶୁଭଶ୍ରୀ ନନ୍ଦ, ସାଇବର ସୁରକ୍ଷା ତାଲିମଦାତା ପୋଲିସ କର୍ମଚାରୀ ଶାନ୍ତନୁ କୁମାର ପଣ୍ଡା ପ୍ରମୁଖ ସାଇବର ଅପରାଧୀଙ୍କ ବିଭିନ୍ନ କୌଶଳ, ପୀଡିତ ବ୍ୟକ୍ତି ଓ ପରିବାର ନିଜର କଠିନ ଶ୍ରମ ଉପାର୍ଜିତ ଧନ ହରାଇ ସର୍ବସ୍ୱାନ୍ତ ହେଉଥିବା ଘଟଣାର ଅବତାରଣା କରିଥିଲେ । ସୋସିଆଲ ମିଡ଼ିଆ ବା ସାମାଜିକ ଗଣମାଧ୍ୟମର ଅପବ୍ୟବହାର, ଅନଲାଇନ ସପିଙ୍ଗ, ଅନଲାଇନ ଆର୍ଥିକ କାରବାର, କେୱାଇସି, ପାନକାର୍ଡ, ଆଧାର କାର୍ଡ ଅପଡେଟ, ଋଣ, ଚାକିରୀ ଡିଜିଟାଲ ଆରେଷ୍ଟ, ଜବ ୱାର୍କ, ଘରେ ବସି ଅନଲାଇନରେ ରୋଜଗାର ଆଶା ଦେବା, କ୍ୟାସ ବ୍ୟାକ ବା ଅର୍ଥ ଫେରସ୍ତ ଆଦି ଆଳ ନେଇ ସାଇବର ଅପରାଧୀମାନେ ଜନସାଧାରଣଙ୍କୁ ଲୁଟୁଥିବା ସମ୍ପର୍କରେ ସାଇବର ସୁରକ୍ଷା ସଚେତନ କରାଯାଇଥିଲା । ପ୍ରାରମ୍ଭରେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ନଟବର ସେଠି ଅତିଥିଙ୍କୁ ପରିଚୟ କରାଇବା ସହ ମଞ୍ଚ ସଂଯୋଜନା କରିଥିଲେ । ଛାତ୍ରୀମାନେ ସ୍ୱାଗତ ସଂଗୀତ ଆବୃତ୍ତି କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା “ଭିକାରୀ କରିଦେଲେ ସାଇବର ଠକ’ ଶୀର୍ଷକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା । ସାଇବର ସୁରକ୍ଷା ଅଭିଯାନ, ଓଡିଶା ୨୦୨୫ ପକ୍ଷରୁ ପ୍ରାମାଣିକ ଭିଡିଓ ପ୍ରଦର୍ଶିତ ହୋଇଥିଲା ।
 
			