ଭାରତ-ବ୍ରିଟେନ ସି.ଇ.ଓ. ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ମହାମାନ୍ୟ, ପ୍ରଧାନମନ୍ତ୍ରୀ ଷ୍ଟାରମର,
ଭାରତ ଏବଂ ବ୍ରିଟେନର ବ୍ୟବସାୟୀ ନେତୃବୃନ୍ଦ,
ନମସ୍କାର
ଆଜି ଭାରତ-ବ୍ରିଟେନ ସି.ଇ.ଓ ଫୋରମର ଏହି ବୈଠକରେ ଯୋଗ ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ । ସର୍ବପ୍ରଥମେ, ମୁଁ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କୁ ତାଙ୍କର ମୂଲ୍ୟବାନ ବିଚାର ପାଇଁ କୃତଜ୍ଞତା ଜଣାଉଛି ।
ବର୍ଷ ବର୍ଷ ଧରି ଆପଣ ସମସ୍ତ ବ୍ୟବସାୟୀ ନେତୃବର୍ଗଙ୍କ ନିରନ୍ତର ପ୍ରୟାସ ଦ୍ୱାରା, ଏହି ମଞ୍ଚ ଭାରତ-ବ୍ରିଟେନ ରଣନୈତିକ ଭାଗିଦାରୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଠିଆ ହୋଇଛି । ବର୍ତ୍ତମାନ ଆପଣଙ୍କ ମତାମତ ଶୁଣିବା ଦ୍ୱାରା ମୋର ବିଶ୍ୱାସ ଗଭୀର ହୋଇଛି ଯେ, ଆମେ ସ୍ୱାଭାବିକ ଅଂଶୀଦାର ଭାବରେ ଆହୁରି ଦ୍ରୁତ ଗତିରେ ଆଗକୁ ବଢିବୁ । ଆଉ ଏଥିପାଇଁ ମୁଁ ଆପଣ ସମସ୍ତଙ୍କୁ ଅଭିବାଦନ ଜଣାଉଛି ।
ବନ୍ଧୁଗଣ,
ବର୍ତ୍ତମାନର ବୈଶ୍ୱିକ ଅସ୍ଥିରତା ମଧ୍ୟରେ ଭାରତ-ବ୍ରିଟେନ ସମ୍ପର୍କର ସ୍ଥିରତା ଦୃଷ୍ଟିରୁ ଚଳିତ ବର୍ଷ ଅଭୂତପୂର୍ବ ଅଟେ । ଚଳିତ ବର୍ଷ ଜୁଲାଇରେ ମୋର ବ୍ରିଟେନ ଗସ୍ତ ସମୟରେ, ଆମେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ରାଜିନାମା, ଅର୍ଥାତ୍ ସିଇଟିଏ ସ୍ୱାକ୍ଷର କରିଥିଲୁ । ଏହି ଐତିହାସିକ ସଫଳତା ପାଇଁ ତାଙ୍କର ପ୍ରତିବଦ୍ଧତା ଏବଂ ଦୂରଦୃଷ୍ଟି ପାଇଁ ମୁଁ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କୁ ହୃଦୟରୁ ପ୍ରଶଂସା ଏବଂ ଅଭିନନ୍ଦନ ଜଣାଉଛି । ଏହା କେବଳ ଏକ ବାଣିଜ୍ୟ ରାଜିନାମା ନୁହେଁ, ବରଂ ବିଶ୍ୱର ଦୁଇ ସର୍ବବୃହତ୍ ଅର୍ଥବ୍ୟବସ୍ଥା ମଧ୍ୟରେ ସହଭାଗୀ ପ୍ରଗତି, ସହଭାଗୀ ସମୃଦ୍ଧି ଏବଂ ଅଂଶୀଦାର ଲୋକଙ୍କ ପାଇଁ ଏକ ରୋଡମ୍ୟାପ୍ । ବଜାର ପ୍ରବେଶ ସହିତ, ଏହି ରାଜିନାମା ଉଭୟ ଦେଶରେ ଏମ.ଏସ.ଏମ.ଇ ଗୁଡ଼ିକୁ ପ୍ରୋତ୍ସାହନ ଦେବ । ଏହାଦ୍ୱାରା ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ପାଇଁ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ବନ୍ଧୁଗଣ,
ଏହି ସିଇଟିଏ(CETA) ନିଜର ପୂର୍ଣ୍ଣ ସାମର୍ଥ୍ୟର ପାଇପାରିବ, ଏଥିପାଇଁ ଚାରିଟି ନୂତନ ଦିଗ, ଏହି ସିଇଟିଏକୁ ନିଜ ନିକଟରେ ରଖିବାକୁ ଚାହୁଁଛି । ସିଇଟିଏ ର ଏହି ନୂତନ ଦିଗଗୁଡ଼ିକ ସମ୍ଭବତଃ ଏହାକୁ ଅଧିକ ବ୍ୟାପକ ଆଧାର ପ୍ରଦାନ କରିବ ।
ସି, ଅର୍ଥାତ୍ ବାଣିଜ୍ୟ ଏବଂ ଅର୍ଥନୀତି
ଇ, ଅର୍ଥାତ୍ ଶିକ୍ଷା ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ
ଟି, ଅର୍ଥାତ୍ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ
ଏ, ଅର୍ଥାତ୍ ଆକାଂକ୍ଷା
ଆଜି ଆମର ଦ୍ୱିପାକ୍ଷିକ ବାଣିଜ୍ୟ ପାଖାପାଖି ୫୬ ବିଲିୟନ ଡଲାର । ଆମେ ୨୦୩୦ ସୁଦ୍ଧା ଏହାକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ରଖିଛୁ । ମୋର ବିଶ୍ୱାସ, ଆମେ ଏହି ଲକ୍ଷ୍ୟଗୁଡ଼ିକୁ ସମୟ ପୂର୍ବରୁ ହାସଲ କରିପାରିବା ।
ବନ୍ଧୁଗଣ,
ଆଜି ଭାରତରେ ନୀତିଗତ ସ୍ଥିରତା, ପୂର୍ବାନୁମାନଯୋଗ୍ୟ ନିୟନ୍ତ୍ରଣ ଏବଂ ବ୍ୟାପକ ଚାହିଦା ରହିଛି । ଏଭଳି ସ୍ଥିତିରେ ଭିତ୍ତିଭୂମି, ଔଷଧ, ଶକ୍ତି, ଅର୍ଥ ସମେତ ପ୍ରତ୍ୟେକ କ୍ଷେତ୍ରରେ ଅଭୂତପୂର୍ବ ସୁଯୋଗ ରହିଛି । ଏହା ମଧ୍ୟ ଖୁସିର ବିଷୟ ଯେ ବ୍ରିଟେନର ୯ଟି ବିଶ୍ୱବିଦ୍ୟାଳୟ ଭାରତରେ ନିଜର କ୍ୟାମ୍ପସ ଖୋଲିବାକୁ ଯାଉଛି । ଆଗାମୀ ସମୟରେ ଶିକ୍ଷା-ଶିଳ୍ପ ଭାଗିଦାରୀ ଆମର ନବସୃଜନ ଅର୍ଥବ୍ୟବସ୍ଥାର ସବୁଠାରୁ ବଡ଼ ପ୍ରେରକ ଶକ୍ତି ହେବ ।
ବନ୍ଧୁଗଣ,
ଆଜି ଟେଲିକମ୍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବାୟୋଟେକ୍, କ୍ୱାଣ୍ଟମ୍, ସେମିକଣ୍ଡକ୍ଟର, ସାଇବର ଏବଂ ମହାକାଶ ଭଳି କ୍ଷେତ୍ରରେ ଆମ ମଧ୍ୟରେ ସହଯୋଗର ଅଗଣିତ ନୂତନ ସମ୍ଭାବନା ସୃଷ୍ଟି ହେଉଛି । ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଆମେ ସହ-ଡିଜାଇନ ଏବଂ ସହ-ଉତ୍ପାଦନ ଦିଗରେ ଅଗ୍ରସର ହେଉଛୁ । ଏହି ସମସ୍ତ ସମ୍ଭାବନାକୁ ଦୃଢ଼ ସହଯୋଗରେ ପରିଣତ କରିବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରିବାର ସମୟ ଆସିଛି । ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ବିରଳ-ଖଣିଜ, ରେୟାର ଆର୍ଥ, ଏ.ପି.ଆଇ ଭଳି ରଣନୈତିକ କ୍ଷେତ୍ରରେ, ଆମେ ଏକ ସଂରଚିତ ଢଙ୍ଗରେ ଆଗକୁ ବଢ଼ିବା ଉଚିତ । ଏହା ଆମ ସମ୍ପର୍କକୁ ଭବିଷ୍ୟତର ଦିଗ ଦେବ ।
ବନ୍ଧୁଗଣ,
ଆପଣମାନେ ସମସ୍ତେ ଫିନଟେକ କ୍ଷେତ୍ରରେ ଭାରତର ସାମର୍ଥ୍ୟକୁ ଦେଖିଛନ୍ତି । ଆଜି ବିଶ୍ୱର ବାସ୍ତବ ସମୟର ଡିଜିଟାଲ ନେଣଦେଣର ପ୍ରାୟ ୫୦ ପ୍ରତିଶତ ଭାରତରେ ହେଉଛି । ଆର୍ଥିକ ସେବାରେ ବ୍ରିଟେନର ଅଭିଜ୍ଞତା ଏବଂ ଭାରତର ଡିପିଆଇ ମିଳିତ ଭାବେ ସମଗ୍ର ମାନବଜାତିକୁ ଲାଭାନ୍ୱିତ କରିପାରିବ ।
ବନ୍ଧୁଗଣ,
ଆମ ସମ୍ପର୍କକୁ ନୂତନ ଶକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଷ୍ଟାରମର ଏବଂ ମୁଁ ଭିଜନ ୨୦୩୫ ଘୋଷଣା କରିଥିଲୁ । ଏହା ହେଉଛି ଆମର ସହଭାଗୀ ଅଭିଳାଷର ରୂପରେଖ । ଭାରତ ଏବଂ ବ୍ରିଟେନ ଭଳି ମୁକ୍ତ, ଗଣତାନ୍ତ୍ରିକ ସମାଜ ମଧ୍ୟରେ ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଥିରେ ଆମେ ସହଯୋଗ ବଢ଼ାଇ ପାରିବା ନାହିଁ । ଭାରତର ପ୍ରତିଭା ଓ ସାମର୍ଥ୍ୟ ଏବଂ ବ୍ରିଟେନର ଗବେଷଣା ଓ ବିକାଶ ତଥା ବିଶେଷଜ୍ଞତାର ମିଶ୍ରଣରେ ବଡ଼ ଫଳାଫଳ ପ୍ରଦାନ କରିବାର କ୍ଷମତା ରହିଛି । ଏହି ଆକାଂକ୍ଷାଗୁଡ଼ିକ ଏବଂ ମହତ୍ୱାକାଂକ୍ଷାଗୁଡ଼ିକୁ ଏକ ଲକ୍ଷ୍ୟବଦ୍ଧ ଏବଂ ସମୟବଦ୍ଧ ଢଙ୍ଗରେ ପୂରଣ କରିବାରେ ଆପଣଙ୍କର ସହଯୋଗ ଏବଂ ସମର୍ଥନ ଗୁରୁତ୍ୱପୂର୍ଣ୍ଣ ।
ବନ୍ଧୁଗଣ,
ଆପଣମାନଙ୍କ ମଧ୍ୟରୁ ଅଧିକାଂଶ କମ୍ପାନୀ ଭାରତରେ ପୂର୍ବରୁ ଉପସ୍ଥିତ ଅଛନ୍ତି । ଆଜି ଭାରତର ଅର୍ଥବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଅଣାଯାଉଛି, ଅନୁପାଳନ ହ୍ରାସ କରାଯାଉଛି ଏବଂ ବ୍ୟବସାୟିକ ସୁଗମତା ଉପରେ ଧ୍ୟାନ ଦିଆଯାଉଛି । ନିକଟରେ ଆମେ ଜିଏସଟି ସଂସ୍କାର ଘୋଷଣା କରିଛୁ । ଏହା ଆମ ମଧ୍ୟବିତ୍ତ ବର୍ଗ, ଏମ.ଏସ. ଏମ.ଇ. ଗୁଡ଼ିକର ଅଭିବୃଦ୍ଧି କାହାଣୀକୁ ନୂତନ ଶକ୍ତି ଦେବ ଏବଂ ଆପଣମାନଙ୍କ ପାଇଁ ସମ୍ଭାବନା ମଧ୍ୟ ବୃଦ୍ଧି କରିବ ।
ବନ୍ଧୁଗଣ,
ଭିତ୍ତିଭୂମି ବିକାଶ ଆମ ପାଇଁ ପ୍ରାଥମିକତା ଅଟେ । ଆମେ ଆଗାମୀ ପିଢ଼ିର ଭିତ୍ତିଭୂମିରେ ସିଧାସଳଖ ନିବେଶ କରୁଛୁ । ୨୦୩୦ ମସିହା ସୁଦ୍ଧା ଆମେ ଦ୍ରୁତ ଗତିରେ ୫୦୦ ଗିଗାୱାଟ ଅକ୍ଷୟ ଶକ୍ତିର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛୁ । ମୁଁ ଖୁସି ଯେ, ଆମେ ପରମାଣୁ ଶକ୍ତି କ୍ଷେତ୍ରକୁ ଘରୋଇ କ୍ଷେତ୍ର ପାଇଁ ଉନ୍ମୁକ୍ତ କରୁଛୁ । ଏବଂ ଏସବୁ ଭାରତ-ବ୍ରିଟେନ ସହଯୋଗକୁ ନୂତନ ଉଚ୍ଚତାକୁ ନେବା ପାଇଁ ସୁଯୋଗ ସୃଷ୍ଟି କରିଛି । ଭାରତର ଏହି ବିକାଶ ଯାତ୍ରାରେ ସାମିଲ ହେବା ପାଇଁ ମୁଁ ଆପଣମାନଙ୍କୁ ନିମନ୍ତ୍ରଣ କରୁଛି । ମୋର ମତ ହେଉଛି, କ’ଣ ଭାରତ ଏବଂ ବ୍ରିଟେନର ବ୍ୟବସାୟୀ ମୁଖ୍ୟମାନେ ମିଳିତ ଭାବେ ଏପରି କିଛି କ୍ଷେତ୍ର ଚୟନ କରିପାରିବେ, ଯେଉଁଠି ଆମେ ମିଳିତ ଭାବେ ବିଶ୍ୱରେ ଏକ ନମ୍ବର ହୋଇପାରି ପାରିବା ? ତାହା ଫିନଟେକ୍ ହେଉ, ଗ୍ରୀନ୍ ହାଇଡ୍ରୋଜେନ୍ ହେଉ, ସେମିକଣ୍ଡକ୍ଟର ହେଉ କିମ୍ବା ଷ୍ଟାର୍ଟଅପ୍ ହେଉ । ଆହୁରି ଅନେକ କ୍ଷେତ୍ର ଥାଇପାରେ । ଭାରତ ଏବଂ ବ୍ରିଟେନ ମିଳିତ ଭାବେ ବୈଶ୍ୱିକ ମାନଦଣ୍ଡ ନିର୍ଦ୍ଧାରଣ କରନ୍ତୁ !
ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଯେ, ଆପଣ ନିଜର ମୂଲ୍ୟବାନ ସମୟ ଦେଇ ଏଠାକୁ ଆସିଛନ୍ତି ।

Leave A Reply

Your email address will not be published.