● ସବକା ସାଥ୍, ସବକା ବିକାଶ ଆମର ସାମୂହିକ ଉତ୍ତରଦାୟିତ୍ୱ : ପ୍ରଧାନମନ୍ତ୍ରୀ
● ୨୦୧୪ ପରେ ଦେଶ ଏକ ନୂତନ ମଡେଲ ଦେଖିଛି ଏବଂ ଏହି ମଡେଲ ତୁଷ୍ଟିକରଣ ନୁହେଁ ବରଂ ସନ୍ତୁଷ୍ଟିକରଣ : ପ୍ରଧାନମନ୍ତ୍ରୀ
● ଆମ ଶାସନର ମନ୍ତ୍ର ହେଉଛି- ସବକା ସାଥ୍, ସବକା ବିକାଶ : ପ୍ରଧାନମନ୍ତ୍ରୀ
● ଭାରତର ବିକାଶ ନାରୀ ଶକ୍ତି ଦ୍ୱାରା ସମର୍ଥ : ପ୍ରଧାନମନ୍ତ୍ରୀ
● ଆମେ ଗରିବ ଓ ବଞ୍ଚିତଙ୍କ କଲ୍ୟାଣକୁ ପ୍ରାଥମିକତା ଦେଉଛୁ: ପ୍ରଧାନମନ୍ତ୍ରୀ
● ଆମେ ପିଏମ- ଜନମନ ଜରିଆରେ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରୁଛୁ : ପ୍ରଧାନମନ୍ତ୍ରୀ
● ଦେଶର ୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରି ନବ-ମଧ୍ୟବିତ୍ତ ଶ୍ରେଣୀର ଅଂଶବିଶେଷ ହୋଇଛନ୍ତି, ଆଜି ସେମାନଙ୍କ ଆକାଂକ୍ଷା ହେଉଛି ରାଷ୍ଟ୍ରର ପ୍ରଗତିର ସବୁଠାରୁ ଶକ୍ତିଶାଳୀ ମୂଳଦୁଆ : ପ୍ରଧାନମନ୍ତ୍ରୀ
● ମଧ୍ୟମ ବର୍ଗ ଆତ୍ମବିଶ୍ୱାସୀ ଏବଂ ଭାରତର ବିକାଶ ଯାତ୍ରାକୁ ଆଗେଇ ନେବା ପାଇଁ ସଂକଳ୍ପବଦ୍ଧ : ପ୍ରଧାନମନ୍ତ୍ରୀ
● ଆମେ ସାରା ଦେଶରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦେଇଛୁ : ପ୍ରଧାନମନ୍ତ୍ରୀ
● ଆଜି ବିଶ୍ୱ ଭାରତର ଆର୍ଥିକ ସାମର୍ଥ୍ୟକୁ ସ୍ୱୀକାର କରୁଛି : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇଛନ୍ତି । ଗୃହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭାରତର ସଫଳତା, ଭାରତଠାରୁ ବିଶ୍ୱର ଆଶା ଏବଂ ଏକ ବିକଶିତ ଭାରତ ନିର୍ମାଣରେ ସାଧାରଣ ଜନତାଙ୍କ ଆତ୍ମବିଶ୍ୱାସ ସାମିଲ ଥିଲା । ସେ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଭାଷଣ ପ୍ରେରଣାଦାୟୀ, ପ୍ରଭାବଶାଳୀ ଏବଂ ଭବିଷ୍ୟତର କାର୍ଯ୍ୟ ପାଇଁ ମାର୍ଗଦର୍ଶନ ପ୍ରଦାନ କରିଛି । ଏହି ଅଭିଭାଷଣ ପାଇଁ ସେ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ୭୦ରୁ ଅଧିକ ମାନ୍ୟବର ସାଂସଦ ସେମାନଙ୍କ ମୂଲ୍ୟବାନ ବିଚାର ଦ୍ୱାରା ଧନ୍ୟବାଦ ପ୍ରସ୍ତାବକୁ ସମୃଦ୍ଧ କରିଛନ୍ତି । ସେ ଉଲ୍ଲେଖ କରିଥିଲେ ଯେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା, ଯେଉଁଥିରେ ସମସ୍ତେ ନିଜ ବିଚାର ଆଧାରରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବୁଝାଇଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ‘ସବକା ସାଥ, ସବକା ବିକାଶ’ ବିଷୟରେ ଅନେକ କଥା କୁହାଯାଇଛି ଏବଂ ଏଥିରେ ଜଡ଼ିତ ଜଟିଳତାକୁ ବୁଝିବା ତାଙ୍କ ପାଇଁ କଷ୍ଟକର ଥିଲା । ସେ ଗୁରୁତ୍ୱାରୋପ କରିଥିଲେ ଯେ ‘ସବକା ସାଥ୍, ସବକା ବିକାଶ’ ହେଉଛି ଆମର ସାମୂହିକ ଦାୟିତ୍ୱ ଏବଂ ସେଥିପାଇଁ ଦେଶ ସେମାନଙ୍କୁ ସେବା କରିବାର ସୁଯୋଗ ଦେଇଛି । ୨୦୧୪ ମସିହାରୁ ନିରନ୍ତର ଭାବେ ସେମାନଙ୍କୁ ସେବା କରିବାର ସୁଯୋଗ ଦେଇଥିବାରୁ ଭାରତର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇ ଶ୍ରୀ ମୋଦୀ କହିଥିଲେ ଯେ, ଏହା ଆମ ବିକାଶ ମଡେଲର ଏକ ପ୍ରମାଣ, ଯାହାକୁ ଲୋକମାନେ ପରୀକ୍ଷା କରିଛନ୍ତି, ବୁଝିଛନ୍ତି ଏବଂ ସମର୍ଥନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ରାଷ୍ଟ୍ର ପ୍ରଥମ’ ମନ୍ତ୍ର ସେମାନଙ୍କ ବିକାଶ ମଡେଲକୁ ସୂଚିତ କରେ ଏବଂ ସରକାରଙ୍କ ନୀତି, ଯୋଜନା ଏବଂ କାର୍ଯ୍ୟରେ ଏହାର ଉଦାହରଣ ରହିଛି । ସ୍ୱାଧୀନତା ପରେ ୫-୬ ଦଶନ୍ଧିର ଦୀର୍ଘ ବିରତି ପରେ ଶାସନ ଏବଂ ପ୍ରଶାସନର ବିକଳ୍ପ ମଡେଲର ଆବଶ୍ୟକତା ରହିଥିଲା ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ ତୁଷ୍ଟିକରଣ ପରିବର୍ତ୍ତେ ସନ୍ତୁଷ୍ଟିକରଣ ଆଧାରରେ ୨୦୧୪ ମସିହାରୁ ଦେଶକୁ ବିକାଶର ଏକ ନୂତନ ମଡେଲ ଦେଖିବାର ସୁଯୋଗ ମିଳିଛି । ଦେଶରେ ଯେତେବେଳେ ସଂରକ୍ଷଣ ପ୍ରସଙ୍ଗ ଉଠିଛି, ସେତେବେଳେ ଏହି ସମସ୍ୟାର ଦୃଢ଼ ସମାଧାନ ପାଇଁ ପ୍ରୟାସ କରାଯାଇନାହିଁ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ ଯେ ପ୍ରତ୍ୟେକ କ୍ଷେତ୍ରରେ ଦେଶକୁ ବିଭାଜନ କରିବା, ଉତ୍ତେଜନା ସୃଷ୍ଟି କରିବା ଏବଂ ପରସ୍ପର ବିରୋଧରେ ଶତ୍ରୁତା ସୃଷ୍ଟି କରିବାର ଉପାୟ ଗ୍ରହଣ କରାଯାଇଛି । ସେ କହିଥିଲେ, ଦେଶ ସ୍ୱାଧୀନତା ହାସଲ କରିବା ପରେ ମଧ୍ୟ ସମାନ ଆଭିମୁଖ୍ୟ ବ୍ୟବହାର କରାଯାଇଥିଲା । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରଥମ ଥର ପାଇଁ ତାଙ୍କ ସରକାର ‘ସବକା ସାଥ୍, ସବକା ବିକାଶ’ମନ୍ତ୍ର ଦ୍ୱାରା ଅନୁପ୍ରାଣିତ ହୋଇ ଏକ ମଡେଲ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କ ପାଇଁ କୌଣସି ଚାପ କିମ୍ବା ଭେଦଭାବ ବିନା ପ୍ରାୟ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯାଇଛି । ସେ କହିଥିଲେ ଯେ ଏହି ନିଷ୍ପତ୍ତିକୁ ଏସ୍.ସି., ଏସ୍.ଟି. ଏବଂ ଓ.ବି.ସି. ସମ୍ପ୍ରଦାୟ ସ୍ୱାଗତ କରିଛନ୍ତି ଏବଂ କେହି କୌଣସି ଅସନ୍ତୋଷ ବ୍ୟକ୍ତ କରିନାହାନ୍ତି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ‘ସବକା ସାଥ୍, ସବକା ବିକାଶ’ ମନ୍ତ୍ର ଉପରେ ଆଧାରିତ ଏହି କାର୍ଯ୍ୟାନ୍ୱୟନ ପଦ୍ଧତି ସୁସ୍ଥ ଏବଂ ଶାନ୍ତିପୂର୍ଣ୍ଣ ଢଙ୍ଗରେ କାର୍ଯ୍ୟକାରୀ ହୋଇଥିଲା, ଯାହାଦ୍ୱାରା ଏହି ନିଷ୍ପତ୍ତିକୁ ଦେଶବ୍ୟାପୀ ସ୍ୱୀକୃତି ମିଳିଥିଲା । ‘‘ଭାରତର ପ୍ରଗତି ନାରୀ ଶକ୍ତି ଦ୍ୱାରା ପରିଚାଳିତ’’ ବୋଲି ଶ୍ରୀ ମୋଦୀ ଅଭିହିତ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଯଦି ମହିଳାମାନଙ୍କୁ ସୁଯୋଗ ଦିଆଯାଏ ଏବଂ ସେମାନେ ନୀତି ନିର୍ଦ୍ଧାରଣର ଅଂଶବିଶେଷ ହୁଅନ୍ତି, ତେବେ ଏହା ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିପାରିବ । ଏହି କାରଣରୁ ନୂତନ ସଂସଦରେ ସରକାରଙ୍କ ପ୍ରଥମ ନିଷ୍ପତ୍ତି ନାରୀ ଶକ୍ତିର ସମ୍ମାନ ପାଇଁ ଉତ୍ସର୍ଗୀକୃତ ବୋଲି ସେ କହିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ନୂତନ ସଂସଦ କେବଳ ଏହାର ଉପସ୍ଥିତି ପାଇଁ ନୁହେଁ, ବରଂ ଏହାର ପ୍ରଥମ ନିଷ୍ପତ୍ତି ପାଇଁ ସ୍ମରଣୀୟ ହୋଇ ରହିବ, ଯାହା ନାରୀ ଶକ୍ତିକୁ ସମ୍ମାନ ଦେଇଥିଲା । ସେ କହିଥିଲେ ଯେ ନୂତନ ସଂସଦକୁ ପ୍ରଶଂସା ଉଦ୍ଦେଶ୍ୟରେ ଭିନ୍ନ ଢଙ୍ଗରେ ଉଦଘାଟନ କରାଯାଇ ପାରିଥାଆନ୍ତା, କିନ୍ତୁ ଏହାକୁ ମହିଳାମାନଙ୍କ ସମ୍ମାନ ପାଇଁ ଉତ୍ସର୍ଗୀକୃତ କରାଗଲା । ସେ ଉଲ୍ଲେଖ କରିଥିଲେ ଯେ ନାରୀ ଶକ୍ତିର ଆଶୀର୍ବାଦରେ ସଂସଦ ନିଜର କାର୍ଯ୍ୟ ଆରମ୍ଭ କରିଛି । ଗରିବ ଏବଂ ଅବହେଳିତଙ୍କ କଲ୍ୟାଣ ପ୍ରତି ନିଜର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଯେଉଁମାନଙ୍କୁ ଅଣଦେଖା କରାଯାଉଥିଲା ସେମାନଙ୍କୁ ଏବେ ପ୍ରାଥମିକତା ଦିଆଯାଉଛି । ବର୍ତ୍ତମାନର ବଜେଟରେ ଚମଡ଼ା ଏବଂ ଜୋତା ଶିଳ୍ପ ଭଳି ବିଭିନ୍ନ କ୍ଷୁଦ୍ର କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଛି, ଯାହାଦ୍ୱାରା ଗରିବ ଏବଂ ଅବହେଳିତ ସମ୍ପ୍ରଦାୟ ଉପକୃତ ହେଉଛନ୍ତି । ଏକ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଖେଳଣା ଶିଳ୍ପ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ଅବହେଳିତ ସମ୍ପ୍ରଦାୟର ଅନେକ ଲୋକ ଖେଳଣା ତିଆରି ସହିତ ଜଡ଼ିତ ଅଛନ୍ତି । ଗରିବ ପରିବାରକୁ ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ କରି ସରକାର ଏହି କ୍ଷେତ୍ର ଉପରେ ଧ୍ୟାନ ଦେଇଛନ୍ତି । ଫଳସ୍ୱରୂପ ଖେଳଣା ରପ୍ତାନୀରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି, ଯାହା ତିନିଗୁଣ ବୃଦ୍ଧି ପାଇଛି, ଯାହାଦ୍ୱାରା ଜୀବିକା ନିର୍ବାହ ପାଇଁ ଏହି ଶିଳ୍ପ ଉପରେ ନିର୍ଭର କରୁଥିବା ଅବହେଳିତ ସମ୍ପ୍ରଦାୟମାନେ ଉପକୃତ ହେଉଛନ୍ତି । ଜାତିବାଦର ବିଷ ବିସ୍ତାର କରିବା ପାଇଁ ନୂତନ ପ୍ରୟାସ କରାଯାଉଛି, ଯାହା ବିଭିନ୍ନ ସ୍ତରରେ ଆମର ଆଦିବାସୀ ସମ୍ପ୍ରଦାୟକୁ ପ୍ରଭାବିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ ବିଶେଷ ଭାବେ ଆଲୋକପାତ କରିଥିଲେ ଯେ କେତେକ ସମ୍ପ୍ରଦାୟର ଜନସଂଖ୍ୟା ବହୁତ କମ୍, ଦେଶର ବିଭିନ୍ନ ସ୍ଥାନରେ ସେମାନେ ବ୍ୟାପି ରହିଛନ୍ତି ଏବଂ ସେମାନଙ୍କୁ ଅତ୍ୟଧିକ ଅଣଦେଖା କରାଯାଉଛି । ଏହି ସମ୍ପ୍ରଦାୟଗୁଡ଼ିକ ବିଷୟରେ ଗଭୀର ଜ୍ଞାନ ରଖିଥିବା ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ ପାଇଁ ସେ କୃତଜ୍ଞତା ବ୍ୟକ୍ତ କରିଥିଲେ । ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଏହି ଅତି ଆପଦଗ୍ରସ୍ତ ଆଦିବାସୀ ସମ୍ପ୍ରଦାୟଗୁଡ଼ିକୁ ନିର୍ଦ୍ଦିଷ୍ଟ ଯୋଜନାରେ ସାମିଲ କରିବା ଲାଗି ସ୍ୱତନ୍ତ୍ର ପ୍ରୟାସ କରାଯାଇଛି । ଏହି ସମ୍ପ୍ରଦାୟଗୁଡ଼ିକ ପାଇଁ ସୁବିଧା ଏବଂ କଲ୍ୟାଣମୂଳକ ପଦକ୍ଷେପ ପ୍ରଦାନ କରିବା ପାଇଁ ୨୪,୦୦୦ କୋଟି ଟଙ୍କା ଆବଣ୍ଟନ ସହିତ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ପ୍ରବର୍ତ୍ତନ ବିଷୟରେ ସେ ଉଲ୍ଲେଖ କରିଥିଲେ । ଲକ୍ଷ୍ୟ ହେଉଛି ସେମାନଙ୍କୁ ଅନ୍ୟ ଆଦିବାସୀ ସମ୍ପ୍ରଦାୟର ସ୍ତରକୁ ଉନ୍ନୀତ କରିବା ଏବଂ ଶେଷରେ ସେମାନଙ୍କୁ ସମଗ୍ର ସମାଜ ସହିତ ସମାନ କରିବା । ଗରିବଙ୍କ ସଶକ୍ତିକରଣ ଏବଂ ସେମାନଙ୍କ ଉନ୍ନତି ତାଙ୍କ ସରକାରଙ୍କ କାର୍ଯ୍ୟକାଳ ଭଳି ଏତେ ବ୍ୟାପକ କାମ କେବେ ହୋଇନଥିବା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସରକାର ଗରିବଙ୍କୁ ସଶକ୍ତ କରିବା ଏବଂ ଦାରିଦ୍ର୍ୟ ଦୂରୀକରଣ ଉଦ୍ଦେଶ୍ୟରେ ଯୋଜନାମାନ ପ୍ରସ୍ତୁତ କରିଛନ୍ତି । ସେ ଦେଶର ଗରିବମାନଙ୍କ ସାମର୍ଥ୍ୟ ଉପରେ ନିଜର ବିଶ୍ୱାସ ବ୍ୟକ୍ତ କରି କହିଥିଲେ ଯେ ସୁଯୋଗ ମିଳିଲେ ସେମାନେ ଯେକୌଣସି ଆହ୍ୱାନକୁ ଅତିକ୍ରମ କରିପାରିବେ । ସେ ଗୁରୁତ୍ୱାରୋପ କରିଥିଲେ ଯେ ଗରିବମାନେ ଏହି ଯୋଜନା ଏବଂ ସୁଯୋଗର ଲାଭ ଉଠାଇ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିଛନ୍ତି । ‘‘ସଶକ୍ତିକରଣ ମାଧ୍ୟମରେ ୨୫ କୋଟି ଲୋକ ସଫଳତାର ସହ ଦାରିଦ୍ର୍ୟରୁ ବାହାରିଛନ୍ତି, ଯାହା ସରକାରଙ୍କ ପାଇଁ ଗର୍ବର ବିଷୟ’’ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଯେଉଁମାନେ ଦାରିଦ୍ର୍ୟରୁ ବାହାରିଛନ୍ତି, ସେମାନେ କଠିନ ପରିଶ୍ରମ, ସରକାରଙ୍କ ଉପରେ ବିଶ୍ୱାସ ଏବଂ ଯୋଜନାର ଲାଭ ଉଠାଇ ଏହା କରିଛନ୍ତି ଏବଂ ଆଜି ସେମାନେ ଦେଶରେ ଏକ ନବ-ମଧ୍ୟବିତ୍ତ ଶ୍ରେଣୀ ଗଠନ କରିଛନ୍ତି । ନବ-ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ବର୍ଗଙ୍କ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ଆକାଂକ୍ଷା ହେଉଛି ଦେଶର ପ୍ରଗତି ପାଇଁ ଏକ ପ୍ରେରକ ଶକ୍ତି, ଯାହା ନୂତନ ଶକ୍ତି ଏବଂ ଜାତୀୟ ବିକାଶ ପାଇଁ ଏକ ଦୃଢ଼ ମୂଳଦୁଆ ପ୍ରଦାନ କରିଥାଏ । ସେ ମଧ୍ୟବିତ୍ତ ଏବଂ ନବ ମଧ୍ୟବିତ୍ତ ଶ୍ରେଣୀର ସାମର୍ଥ୍ୟ ବୃଦ୍ଧି ଲାଗି ପ୍ରୟାସ ଉପରେ ଆଲୋକପାତ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଚଳିତ ବଜେଟରେ ମଧ୍ୟବିତ୍ତ ଶ୍ରେଣୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ଟିକସ ମୁକ୍ତ କରାଯାଇଛି । ୨୦୧୩ରେ ଆୟକର ଛାଡ଼ ସୀମା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା, କିନ୍ତୁ ଏବେ ଏହାକୁ ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ୭୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ଯେକୌଣସି ବର୍ଗ କିମ୍ବା ସମ୍ପ୍ରଦାୟର ବ୍ୟକ୍ତି ଆୟୁଷ୍ମାନ ଭାରତ ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି, ଯେଉଁଥିରେ ମଧ୍ୟମ ବର୍ଗର ବୟସ୍କମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁବିଧା ରହିଛି । ଏକ ବିକାଶଶୀଳ ରାଷ୍ଟ୍ରକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ଭିତ୍ତିଭୂମିର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଦେଶର ବିକାଶ ପାଇଁ ଉଭୟ କଲ୍ୟାଣକାରୀ ଯୋଜନା ଏବଂ ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଥିଲେ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ବିଳମ୍ବ ଯୋଗୁଁ ଟିକସଦାତାଙ୍କ ଅର୍ଥ ଅପଚୟ ହୋଇଥାଏ ଏବଂ ଦେଶ ଏହାର ଲାଭରୁ ବଞ୍ଚିତ ହୋଇଥାଏ । ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ବିଳମ୍ବ ଏବଂ ରାଜନୈତିକ ହସ୍ତକ୍ଷେପର ସଂସ୍କୃତି ରହିଥିବା ପୂର୍ବବର୍ତ୍ତୀ ବ୍ୟବସ୍ଥାଗୁଡ଼ିକୁ ସମାଲୋଚନା କରି ଶ୍ରୀ ମୋଦୀ ପ୍ରଗତି ପ୍ଲାଟଫର୍ମ ପ୍ରତିଷ୍ଠା ବିଷୟରେ ଉଲ୍ଲେଖ କରିଥିଲେ, ଯାହାକୁ ସେ ବ୍ୟକ୍ତିଗତ ଭାବେ ସମୀକ୍ଷା କରନ୍ତି, ଯେଉଁଥିରେ ଡ୍ରୋନ ବ୍ୟବହାର କରି ରିଅଲ୍ ଟାଇମ୍ ଭିଡିଓଗ୍ରାଫି ଏବଂ ଅଂଶୀଦାରମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା ସମେତ ଭିତ୍ତିଭୂମି ପ୍ରକଳ୍ପର ବିସ୍ତୃତ ତଦାରଖ ଅନ୍ତର୍ଭୁକ୍ତ । ଜାମ୍ମୁ-କାଶ୍ମୀରରେ ଉଧମପୁର-ଶ୍ରୀନଗର-ବାରାମୁଲା ରେଳ ଲାଇନ ସମ୍ପୂର୍ଣ୍ଣ ହେବା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପ୍ରକଳ୍ପ ୧୯୯୪ ମସିହାରେ ଅନୁମୋଦିତ ହୋଇଥିଲା, କିନ୍ତୁ ଦଶନ୍ଧି ଦଶନ୍ଧି ଧରି ଅଟକି ରହିଥିଲା । ଶେଷରେ, ତିନି ଦଶନ୍ଧି ପରେ, ଏହା ୨୦୨୫ରେ ସମ୍ପୂର୍ଣ୍ଣ ହୋଇଥିଲା ବୋଲି ସେ କହିଛନ୍ତି । ନରେନ୍ଦ୍ର ମୋଦୀ ଓଡ଼ିଶାରେ ହରିଦାସପୁର-ପାରାଦୀପ ରେଳ ଲାଇନ ସମ୍ପୂର୍ଣ୍ଣ ହେବା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଏହି ପ୍ରକଳ୍ପକୁ ୧୯୯୬ରେ ମଞ୍ଜୁରି ମିଳିଥିଲା, କିନ୍ତୁ ଏହା ବର୍ଷ ବର୍ଷ ଧରି ଅଟକି ରହିଥିଲା, ଯାହା ଶେଷରେ ବର୍ତ୍ତମାନର ପ୍ରଶାସନ ସମୟରେ ୨୦୧୯ରେ ସମ୍ପୂର୍ଣ୍ଣ ହୋଇଥିଲା । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତର ଆର୍ଥିକ ସାମର୍ଥ୍ୟ ଏବଂ ଦ୍ରୁତ ଅଭିବୃଦ୍ଧିର ବର୍ତ୍ତମାନର ବୈଶ୍ୱିକ ସ୍ୱୀକୃତି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଆଣିଥାଏ । ‘‘ଭାରତକୁ ବର୍ତ୍ତମାନ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଭାବେ ବିବେଚନା କରାଯାଉଛି, ଏବଂ ଦେଶର ଅର୍ଥବ୍ୟବସ୍ଥା ଉଲ୍ଲେଖନୀୟ ଭାବେ ସମ୍ପ୍ରସାରିତ ହେଉଛି’’, ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ ।