କୋଶଲି ଭାଷା ସାହିତ୍ୟ ଗବେଷକ ରାମଭକ୍ତ ଫରିକାର ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତୁଲସୀନଗର ନିବାସୀ କୋଶଲି ଭାଷା ସାହିତ୍ୟ ଗବେଷକ ରାମଭକ୍ତ ଫରିକାର(୭୦) ଆଉ ନାହାନ୍ତି । ଆଉ ଶୁଣିବାକୁ ମିଳିବନି ରାମଭକ୍ତଙ୍କ ପାଟିରୁ ବଡ ଜୋର୍‌ରେ ‘ଜୟ କୋଶଲ’ ନାରା । ଆଜି ଅପରାହ୍ଣରେ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ଘଟିଛି । ଜଣେ ଭାଷା ପ୍ରେମୀ ଭାବରେ ସାରା ପଶ୍ଚିମ ଓଡିଶାରେ ତାଙ୍କ ସୁନାମ ରହିଥିଲା । ତାଙ୍କ ଯୁବକ ଅବସ୍ଥାରୁ କୋଶଲି ଭାଷା ସାହିତ୍ୟ ଦିଗରେ ଆନ୍ତରିକତାର ସହ ସେ କାମ କରୁଥିଲେ । ଆଗାମୀ ପୀଢିର ସାହିତ୍ୟିକମାନଙ୍କ ମଧ୍ୟରେ କୋଶଲି ଭାଷାକୁ ଭଲ ପାଇବାର ମଞ୍ଜି ରୋପଣ କରିଥିଲେ । ରାମଭକ୍ତ ଫରିକାରଙ୍କ ପ୍ରଚେଷ୍ଟାରେ ୮୦ ଦଶକ ବେଳକୁ ‘ହକୁଆ’ ନାମରେ ଏକ ପତ୍ରିକା ବର୍ଷ ବର୍ଷ ଧରି ପ୍ରକାଶିତ ହୋଇ ପାରିଥିଲା, ଯାହା କୋଶଲି ଭାଷା ଆନ୍ଦୋଳନକୁ ଅସଲ୍‌ ଖୋରାକ୍‌ ପ୍ରଦାନ କରିଥିଲା । ପଶ୍ଚିମ ଓଡିଶାର ଶତାଧିକ ସାହିତ୍ୟ ଅନୁଷ୍ଠାନରୁ ସେ ସମ୍ବର୍ଦ୍ଧିତ ହୋଇଥିବା ବେଳେ ସମସ୍ତଙ୍କୁ ଭଲ ପାଇବାର ନିଆରା ଭାବର ମଣିଷ ଥିଲେ ରାମଭକ୍ତ । ତାଙ୍କ କବିତା ପୁସ୍ତକ ‘ବେନ୍ଦେର ଫୁଲ୍‌’, ‘ପେମେଇ ଋତୁ’ ବେଶ ପାଠକୀୟ ଆଦୃତି ଲାଭ କରିଥିଲା । ଅବେଳରେ ତାଙ୍କ ଚାଲିଯିବା କୋଶଲି ଭାଷା ପ୍ରେମୀ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଆଉ କିଛି ସମୟ ମଧ୍ୟରେ ଆର୍‌ଟିଓ ଛକ ନିକଟସ୍ଥ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.