ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ଫୁଟ୍ବଲ୍ ଖେଳାଳି ଲକ୍ଷ୍ମୀନାରାୟଣ ମଲ୍ଲିକ(୮୫) ଆଉ ନାହାନ୍ତି । ସୂଚନା ଅନୁସାରେ ଗତକାଲି ଅପରାହ୍ନ ୫ଟା ୫୫ ମିନିଟ୍ରେ ସ୍ଥାନୀୟ ଆନନ୍ଦନଗର ସ୍ଥିତ ତାଙ୍କ ବାସଭବନ ‘ପ୍ରତୀକ୍ଷା ଭବନ’ରେ ତାଙ୍କ ଦେହାବସାନ ଘଟିଛି । ସେ ସମବାୟ ବିଭାଗର ପଦସ୍ଥ ଅଧିକାରୀ ଭାବରେ ସେବା ପ୍ରଦାନ କରି ଅବସର ଗ୍ରହଣ କରିଥିଲେ । ତାଙ୍କ ଛାତ୍ର ସମୟରେ ରାଜେନ୍ଦ୍ର ମହାବିଦ୍ୟାଳୟର ଜଣେ ଅଗ୍ରଗମ୍ୟ ଫୁଟ୍ବଲ୍ ଖେଳାଳି ଭାବେ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ପାଖରେ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ଚାରି ପୁତ୍ର ଏବଂ ଏକମାତ୍ର ଝିଅ ଉପସ୍ଥିତ ଥିଲେ । ତାଙ୍କ ଜ୍ୟେଷ୍ଠପୁତ୍ର ଅମୀୟ ମଲ୍ଲିକ ମୁଖାଗ୍ନି ଦେଇଥିବା ବେଳେ ସ୍ଥାନୀୟ ବିଭୂତିପଡା ସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ଚାଲିଥିବା ନେଇ ସୂଚନା ମିଳିଛି । ସହରର ବହୁ ବିଶିଷ୍ଠ ବ୍ୟକ୍ତି ଓ ବୁଦ୍ଧିଜୀବୀ ତାଙ୍କ ମର ଶରୀରକୁ ଶେଷ ଦର୍ଶନ କରିବା ସହ ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇଛନ୍ତି । ସେ ଜଣେ ନିରାମଣ, ମେଳାପୀ, ପରୋପକାରୀ, ମିଷ୍ଠଭାଷୀ, ବନ୍ଧୁବତ୍ସଳ, କର୍ମନିଷ୍ଠ ବ୍ୟକ୍ତି ଭାବରେ ସାରା ବଲାଙ୍ଗିର ଜିଲ୍ଲାରେ ସୁନାମ ଅର୍ଜନ କରିଥିଲେ । ତାଙ୍କ ଦେହାନ୍ତରେ ବଲାଙ୍ଗିର ସହର ତଥା ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।