centurian jitm

ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ପାଳିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କରୋନା କଟକଣା ଯୋଗୁଁ କୋଭିଡ ନିର୍ଦ୍ଦେଶାବଳୀ ଅନୁସାରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସହରରେ ରାମଧ୍ୱନ ପ୍ରଚାର କରାଯାଇଥିଲା । ସକାଳ ଘ.୭.୩୦ ମି. ସମୟରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସକାଳ ଘ.୭.୪୫ମି. ଠାରୁ ଗାନ୍ଧୀନଗରପଡା ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, କଚେରୀ ଛକ ସ୍ଥିତ ଡ. ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି, ଗାନ୍ଧୀ ଭବନ ସମ୍ମୁଖସ୍ଥ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଶିଶୁ ଉଦ୍ୟାନ ନିକଟସ୍ଥ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଚଂଚଳ ରାଣା, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ମହେନ୍ଦ୍ର କୁମାର ମହାପାତ୍ରଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ପୂର୍ବାହ୍ନ ଘ.୯.୧୫ ମି. ସମୟରେ ମନୋହରପୁର ରିଜର୍ଭ ପୋଲିସ ପଡିଆରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ସମାରୋହରେ ଜଙ୍ଗଲ , ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ,ପଂଚାୟତରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପାତାକ ଉତ୍ତୋଳନ କରିଥିଲେ ।

ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଯେଉଁ ମହାପୁରୁଷ ମାନେ ଦେଶ ତଥା ଜାତି ଉଦ୍ଦେଶ୍ୟରେ ଭାରତ ବର୍ଷର ସ୍ୱାଧୀନତା ପାଇଁ ନିଜ ଜୀବନକୁ୍‌ ଉତ୍ସର୍ଗ କରିଯାଇଛନ୍ତି ସେହି ମହାମନିଷୀ ମାନଙ୍କୁ ଶ୍ରଦ୍ଧାଂଜଳି ଜଣାଇବା ସହ ସ୍ୱାଧୀନତା ସଂଗ୍ରାମରେ ବଲାଙ୍ଗିର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନକୁ ସ୍ମରଣ କରି ଶ୍ରଦ୍ଧାଂଜଳି ଜଣାଇଥିଲେ । ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନ, ଲୋକ ସଂସ୍କୃତି, ଲୋକକଳା, ଲୋକନୃତ୍ୟ, କୁଟୀର ଶିଳ୍ପର ଏକ ସ୍ୱତନ୍ତ୍ର ପରିଚୟ ରହିଛି ବୋଲି ଉଲ୍ଲେଖ କରିବା ସହିତ ଏହାର ପ୍ରଚାର ପସାର ଦିଗରେ ଜିଲ୍ଲାବାସୀଙ୍କ ପ୍ରଚେଷ୍ଟା ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ । ବଲାଙ୍ଗିର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ସରାକରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ବହୁବିଧ ବିକାଶ ମୂଳକ ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ସୂଚନା ଦେଇ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ, ବଲାଙ୍ଗିରରେ ଅତ୍ୟାଧୁନିକ ବସ୍‌ ଟର୍ମିନାଲ, ଦାଦନ ପ୍ରବଣ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ପ୍ରବର୍ତ୍ତିତ ମନରେଗା ଯୋଜନା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ସହାୟତା, ବ୍ଲକ ଓ ଜିଲ୍ଲା ସ୍ତରରେ ନିର୍ମାଣ କରାଯାଉଥିବା ମିଶନ ଶକ୍ତି ଭବନର ନିର୍ମାଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଯ୍ୟକ୍ରମ, ହରି ଶଙ୍କର ପର୍ଯ୍ୟଟସ୍ଥଳୀର ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିକାଶ ମୂଳକ କାର୍ଯ୍ୟ, ବୃହତ ପାନୀୟ ଜଳ ପ୍ରକଳ୍ପ ସକାଶେ ବଲାଙ୍ଗିର ଜିଲ୍ଲା ନିମନ୍ତେ ୧୦ ଗୋଟି ପାନୀୟ ଜଳ ପ୍ରକଳ୍ପ ପାଇଁ ୧୧୭୫.୪୧କୋଟି ଟଙ୍କାର ବ୍ୟବସ୍ଥା, କ୍ରୀଡା ଭିତ୍ତି ଭୂମି ଇତ୍ୟାଦି ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ । ରାଜ୍ୟକୁ ଏକ ବିକଶିତ ରାଜ୍ୟ କରିବା ପାଇଁ ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳ ସେଚନ, ଗମନାଗମନ, ପାନୀୟ ଜଳ ଯୋଗାଣ, ପରିବେଶ ସୁରକ୍ଷା ଓ ବିଦ୍ୟୁତ ଆଦି କ୍ଷେତ୍ରରେ ଅନେକ ବିକାଶ ମୂଳକ ଓ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରିଥିଲେ । ରାଜ୍ୟର ସମାଗ୍ରିକ ବିକାଶର ଚିତ୍ର ସର୍ବ ଭାରତୀୟ ସ୍ତରରେ ଆମ ପାଇଁ ଅନେକ ଗର୍ବ ଓ ଗୌରବ ଆଣି ଦେଇଛି ବୋଲି ସେ କହିଥିଲେ ।

କୋଭିଡ କଟକଣା ଯୋଗୁଁ ଜିଲ୍ଲା ସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ଉତ୍ସବରେ କେବଳ ଏପିଆର୍‌ ଓ ହୋମଗାର୍ଡ ଦୁଇ ଗୋଟି ପ୍ଲାଟୁନ ଅଂଶ ଗ୍ରହଣ କରି ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇଥଲେ । ପୋଲିସ ବ୍ୟାଣ୍ଡ ପାର୍ଟି ଜାତୀୟ ସଂଗୀତ ବାଦନ କରିଥିଲେ । ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଆଶା, ଅଙ୍ଗନବାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱଚ୍ଛ କର୍ମୀ ଓ ଗୁଡ୍‌ ସମରିତାନ୍‌ଙ୍କୁ ମନ୍ତ୍ରୀ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଉତ୍ତମ ଆଶା କର୍ମୀଭାବେ ଚନ୍ଦ୍ରକାନ୍ତି ବାଗ, ମୋହିନୀ ଭୋଇ, କାନନ ବାଳା ଦତ୍ତ, ଅଙ୍ଗନୱାଡି କର୍ମୀ ଭାବେ ମଂଜୁଲତା ନାୟକ, କୋଶଲ୍ୟା ନାଗ, ନିରିମା ସେନାପତି, ଏସ୍‌ଏଚ୍‌ଜି ଭାବେ ସତିଘାଟର ଅନପୂର୍ଣ୍ଣା ଏସ୍‌ଏଚ୍‌ଜି, ତେଣ୍ଡାପଦରର ସମଲେଇଶ୍ୱରୀ ଏସ୍‌ଏଚ୍‌ଜି, ତୁସ୍ତାପାଲିର ମାଁ ମଙ୍ଗଳା ଏସ୍‌ଏଚ୍‌ଜି, ସ୍ୱଚ୍ଛ କର୍ମୀଭାବେ ବଲାଙ୍ଗିରର ସ୍ୱର୍ଗତ ଚୈତନ୍ୟ ଭରାସାଗର, ତୁଷୁରାର ସଂଜୟ କୁମ୍ଭାର, ପାଟଣାଗଡର କୁଶ କୁମ୍ଭାର, ଟିଟିଲାଗଡର ରୂପେଶ ଡୁଙ୍ଗୁରୀ ଓ କଂଟାବାଂଜିର ଉପେନ୍ଦ୍ର ଭରାସାଗର ଏବଂ ଗୁଡ୍‌ ସମାରିତାନ୍‌ ଭାବେ କଂଟାବାଂଜିର ଶାନ୍ତନୁ ବିଭାର ମୁଖ୍ୟ ଅତିଥିଙ୍କ ଠାରୁ ଟ୍ରଫି ଓ ମାନପତ୍ର ଗ୍ରହଣ କରିଥିଲେ । ଅଭିବାଦନ ମଂଚରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲାପାଳ ଚଂଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଉପସ୍ଥିତ ଥିବା ବେଳେ ସମାରୋହରେ କୋଭିଡ ଯୋଦ୍ଧା, ସରକାରୀ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.