ସ୍ୱଚ୍ଛତା ୩.୦ ଅଭିଯାନରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ରଦ୍ଦି ସାମଗ୍ରୀ(ସ୍କ୍ରାପ) ବିକି ସରକାର ୧୧୭ କୋଟି ଟଙ୍କାରୁ ଅଧିକ ରାଜସ୍ୱ ଆୟ କରିଛନ୍ତି : ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ

• ଏହି ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୩.୦ ମାଧ୍ୟମରେ ପୁରୁଣା ସାମଗ୍ରୀ ଓ ଆବର୍ଜନା ହଟାଇ ସରକାରୀ କାର୍ଯ୍ୟାଳୟର ୩୨.୫୪ଲକ୍ଷ ବର୍ଗଫୁଟ ସ୍ଥାନକୁ ମୁକ୍ତ କରାଯାଉଛି; କହିଲେ ମନ୍ତ୍ରୀ ଡକ୍ଟର ସିଂହ
• ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକାରୀ ହେବାର ଦୁଇ ସପ୍ତାହ ପରେ ଏହାର ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ
• ସ୍ୱଚ୍ଛତାକୁ ଆନୁଷ୍ଠାନିକ ରୂପ ଦେବା ଏବଂ ପଡି ରହିଥିବା କାମକୁ ଯଥାଶୀଘ୍ର ଶେଷ କରିବା ପ୍ରୟାସରେ ସମଗ୍ର ଦେଶରେ ଅଭୂତପୂର୍ବ ଜନ ସହଯୋଗ ମିଳିଛି; ଦେଶର ୨.୨୭ ଲକ୍ଷ ସ୍ଥାନ ସ୍ୱଚ୍ଛତା ପାଇଁ ଚିହ୍ନଟ ହୋଇଛି
• ୨.୧୨ଲକ୍ଷରୁ ଅଧିକ ସାଧାରଣ ଅଭିଯୋଗର ସମାଧାନ କରାଯାଇଛି; ଏହି ୧୫ଦିନ ମଧ୍ୟରେ ସାଂସଦମାନଙ୍କର ୧୪୦୩ ପ୍ରଶ୍ନର ଉତ୍ତର ଦିଆଯାଇଥିବାବେଳେ ୧୭.୨୩ ଲକ୍ଷ ଫାଇଲ୍‌ର ସମୀକ୍ଷା କରାଯାଇଛି

ନୂଆଦିଲ୍ଲୀ, (ପିଆଇବି) : ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୩.୦କାଳରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ବିଭିନ୍ନ ପ୍ରକାର ଅଦରକାରୀ ରଦ୍ଦି ସାମଗ୍ରୀ ବିକ୍ରି କରି ସରକାର ୧୧୭କୋଟିରୁ ଅଧିକ ଟଙ୍କାର ରାଜସ୍ୱ ଆୟ କରିଛନ୍ତି ବୋଲି କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ,ଆଣବିକ ଶକ୍ତି ଓ ସାଧାରଣ ଅଭିଯୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ।
ଏବେ ଦେଶରେ ଚାଲିଥିବା ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୩.୦ କାର୍ଯ୍ୟକ୍ରମର ପ୍ରଥମ ଦୁଇ ସପ୍ତାହର କାର୍ଯ୍ୟ ସମୀକ୍ଷା କରିବା ପରେ ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ଏହି ସଫେଇ ଓ ସ୍ୱଚ୍ଛତା ଅଭିଯାନ ମାଧ୍ୟମରେ ବିଭିନ୍ନ ସରକାରୀ ଦପ୍ତରରୁ ଅଦରକାରୀ ସାମଗ୍ରୀ ଓ ଫାଇଲ ଆଦିକୁ ହଟାଯିବା ଫଳରେ ୩୨.୫୪ ଲକ୍ଷ ବର୍ଗ ଫୁଟ ସ୍ଥାନ ମୁକ୍ତ ହୋଇଛି । ସେହି ସ୍ଥାନକୁ ଅନ୍ୟ ଗଠନମୂଳକ କାମରେ ବିନିଯୋଗ କରିହେବ ।
ନୋଡାଲ ଏଜେନ୍ସି ଭାବେ ଏହି ଅଭିଯାନର ନେତୃତ୍ୱ ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ-ଡିଏଆର୍‌ପିଜି ନେଇଛି । ଏହି ବିଭାଗର କାମ ବେଶ୍ ଉଚ୍ଚକୋଟିର ବୋଲି ଦର୍ଶାଇ ଏହାକୁ ମନ୍ତ୍ରୀ ଡକ୍ଟର ସିଂହ ପ୍ରଶଂସା କରିଛନ୍ତି । ସେ ଏହି ଦୁଇ ସପ୍ତାହର ସ୍ୱଚ୍ଛତା ଅଭିଯାନର କାର୍ଯ୍ୟ ଆଜି ନୂଆଦିଲ୍ଳୀଠାରେ ସମୀକ୍ଷା କରିଥିଲେ । ସ୍ୱଚ୍ଛତାକୁ ଆନୁଷ୍ଠାନିକ ରୂପ ଦେବା ଓ ପଡି ରହିଥିବା ସରକାରୀ କାମ ବୋଝ ହ୍ରାସ କରିବାରେ ଯେଉଁ ପ୍ରଗତି ପରିଲକ୍ଷିତ ହୋଇଛି ତାହାକୁ ସେ ପ୍ରଶଂସା କରିଥିଲେ । ସାରା ଦେଶରେ ଏ କ୍ଷେତ୍ରରେ ଅଭୂତପୂର୍ବ ଜନ ସହଯୋଗ ପ୍ରକାଶ ପାଇଥିବା ଉଲ୍ଲେଖ କରି ମନ୍ତ୍ରୀ ଡକ୍ଟର ସିଂହ କହିଛନ୍ତି ଯେ ଦେଶର ସବୁ ସରକାରୀ ଅଫିସରେ ଏହି ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକାରୀ ହେଉଛି ଏବଂ ଏଥିରେ ଭଲ ପ୍ରଗତି ପରିଲକ୍ଷିତ ହେଉଛି । ସେ ଆହୁରି କହିଛନ୍ତି ଯେ ସବୁ ମନ୍ତ୍ରଣାଳୟ, ବିଭାଗର ଉତ୍ତମ ସହଯୋଗ ମିଳୁଛି । ଏଥିରେ ସବୁ ରାଷ୍ଟ୍ରୀୟତ୍ତଉଦ୍ୟୋଗ ଓ ପ୍ରାଦେଶିକ ଦପ୍ତରଗୁଡିକୁ ସାମିଲ କରି ସ୍ୱଚ୍ଛତା ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ମନ୍ତ୍ରୀ ଡକ୍ଟର ସିଂହ ଆହୁରି କହିଛନ୍ତି ଯେ ସମଗ୍ର ଦେଶର ମୋଟ ୧. ୪୭ ଲକ୍ଷ ସ୍ଥାନକୁ ବର୍ତ୍ତମାନ ସୁଦ୍ଧା ସଫା କରାଯାଇଛି । ଏସବୁ ମୁଖ୍ୟତଃ ସରକାରୀ ଅଫିସ । ଏହା ଫଳରେ ୩୨.୫୪ ଲକ୍ଷ ବର୍ଗଫୁଟ ସ୍ଥାନ ଖାଲି ହୋଇଛି । ଦେଶର ମୋଟ ୨.୨୭ ଲକ୍ଷ ସ୍ଥାନକୁ ସଫେଇ କରିବାକୁ ଚିହ୍ନଟ କରାଯାଇଛି । ସବୁ ବିଭାଗ ଓ ମନ୍ତ୍ରଣାଳୟର ଅଧିକାରୀ ଏବଂ କର୍ମଚାରୀମାନେ ଏଥିରେ ଉଲ୍ଲେଖନୀୟ ସହଯୋଗ ଯୋଗାଉଛନ୍ତି ।
ଏହି ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନର କାର୍ଯ୍ୟକୁ ମନ୍ତ୍ରୀ ଓ ସଚିବ ଗଣ ମଧ୍ୟ ସମୀକ୍ଷା କରିଛନ୍ତି । ଏହାକୁ ଆହୁରି ଅଧିକ ସଫଳ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି । ସ୍ୱଚ୍ଛତା ଅଭିଯାନର ପ୍ରଗତି ସମ୍ପର୍କରେ ଡିଏଆର୍‌ପିଜି ନିୟମିତ ସମୀକ୍ଷା କରୁଛି । ନୋଡାଲ ଏଜେନ୍ସି ଭାବେ ଏହା କାର୍ଯ୍ୟ କରୁଛିଏବଂ ଏହାର ସଚିବ ନିୟମିତ ପ୍ରଗତିର ସମୀକ୍ଷା କରୁଛନ୍ତି । ଏହାର ପ୍ରଗତି ସମ୍ପର୍କରେ ସାମାଜିକ ଗଣମାଧ୍ୟମକୁ ଏହି ବିଭାଗ ୪୫୦ ଟୁଇଟ୍ କରିଥିବାବେଳେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ମୋଟ ୬୦୦୦ ଟୁଇଟ୍ କରାଯାଇଛି । ସ୍ୱତନ୍ତ୍ର ଅଭିଯାନରେ ୪୫୦ ଇନ୍‌ଫୋଗ୍ରାଫ ଓ ୧୫୦ ପ୍ରେସ ଇସ୍ତାହାର ଗଣମାଧ୍ୟମକୁ ଦିଆଯାଇଛି ।
ବିଗତ ପନ୍ଦର ଦିନ ମଧ୍ୟରେ ୧, ୪୭, ୭୫୭ ସ୍ଥାନରେ ସଫେଇ କରାଯାଇଛି । ଏହାଛଡା ୧୭,୯୨,୬୩୦ ଫାଇଲର ସମୀକ୍ଷା କରାଯାଇ ତାହାକୁ ହଟାଯାଇଛି । ଏହା ଫଳରେ ସରକାରୀ ଦପ୍ତରରେ ୩୨,୫୪ ଲକ୍ଷ ବର୍ଗ ଫୁଟ୍ ସ୍ଥାନ ଖାଲି ହେବା ସହିତ ରଦ୍ଦି ଓ ଟୁକୁରା ସାମଗ୍ରୀ ବିକ୍ରି ଫଳରେ ସରକାର ୧୧୭.୩୩ କୋଟି ଟଙ୍କାର ରାଜସ୍ୱ ପାଇଛନ୍ତି । ଏହି ସମୟ ମଧ୍ୟରେ ୨, ୧୨, ୪୫୯ ସାଧାରଣ ଅଭିଯୋଗର ଶୁଣାଣି କରାଯାଇ ତାହାର ସମାଧାନ କରାଯାଇଛି । ଏହାଛଡା ୧୪୦୩ ସାଂସଦଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରାଯାଇଛି । ଏହି ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ଅକ୍ଟୋବର ୩୧ତାରିଖରେ ଶେଷ ହେବ ।

Leave A Reply

Your email address will not be published.