ନୂଆଦିଲ୍ଲୀ, (ପିଆଇବି) : ନାବାର୍ଡ ୨୦୨୧-୨୨ ପାଇଁ ଏହାର ଦ୍ୱିତୀୟ ସର୍ବଭାରତୀୟ ଗ୍ରାମୀଣ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସର୍ବେକ୍ଷଣ (ଏନ୍ଏଏଫ୍ଆଇଏସ୍)ରୁ ଏହି ତଥ୍ୟ ପ୍ରକାଶ କରିଛି, ଯେଉଁଥିରେ କୋଭିଡ୍ ପରବର୍ତ୍ତୀ ସମୟର ବିଭିନ୍ନ ଅର୍ଥନୈତିକ ଏବଂ ଆର୍ଥିକ ସୂଚକାଙ୍କକୁ ଅନ୍ତର୍ଭୁକ୍ତ କରି ୧ ଲକ୍ଷ ଗ୍ରାମୀଣ ପରିବାରର ସର୍ବେକ୍ଷଣ ଆଧାରରେ ପ୍ରାଥମିକ ତଥ୍ୟ ପ୍ରଦାନ କରାଯାଇଛି । ଅର୍ଥନୈତିକ ବିକାଶ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ନାବାର୍ଡ କୃଷି ବର୍ଷ (ଜୁଲାଇ-ଜୁନ୍) ୨୦୧୬-୧୭ ପାଇଁ ଉଦ୍ଘାଟନୀ ସର୍ବେକ୍ଷଣ କରିଥିଲା, ଯାହାର ଫଳାଫଳ ଅଗଷ୍ଟ ୨୦୧୮ରେ ପ୍ରକାଶ ପାଇଥିଲା । ସେବେ ଠାରୁ ଅର୍ଥନୀତି ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି ଏବଂ କୃଷିକୁ ସମର୍ଥନ କରିବା ଏବଂ ଗ୍ରାମୀଣ ସାମାଜିକ-ଅର୍ଥନୈତିକ ପ୍ରଗତିକୁ ପ୍ରୋତ୍ସାହିତ କରିବା ପାଇଁ ନୀତି କାର୍ଯ୍ୟକାରୀ ହୋଇଛି । ଏନ୍ଏଏଫ୍ଆଇଏସ୍ ୨୦୨୧-୨୨ ଫଳାଫଳ ୨୦୧୬-୧୭ ପର ଠାରୁ ଗ୍ରାମୀଣ ଅର୍ଥନୈତିକ ଏବଂ ଆର୍ଥିକ ବିକାଶ ସୂଚକାଙ୍କ କିପରି ବିକଶିତ ହୋଇଛି ତାହା ଉପରେ ଆଲୋକପାତ କରିବାରେ ସାହାଯ୍ୟ କରିପାରେ । ଏହି ସର୍ଭେରେ ସମସ୍ତ ୨୮ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଗ୍ରାମୀଣ ଜନସଂଖ୍ୟାକୁ ସୁଦୃଢ଼ କରିବା : ଏନ୍ଏଏଫ୍ଆଇଏସ୍ ୨୦୨୧-୨୨ରୁ ସୂଚନା
- ହାରାହାରି ମାସିକ ଆୟରେ ବୃଦ୍ଧି : ପାଞ୍ଚ ବର୍ଷ ମଧ୍ୟରେ ପରିବାରର ହାରାହାରି ମାସିକ ଆୟ ୫୭.୬% ବୃଦ୍ଧି ପାଇଛି, ଯାହା ୨୦୧୬-୧୭ରେ ୮,୦୫୯ ଟଙ୍କାଥିବା ବେଳେ ୨୦୨୧-୨୨ରେ ଏହା ୧୨,୬୯୮ ଟଙ୍କାକୁ ବୃଦ୍ଧି ପାଇଛି । ଏହା ଯୌଗିକ ବାର୍ଷିକ ଅଭିବୃଦ୍ଧି ହାର (ସିଏଜିଆର) ୯.୫%କୁ ସୂଚିତ କରେ । ସମାନ ସମୟ ମଧ୍ୟରେ ବାର୍ଷିକ ହାରାହାରି ନୋମିନାଲ ଜିଡିପି ଅଭିବୃଦ୍ଧି (ଆର୍ଥିକ ବର୍ଷ ଆଧାରରେ) ୯% ଥିଲା । ସମସ୍ତ ପରିବାରକୁ ମିଶାଇଲେ ହାରାହାରି ମାସିକ ଆୟ ୧୨,୬୯୮ ଟଙ୍କା ଥିଲା, ଯେଉଁଥିରେ ଅଣକୃଷି ପରିବାରଙ୍କ ପାଇଁ ୧୧,୪୩୮ ଟଙ୍କା ତୁଳନାରେ କୃଷି ପରିବାରମାନେ ସାମାନ୍ୟ ଅଧିକ ୧୩,୬୬୧ ଟଙ୍କା ରୋଜଗାର କରନ୍ତି । ସରକାରୀ କିମ୍ବା ବେସରକାରୀ କ୍ଷେତ୍ରରେ ବେତନଭୋଗୀ ନିଯୁକ୍ତି ସମସ୍ତ ପରିବାର ପାଇଁ ସବୁଠାରୁ ବଡ଼ ଆୟ ଉତ୍ସ ଥିଲା, ଯାହା ସେମାନଙ୍କ ମୋଟ ଆୟର ପ୍ରାୟ ୩୭% ଅଟେ । କୃଷି ପରିବାରମାନଙ୍କ ପାଇଁ ଚାଷ ହେଉଛି ମୁଖ୍ୟ ଆୟ ଉତ୍ସ, ଯାହା ସେମାନଙ୍କ ମାସିକ ରୋଜଗାରର ପ୍ରାୟ ଏକ ତୃତୀୟାଂଶ ଅଟେ, ଏହା ପରେ ସରକାରୀ କିମ୍ବା ବେସରକାରୀ ସେବା ଏକ ଚତୁର୍ଥାଂଶ ଅଂଶ, ମଜୁରି ଶ୍ରମିକ (୧୬%) ଏବଂ ଅନ୍ୟାନ୍ୟ ଉଦ୍ୟୋଗ (୧୫%) ଯୋଗଦାନ କରନ୍ତି । ଅଣକୃଷି କ୍ଷେତ୍ରରେ ସରକାରୀ ଓ ବେସରକାରୀ ସେବା ହିଁ ମୋଟ ପରିବାର ଆୟର ୫୭% ଯୋଗଦାନ ଦେଉଥିବା ବେଳେ ମଜୁରୀ ଶ୍ରମିକ ହିଁ ମୋଟ ଆୟର ପ୍ରାୟ ୨୬% ଥିଲା ।
- ହାରାହାରି ମାସିକ ଖର୍ଚ୍ଚରେ ବୃଦ୍ଧି : ଗ୍ରାମୀଣ ପରିବାରର ହାରାହାରି ମାସିକ ଖର୍ଚ୍ଚ ୨୦୧୬-୧୭ରେ ୬,୬୪୬ ଟଙ୍କା ଥିବା ବେଳେ ୨୦୨୧-୨୨ରେ ଏହା ୧୧,୨୬୨ ଟଙ୍କାକୁ ବୃଦ୍ଧି ପାଇଛି । ଅଣକୃଷି ପରିବାର ପାଇଁ ୧୦, ୬୭୫ ଟଙ୍କା ତୁଳନାରେ କୃଷି ପରିବାର ଗୁଡ଼ିକ ଅପେକ୍ଷାକୃତ ଅଧିକ ଖର୍ଚ୍ଚ ୧୧,୭୧୦ ଟଙ୍କା ଦର୍ଶାଇଛନ୍ତି । ଗୋଆ ଏବଂ ଜମ୍ମୁ-କଶ୍ମୀର ଭଳି ରାଜ୍ୟରେ ମାସିକ ପରିବାର ଖର୍ଚ୍ଚ ୧୭,୦୦୦ ଟଙ୍କାରୁ ଅଧିକ ରହିଛି । ମୋଟାମୋଟି ଭାବେ ଅଣକୃଷି ପରିବାର ତୁଳନାରେ କୃଷି ପରିବାରମାନେ ଅଧିକ ଆୟ ଓ ବ୍ୟୟ ହାର ପ୍ରଦର୍ଶନ କରିଛନ୍ତି ।
- ଆର୍ଥିକ ସଞ୍ଚୟରେ ବୃଦ୍ଧି : ୨୦୧୬-୧୭ରେ ପରିବାରର ବାର୍ଷିକ ହାରାହାରି ଆର୍ଥିକ ସଞ୍ଚୟ ୯,୧୦୪ ଟଙ୍କା ଥିବା ବେଳେ ୨୦୨୧-୨୨ରେ ଏହା ୧୩,୨୦୯ ଟଙ୍କାକୁ ବୃଦ୍ଧି ପାଇଛି । ମୋଟାମୋଟି ଭାବେ ୨୦୧୬-୧୭ରେ ୫୦.୬ ପ୍ରତିଶତ ପରିବାର ଟଙ୍କା ସଞ୍ଚୟ କରିଥିବା ବେଳେ ୨୦୨୧-୨୨ରେ ୬୬ ପ୍ରତିଶତ ପରିବାର ଅର୍ଥ ସଞ୍ଚୟ କରିଥିବା ଜଣାପଡ଼ିଛି । ସଞ୍ଚୟ କ୍ଷେତ୍ରରେ କୃଷି ପରିବାର ଅଣ-କୃଷି କ୍ଷେତ୍ରକୁ ପଛରେ ପକାଇ ଦେଇଛନ୍ତି, ଯେଉଁଥିରେ ଅଣ-କୃଷି ପରିବାରର ୫୮% ତୁଳନାରେ ୭୧% କୃଷି ପରିବାର ରେଫରେନ୍ସ ଅବଧି ମଧ୍ୟରେ ସଞ୍ଚୟ ରିପୋର୍ଟ କରିଛନ୍ତି । ୧୧ଟି ରାଜ୍ୟରେ ୭୦% କିମ୍ବା ତା’ଠାରୁ ଅଧିକ ପରିବାର ଅର୍ଥ ସଞ୍ଚୟ କରିଥିବା ବେଳେ ଉତ୍ତରାଖଣ୍ଡ (୯୩%), ଉତ୍ତରପ୍ରଦେଶ (୮୪%) ଏବଂ ଝାଡ଼ଖଣ୍ଡ (୮୩%) ଆଗରେ ରହିଛି । ଅପରପକ୍ଷରେ ଗୋଆ (୨୯%), କେରଳ (୩୫%), ମିଜୋରାମ (୩୫%), ଗୁଜରାଟ (୩୭%), ମହାରାଷ୍ଟ୍ର (୪୦%) ଏବଂ ତ୍ରିପୁରା (୪୬%) ଭଳି ରାଜ୍ୟରେ ଅଧାରୁ କମ୍ ପରିବାର ସଞ୍ଚୟ ରିପୋର୍ଟ କରିଛନ୍ତି ।
- କିଷାନ କ୍ରେଡିଟ୍ କାର୍ଡ (କେସିସି) : ଗ୍ରାମୀଣ କୃଷି କ୍ଷେତ୍ରରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହନ ଦେବା ପାଇଁ କିଷାନ କ୍ରେଡିଟ୍ କାର୍ଡ (କେସିସି) ଏକ ପ୍ରମୁଖ ଉପକରଣ ଭାବେ ଉଭା ହୋଇଛି । ସମୁଦାୟ ୪୪% କୃଷି ପରିବାର ପାଖରେ ବୈଧ କିଷାନ କ୍ରେଡିଟ୍ କାର୍ଡ (କେସିସି) ଥିବା ଜଣା ପଡ଼ିଥିଲା । ଯେଉଁମାନେ ୦.୪ ହେକ୍ଟରରୁ ଅଧିକ ଜମି ରଖିଛନ୍ତି କିମ୍ବା ଯେଉଁମାନେ ଗତ ବର୍ଷ ବ୍ୟାଙ୍କରୁ କୌଣସି କୃଷି ଋଣ ନେଇଛନ୍ତି ସେମାନଙ୍କ ମଧ୍ୟରୁ ୭୭% ବୈଧ କେସିସି ଥିବା ରିପୋର୍ଟ କରିଛନ୍ତି ।
- ବୀମା କଭରେଜ୍ : ଯେକୌଣସି ପ୍ରକାର ବୀମାରେ ଅତି କମରେ ଜଣେ ସଦସ୍ୟ ଥିବା ପରିବାରର ପ୍ରତିଶତ ୨୦୧୬-୧୭ରେ ୨୫.୫% ଥିବାବେଳେ ୨୦୨୧-୨୨ରେ ଏହା ୮୦.୩% କୁ ଯଥେଷ୍ଟ ବୃଦ୍ଧି ପାଇଛି । ଅର୍ଥାତ୍ ପ୍ରତି ୫ଟି ପରିବାର ମଧ୍ୟରୁ ୪ଟି ପରିବାରରେ ଅତି କମରେ ଜଣେ ବୀମାଭୁକ୍ତ ସଦସ୍ୟ ଥିଲେ । କୃଷି ପରିବାରମାନେ ସେମାନଙ୍କ ଅଣକୃଷି ସମକକ୍ଷଙ୍କୁ ପାଖାପାଖି ୧୩ ପ୍ରତିଶତ ପଏଣ୍ଟ ବ୍ୟବଧାନରେ ପଛରେ ପକାଇ ଦେଇଛନ୍ତି । ବିଭିନ୍ନ ପ୍ରକାର ବୀମା ମଧ୍ୟରେ ଗାଡି ବୀମା ସବୁଠାରୁ ଅଧିକ ପ୍ରଚଳିତ ଥିଲା, ଯେଉଁଥିରେ ୫୫% ପରିବାର ଅନ୍ତର୍ଭୁକ୍ତ ଥିଲେ । ଜୀବନ ବୀମା କଭରେଜ୍ ୨୪% ପରିବାରକୁ ବିସ୍ତାରିତ କରାଯାଇଛି, ଯେଉଁଥିରେ ଅଣ-କୃଷି ପରିବାର (୨୦%) ତୁଳନାରେ କୃଷି ପରିବାର ସାମାନ୍ୟ ଅଧିକ (୨୬%) ଦର୍ଶାଇଛନ୍ତି ।
- ପେନସନ୍ କଭରେଜ୍ : ପେନସନ୍ ଆର୍ଥିକ ସହାୟତା ପ୍ରଦାନ କରି ଏବଂ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳତା ହ୍ରାସ କରି ପ୍ରାପ୍ତକାରୀଙ୍କ ଜୀବନର ଗୁଣବତ୍ତାକୁ ଯଥେଷ୍ଟ ବୃଦ୍ଧି କରିଥାଏ, ଯାହା ଦ୍ୱାରା ସେମାନଙ୍କର ଆତ୍ମସମ୍ମାନ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ । କୌଣସି ପ୍ରକାର ପେନସନ୍ (ଯେପରିକି ବାର୍ଦ୍ଧକ୍ୟ, ପରିବାର, ଅବସର କିମ୍ବା ଭିନ୍ନକ୍ଷମ) ପାଇଥିବା ପରିବାରର ପ୍ରତିଶତ ୨୦୧୬-୧୭ରେ ୧୮.୯% ଥିବା ବେଳେ ୨୦୨୧-୨୨ରେ ଏହା ୨୩.୫%କୁ ବୃଦ୍ଧି ପାଇଛି । ମୋଟାମୋଟି ଭାବେ ୬୦ ବର୍ଷରୁ ଅଧିକ ବୟସ୍କ ଅତି କମରେ ଜଣେ ସଦସ୍ୟ ଥିବା ୫୪% ପରିବାର ଏହାକୁ ଗ୍ରହଣ କରିଛନ୍ତି, ଯାହା ସମାଜର ବୟସ୍କ ସଦସ୍ୟମାନଙ୍କୁ ସାହାଯ୍ୟ କରିବାରେ ପେନ୍ସନ୍ର ଗୁରୁତ୍ୱ ଉପରେ ଆଲୋକପାତ କରିଛି ।
- ଆର୍ଥିକ ସାକ୍ଷରତା : ଉତ୍ତମ ଆର୍ଥିକ ସାକ୍ଷରତା ପ୍ରଦର୍ଶନ କରୁଥିବା ଉତ୍ତରଦାତାଙ୍କ ପ୍ରତିଶତ ୧୭ ପ୍ରତିଶତ ବୃଦ୍ଧି ପାଇଛି, ଯାହା ୨୦୧୬-୧୭ରେ ୩୩.୯% ଥିବାବେଳେ ୨୦୨୧-୨୨ରେ ୫୧.୩%କୁ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ଅର୍ଥକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା, ସୁଚିନ୍ତିତ ଆର୍ଥିକ ନିଷ୍ପତ୍ତି ନେବା, ଖର୍ଚ୍ଚ ଟ୍ରାକିଂ କରିବା ଏବଂ ଠିକ୍ ସମୟରେ ବିଲ୍ ପୈଠ କରିବା ଭଳି ଆର୍ଥିକ ଆଚରଣ ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ ଅନୁପାତ ମଧ୍ୟ ୫୬.୪%ରୁ ୭୨.୮%କୁ ବୃଦ୍ଧି ପାଇଛି । ଆର୍ଥିକ ଜ୍ଞାନ ଉପରେ ଆକଳନ କରାଗଲେ ଗ୍ରାମାଞ୍ଚଳର ୫୮% ଏବଂ ଅର୍ଦ୍ଧ-ସହରାଞ୍ଚଳର ୬୬% ଉତ୍ତରଦାତା ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିଲେ ।
ସିଦ୍ଧାନ୍ତ - ଏନ୍ଏଏଫ୍ଆଇଏସ୍ ୨୦୨୧-୨୨ ଫଳାଫଳ ୨୦୧୬-୧୭ରେ ଶେଷ ସର୍ବେକ୍ଷଣ ପର ଠାରୁ ଗ୍ରାମୀଣ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତିକୁ ଆଲୋକପାତ କରିଛି । ଗ୍ରାମୀଣ ପରିବାର ଗୁଡ଼ିକ ଆୟ, ସଞ୍ଚୟ, ବୀମା କଭରେଜ୍ ଏବଂ ଆର୍ଥିକ ସାକ୍ଷରତାରେ ଉଲ୍ଲେଖନୀୟ ଉନ୍ନତି ଅନୁଭବ କରିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା), ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି), ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ), ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା- ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ ଏନ୍ଆର୍ଏଲ୍ଏମ୍), ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (ଡିଡିୟୁ-ଜିକେୱାଇ) ପରି ସରକାରୀ କଲ୍ୟାଣକାରୀ ଯୋଜନା ଗ୍ରାମୀଣ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି । ଆର୍ଥିକ ସେବାର ଉପଲବ୍ଧତା ବୃଦ୍ଧି ପାଉଥିବାରୁ ଏହି ପରିବାରଗୁଡ଼ିକର ଅର୍ଥନୈତିକ ସଶକ୍ତୀକରଣ ପାଇଁ ଏକ ଉଜ୍ଜ୍ୱଳ ଦୃଷ୍ଟିକୋଣ ସୃଷ୍ଟି ହୋଇଛି । ଏହି ସର୍ବେକ୍ଷଣ ଗ୍ରାମୀଣ ବିକାଶରେ ଜାରି ରହିଥିବା ସମର୍ଥନ ଏବଂ ପୁଞ୍ଜିନିବେଶର ଗୁରୁତ୍ୱ ଉପରେ ଆଲୋକପାତ କରିଛି, ଯାହା ଭାରତର ଗ୍ରାମୀଣ ଜନସଂଖ୍ୟା ପାଇଁ ଅଧିକ ସମୃଦ୍ଧ ଏବଂ ଆର୍ଥିକ ସୁରକ୍ଷିତ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରିବ ।