jayashree

ଅଷ୍ଟ୍ରିଆ-ଭାରତ ସିଇଓ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରିଆର ଚାନ୍ସେଲର ମହାମହିମ କାର୍ଲ ନେହାମର ଭିତ୍ତିଭୂମି, ଅଟୋମୋବାଇଲ, ଶକ୍ତି, ଇଞ୍ଜିନିୟରିଂ ଏବଂ ଷ୍ଟାର୍ଟ ଅପ୍ ସମେତ ବିଭିନ୍ନ କ୍ଷେତ୍ରର ଅଗ୍ରଣୀ ଅଷ୍ଟ୍ରୀୟ ଏବଂ ଭାରତୀୟ ସିଇଓମାନଙ୍କର ଏକ ଗୋଷ୍ଠୀକୁ ମିଳିତ ଭାବେ ସମ୍ବୋଧିତ କରିଛନ୍ତି । ଉଭୟ ନେତା ଭାରତ ଏବଂ ଅଷ୍ଟ୍ରିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ କରିବାରେ ଶିଳ୍ପ ନେତାଙ୍କ ଭୂମିକାକୁ ସ୍ୱୀକାର କରିଥିଲେ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ପାଉଛି ବୋଲି ନେତାମାନେ ଉଲ୍ଲେଖ କରିଥିଲେ ତଥା ଅଧିକ ସହଯୋଗ ମାଧ୍ୟମରେ ଭାରତ-ଅଷ୍ଟ୍ରିଆ ଭାଗିଦାରୀର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଲବ୍ଧ କରିବାକୁ ଆହ୍ୱାନ ଦେଇଥିଲେ । ଆଗାମୀ କିଛି ବର୍ଷ ମଧ୍ୟରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ଭାରତରେ ଦ୍ରୁତ ଗତିରେ ଉଭା ହେଉଥିବା ସୁଯୋଗ ଉପରେ ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆର ବ୍ୟବସାୟୀ ଅଂଶୀଦାରମାନଙ୍କୁ ଆହ୍ୱାନ ଦେଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ଗତ ଦଶ ବର୍ଷ ମଧ୍ୟରେ ଭାରତ ପରିବର୍ତ୍ତନଶୀଳ ପ୍ରଗତି କରିଛି ଏବଂ ରାଜନୈତିକ ସ୍ଥିରତା, ନୀତିଗତ ପୂର୍ବାନୁମାନ ଓ ଏହାର ସଂସ୍କାର ଭିତ୍ତିକ ଆର୍ଥିକ ଏଜେଣ୍ଡାର ଶକ୍ତିକୁ ଦୃଷ୍ଟିରେ ରଖି ସମାନ ମାର୍ଗରେ ଜାରି ରଖିବ । ବିଶ୍ୱର ପ୍ରମୁଖ ଉଦ୍ୟୋଗଗୁଡ଼ିକୁ ଭାରତ ପ୍ରତି ଆକୃଷ୍ଟ କରୁଥିବା ବ୍ୟବସାୟିକ ସୁଗମତାରେ ଉନ୍ନତି ଆଣିବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଭାରତୀୟ ଆର୍ଥିକ ଅଭିବୃଦ୍ଧି ଓ ରୂପାନ୍ତରଣ ବିଷୟରେ ଆଲୋଚନା କରି ସେ ଷ୍ଟାର୍ଟ-ଅପ୍ କ୍ଷେତ୍ରରେ, ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ନିର୍ମାଣରେ ଭାରତର ସଫଳତା ଓ ସବୁଜ ଏଜେଣ୍ଡାରେ ଆଗକୁ ବଢ଼ିବା ପାଇଁ ଏହାର ପ୍ରତିବଦ୍ଧତାକୁ ଉଲ୍ଲେଖ କରିଥିଲେ । ଭାରତ ଓ ଅଷ୍ଟ୍ରିଆ ମଧ୍ୟରେ ସ୍ଥାପିତ ଷ୍ଟାର୍ଟଅପ୍ ସେତୁର ଯଥେଷ୍ଟ ଫଳାଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଦୁଇ ଦେଶ ଏକାଠି ହୋଇ ମିଳିତ ହେକାଥନ ଆୟୋଜନ କରିବା ଉଚିତ୍‌ ବୋଲି ସେ ପରାମର୍ଶ ଦେଇଛନ୍ତି । ଦେଶରେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ସଫଳତା ଏବଂ ଯୋଗାଯୋଗ ଓ ଲଜିଷ୍ଟିକ୍ସରେ ଉନ୍ନତି ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ସେ କହିଥିଲେ । ଭାରତର ଶକ୍ତିକୁ ଦେଖି, ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆର ପ୍ରମୁଖ କମ୍ପାନୀଗୁଡ଼ିକୁ ଘରୋଇ ଓ ଅନ୍ତର୍ଜାତୀୟ ବଜାର ପାଇଁ ତଥା ବୈଶ୍ୱିକ ଯୋଗାଣ ଶୃଙ୍ଖଳା ଲକ୍ଷ୍ୟ ରୂପରେ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମର ଅଧୀନରେ ଉଚ୍ଚ ଗୁଣବତ୍ତା ଓ ଶସ୍ତା ଉତ୍ପାଦନ ଲାଗି ଭାରତୀୟ ଆର୍ଥିକ ପରିଦୃଶ୍ୟର ଲାଭ ଉଠାଇବାକୁ ଅନୁରୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ ସେମିକଣ୍ଡକ୍ଟର, ମେଡିକାଲ ଡିଭାଇସ୍, ସୌର ପିଭି ସେଲ୍ ଆଦି କ୍ଷେତ୍ରରେ ବିଶ୍ୱସ୍ତରୀୟ ଉତ୍ପାଦନକାରୀ କମ୍ପାନିଗୁଡ଼ିକୁ ଆକୃଷ୍ଟ କରିବା ପାଇଁ ଭାରତର ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ବିଷୟରେ ସେ କହିଥିଲେ । ଭାରତର ଆର୍ଥିକ ଶକ୍ତି ଓ ଦକ୍ଷତା ଏବଂ ଅଷ୍ଟ୍ରିଆର ଜ୍ଞାନକୌଶଳ ବ୍ୟବସାୟ, ଅଭିବୃଦ୍ଧି ଓ ଦୀର୍ଘସ୍ଥାୟିତ୍ୱ ପାଇଁ ପ୍ରାକୃତିକ ଅଂଶୀଦାର ବୋଲି ସେ ଉଲ୍ଲେଖ କରିଥିଲେ ।
ଭାରତରେ ପୁଞ୍ଜିନିବେଶ ସୁଯୋଗର ଉପଯୋଗ କରିବା ଏବଂ ଭାରତର ଚମତ୍କାର ଅଭିବୃଦ୍ଧି କାହାଣୀର ଏକ ଅଂଶ ହେବାକୁ ସେ ଅଷ୍ଟ୍ରିଆର ବ୍ୟବସାୟୀମାନଙ୍କୁ ଆମନ୍ତ୍ରଣ କରିଥିଲେ ।

Leave A Reply

Your email address will not be published.