jayashree

ଆମର ଭାଷାଗତ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ସବୁ ପ୍ରକାର ପ୍ରୟାସ ହେଉଛି – ଧର୍ମେନ୍ଦ୍ର ପ୍ରଧାନ

  • ପାଲି, ପ୍ରାକୃତ, ମରାଠୀ, ଆସାମୀ(ଅହମିୟା) ଏବଂ ବଙ୍ଗଳା ଭାଷାକୁ ମିଳିଛି ଶାସ୍ତ୍ରୀୟ ଭାଷାର ମାନ୍ୟତା
  • ଆମ ଭାଷା ଗୁଡିକ ହେଉଛି ‘ଭାରତୀୟତା’ର ପ୍ରାଣ
  • ଶାସ୍ତ୍ରୀୟ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଉଛି ଅନେକ ପଦକ୍ଷେପ
  • ସବୁ ଭାରତୀୟ ଭାଷା ବା ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରାଯାଉଛି

ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିକଟରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପାଲି, ପ୍ରାକୃତ, ମରାଠୀ, ଆସାମୀ(ଅହମିୟା) ଏବଂ ବଙ୍ଗଳା ଭାଷାରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାକୁ ମଞ୍ଜୁର କରିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଏହି ସବୁ ଭାଷାର ଭାଷାବିତମାନଙ୍କୁ ଭେଟି ସାକ୍ଷାତ୍ ଆଲୋଚନା କରିଛନ୍ତି ।
ଏହି ଭାରତୀୟ ଭାଷା ଗୁଡ଼ିକୁ ଶାସ୍ତ୍ରୀୟ ଭାଷା ତାଲିକାରେ ଅନ୍ତର୍ଭୁକ୍ତ କରିଥିବାରୁ ଭାଷାବିତମାନେ ଖୁସି ବ୍ୟକ୍ତ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସବୁ ଭାଷାକୁ ପ୍ରୋତ୍ସାହିତ ଓ ସୁସମୃଦ୍ଧ କରିବା ଦିଗରେ ସମସ୍ତେ ନିଜର ସମର୍ଥନ ଜଣାଇଛନ୍ତି । ଏପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆମ ଭାଷା ଗୁଡିକ ହେଉଛି ‘ଭାରତୀୟତା’ର ପ୍ରାଣ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସରକାର ସବୁ ଭାରତୀୟ ଭାଷା ବା ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରୁଛନ୍ତି । ଜାତୀୟ ଶିକ୍ଷା ନୀତିର କଳ୍ପନା ଅନୁସାରେ ଆମର ଭାଷାଗତ ଐତିହ୍ୟକୁ ସମ୍ମାନ ଜଣାଇବା ସହ ସଂରକ୍ଷଣ କରିବା ପାଇଁ ସବୁ ପ୍ରକାର ପ୍ରୟାସ କରୁଛନ୍ତି । ମାତୃଭାଷା ଶିକ୍ଷାକୁ ସୁଗମ କରିବା, ସମସ୍ତ ଭାରତୀୟ ଭାଷା ଉପରେ ସମାନ ଗୁରୁତ୍ୱ ଦେବା ସହିତ ବହୁଭାଷାଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ ଯେ, ଭାରତ ସରକାର ପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମାଲାୟାଲମ୍‌ ଓ ଓଡ଼ିଆ ଭାଷାଗୁଡିକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇସାରିଛନ୍ତି । ଶାସ୍ତ୍ରୀୟ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ସଂସ୍କୃତ ଭାଷାର ପ୍ରଚାର ପାଇଁ ସଂସଦର ଏକ ଅଧିନିୟମ ମାଧ୍ୟମରେ ୨୦୨୦ରେ ତିନୋଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ପ୍ରାଚୀନ ତାମିଲ ଗ୍ରନ୍ଥଗୁଡିକର ଅନୁବାଦକୁ ସୁଗମ କରିବା ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବା ଏବଂ ତାମିଲର ଭାଷା ଛାତ୍ରମାନଙ୍କ ପାଇଁ ପାଠ୍ୟକ୍ରମ ପ୍ରଦାନ କରିବାକୁ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନ ପ୍ରତିଷ୍ଠା କରାଯାଇଥିଲା । ଶାସ୍ତ୍ରୀୟ ଭାଷାର ଅଧ୍ୟୟନ ଏବଂ ସଂରକ୍ଷଣକୁ ଆହୁରି ବଢ଼ାଇବା ପାଇଁ ମହୀଶୁରରେ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ଲାଙ୍ଗୁଏଜ୍ ଅଧିନରେ ଶାସ୍ତ୍ରୀୟ କନ୍ନଡ, ତେଲୁଗୁ, ମାଲାୟାଲମ୍ ଏବଂ ଓଡିଆରେ ଅଧ୍ୟୟନ ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହି ପଦକ୍ଷେପଗୁଡିକ ସହିତ, ଶାସ୍ତ୍ରୀୟ ଭାଷା କ୍ଷେତ୍ରରେ ଉପଲବ୍ଧତାକୁ ମାନ୍ୟତା ଦେବା ସହ ପ୍ରୋତ୍ସାହିତ କରିବା ପାଇଁ ଅନେକ ଜାତୀୟ ଏବଂ ଆର୍ନ୍ତଜାତୀୟ ପୁରସ୍କାର ମଧ୍ୟ ଆରମ୍ଭ କରାଯାଇଛି ।

Leave A Reply

Your email address will not be published.