• ପୁରସ୍କାର ବିଜେତାମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ; କହିଲେ, ସେମାନେ ସମାଜ ଓ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି
• ଆପଣମାନଙ୍କ କାର୍ୟ୍ୟରେ ସେବା ଓ ନବସୃଜନ ଭାବନା ରହିଛି : ପ୍ରଧାନମନ୍ତ୍ରୀ
• ‘ସବକା ପ୍ରୟାସ’ ସୁନିଶ୍ଚିତ କରିବା ଉପରେ ସରକାର ଜୋର ଦେଉଛନ୍ତି : ପ୍ରଧାନମନ୍ତ୍ରୀ
• ଦେଶର ଶୀର୍ଷ ନେତୃତ୍ୱଙ୍କ ସହ କଥା ହେବା ଲାଗି ସେମାନଙ୍କୁ ଏକ ମଞ୍ଚ ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପୁରସ୍କାର ବିଜେତା
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗଠାରେ ଆୟୋଜିତ ଏକ ଆଲୋଚନା ଅଧିବେଶନରେ ୨୦୨୦ ଏବଂ ୨୦୨୧ ବର୍ଷର ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହିତ କଥା ହୋଇଛନ୍ତି । ଏହି ଆଲୋଚନା ଅଧିବେଶନ ନାରୀ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗ୍ରହଣ କରାଯାଉଥିବା ନିରନ୍ତର ପଦକ୍ଷେପର ଏକ ପରିଚାୟକ ଥିଲା । ପୁରସ୍କାର ବିଜେତାମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେମାନେ ସମାଜ ସହିତ ରାଷ୍ଟ୍ର ନିର୍ମାଣ ପାଇଁ ମଧ୍ୟ ଯୋଗଦାନ ଦେଉଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ, ସେମାନଙ୍କ କାର୍ଯ୍ୟରେ ସେବା ଭାବନା ରହିଛି, ଏଥିସହିତ ସେମାନଙ୍କର କାର୍ଯ୍ୟଧାରାରେ ସୃଜନଶୀଳତାର ସ୍ପଷ୍ଟ ପରିପ୍ରକାଶ ଦେଖିବାକୁ ମିଳୁଛି । ସେ ଆହୁରି କହିଥିଲେ ଯେ, ବର୍ତ୍ତମାନ ଏପରି କୌଣସି ଗୋଟିଏ କ୍ଷେତ୍ର ନାହିଁ ଯେଉଁଠି ମହିଳାମାନେ ସେମାନଙ୍କର ଯୋଗଦାନ ଦେଇନାହାନ୍ତି ଏବଂ ଦେଶକୁ ଗୌରବାନ୍ୱିତ କରିନାହାନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହିଳାମାନଙ୍କ ମଧ୍ୟରେ ରହିଥିବା ସମ୍ଭାବନାକୁ ସାକାର ରୂପ ଦେବା ଲାଗି ସରକାର ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି । ସରକାର ଏପରି ନୀତି ପ୍ରଣୟନ କରୁଛନ୍ତି ଯାହା ମାଧ୍ୟମରେ ଏପରି ସମ୍ଭାବନାକୁ ଚିହ୍ନଟ କରାଯାଇପାରିବ । ସେ ଉଲ୍ଲେଖ କରିଥିଲେ ଯେ, ପାରିବାରିକ ସ୍ତରରେ ସବୁ ମହିଳାମାନଙ୍କୁ ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ସାମିଲ କରାଯିବା ଗୁରୁତ୍ୱପୂର୍ଣ୍ଣ, ଯାହାଫଳରେ ସେମାନଙ୍କର ଆର୍ଥିକ ସଶକ୍ତିକରଣ ସମ୍ଭବ ହୋଇପାରିବ । ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ‘ସବକା ପ୍ରୟାସ’ ଉପରେ ସରକାର ଜୋର ଦେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ, ଭୋକାଲ ଫର ଲୋକାଲ ଭଳି ସରକାରଙ୍କ ପ୍ରୟାସର ସଫଳତା, ମହିଳାମାନଙ୍କର ଯୋଗଦାନ ଉପରେ ନିର୍ଭରଶୀଳ ।
ଦେଶର ଶୀର୍ଷ ନେତୃତ୍ୱଙ୍କ ସହ କଥା ହେବା ଲାଗି ସେମାନଙ୍କୁ ଏକ ମଞ୍ଚ ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପୁରସ୍କାର ବିଜେତାମାନେ ଧନ୍ୟବାଦ ଜଣାଇଥିଲେ । ସେମାନେ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ସୁଯୋଗ ପାଇବା ଏବଂ ତାଙ୍କ ସହିତ କଥା ହେବା ଦ୍ୱାରା ସେମାନଙ୍କ ସ୍ୱପ୍ନ ସାକାର ହେବା ଭଳି ଅନୁଭବ ହେଉଛି । ସେମାନେ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଶଂସା କରିଥିଲେ ଯାହା ସେମାନଙ୍କ ପ୍ରୟାସରେ ଖୁବ୍ ଅଧିକ ସହାୟକ ହୋଇଛି । ପୁରସ୍କାର ବିଜେତାମାନେ ବର୍ତ୍ତମାନ ସୁଦ୍ଧା ନିଜର ଯାତ୍ରା ଏବଂ ସେମାନଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ କଥା ହୋଇଥିଲେ । ସେମାନେ ନିଜ କାର୍ଯ୍ୟ କ୍ଷେତ୍ର ସମ୍ପର୍କରେ କେତେକ ପରାମର୍ଶ ଏବଂ ସୂଚନା ଦେଇଥିଲେ ।