ମହାମହିମ ପ୍ରଧାନମନ୍ତ୍ରୀ ଏବଂ ମୋର ବନ୍ଧୁ ନେତନ୍ୟାହୁ,
ଶ୍ରୀମତୀ ନେତନ୍ୟାହୁ,
ଉଭୟ ଦେଶର ପ୍ରତିନିଧିମଣ୍ଡଳ,
ଗଣମାଧ୍ୟମର ବନ୍ଧୁଗଣ,
ନମସ୍କାର
“ଶାଲୋମ”
ମୋତେ ଏବଂ ଭାରତୀୟ ପ୍ରତିନିଧିମଣ୍ଡଳକୁ ଦିଆଯାଇଥିବା ଭବ୍ୟ ସ୍ୱାଗତ ପାଇଁ ମୁଁ ପୁଣିଥରେ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ସହୃଦୟତାର ସହିତ କୃତଜ୍ଞତା ଜଣାଉଛି ।
ନଅ ବର୍ଷ ପୂର୍ବେ, ମୋତେ ଇସ୍ରାଏଲକୁ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଗସ୍ତ କରିବାର ସୌଭାଗ୍ୟ ମିଳିଥିଲା । ପୁଣିଥରେ ଇସ୍ରାଏଲ୍ର ଐତିହାସିକ ଭୂମିରେ ପଦାର୍ପଣ କରିବା ମୋ ପାଇଁ ଏକ ଗର୍ବ ଏବଂ ଭାବପ୍ରବଣ ମୁହୂର୍ତ୍ତ ଅଟେ ।
ଗତକାଲି ମୋତେ ଇସ୍ରାଏଲ୍ର ସଂସଦ ନେସେଟ୍କୁ ସମ୍ବୋଧନ କରିବାର ଅବସର ମିଳିଥିଲା। ସେଠାରେ, ମୋତେ ‘ ‘ସ୍ପିକର ଅଫ୍ ଦ ନେସେଟ୍ ମେଡାଲ’ ଦ୍ୱାରା ସମ୍ମାନିତ କରାଯାଇଥିଲା । ମୁଁ ଏହି ସମ୍ମାନ ପାଇଁ ନେସେଟ୍, ସ୍ପିକର୍ ମହୋଦୟ, ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏବଂ ଇସ୍ରାଏଲର ଜନସାଧାରଣଙ୍କୁ ସହୃଦୟତାର ସହିତ କୃତଜ୍ଞତା ଜ୍ଞାପନ କରୁଛି । ମୁଁ ଏହାକୁ ୧୪୦ କୋଟି ଭାରତବାସୀ ଏବଂ ଭାରତ-ଇସ୍ରାଏଲ ବନ୍ଧୁତ୍ୱ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛି ।
ବନ୍ଧୁଗଣ,
ଆମର ସମ୍ପର୍କ ଗଭୀର ବିଶ୍ୱାସ, ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ମାନବୀୟ ସମ୍ବେଦନଶୀଳତାର ଏକ ଦୃଢ଼ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ । ସମୟର ପ୍ରତ୍ୟେକ ପରୀକ୍ଷାରେ ଆମର ସମ୍ପର୍କ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛି ।
ଆଜି ଆମେ ଆମର ସମୟ ପରୀକ୍ଷିତ ସହଭାଗୀତାକୁ “ବିଶେଷ ରଣନୈତିକ ସହଭାଗୀତା” କୁ ଉନ୍ନୀତ କରିବା ପାଇଁ ଐତିହାସିକ ନିଷ୍ପତ୍ତି ନେଇଛୁ । ଏହି ନିଷ୍ପତ୍ତି ଉଭୟ ଦେଶର ଲୋକଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରୁଛି ।
ବନ୍ଧୁଗଣ,
ଆଜିର ବୈଠକରେ, ଆମେ ଆମର ସହଯୋଗକୁ ନୂତନ ଦିଗଦର୍ଶନ ଦେବା ଏବଂ ଗତି ତ୍ୱରାନ୍ୱିତ କରିବା ବିଷୟରେ ଆଲୋଚନା କରିଛୁ । ଆମର ଆର୍ଥିକ ସହଯୋଗ ବୃଦ୍ଧି, ନବସୃଜନ ଏବଂ ସହଭାଗୀ ସମୃଦ୍ଧିର ଏକ ଶକ୍ତିଶାଳୀ ଇଞ୍ଜିନ ଭାବେ କାମ କରୁଛି ।
ପାରସ୍ପରିକ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଗତବର୍ଷ ଏକ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ସ୍ୱାକ୍ଷର କରିଥିଲୁ । ଆମେ ଖୁବ୍ ଶୀଘ୍ର ଏକ ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ମଧ୍ୟ ଚୂଡ଼ାନ୍ତ କରିବୁ ।
ପ୍ରଯୁକ୍ତି ଆମ ଭବିଷ୍ୟତ ସହଭାଗୀତାର କେନ୍ଦ୍ରବିନ୍ଦୁ ଅଟେ । ଆଜି, ଆମେ ଏକ ‘ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତି ସହଭାଗୀତା’ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛୁ । ଏହା ଦ୍ୱାରା ଏଆଇ, କ୍ୱାଣ୍ଟମ୍ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଭଳି କ୍ଷେତ୍ରରେ ସହଯୋଗକୁ ନୂତନ ଗତି ମିଳିବ ।
ମୋତେ ଖୁସି ଲାଗୁଛି ଯେ, ଇସ୍ରାଏଲରେ ୟୁପିଆଇ ବ୍ୟବହାର ପାଇଁ ଏକ ଚୁକ୍ତିନାମା ହୋଇଛି । ଡିଜିଟାଲ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆମେ ଆମର ଅଭିଜ୍ଞତା ବାଣ୍ଟି ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ପ୍ରତିବଦ୍ଧ ଅଛୁ ।
ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଆମର ଦଶନ୍ଧି ପୁରୁଣା ବିଶ୍ୱସନୀୟ ସହଯୋଗ ରହିଛି । ଗତବର୍ଷ ହୋଇଥିବା ଏମ୍ଓୟୁ ଦ୍ୱାରା ଏଥିରେ ନୂତନ ଦିଗ ସଂଯୁକ୍ତ ହେବ। ଆମେ ମିଳିତ ଭାବେ ଉତ୍ପାଦନ ଏବଂ ପ୍ରଯୁକ୍ତି ହସ୍ତାନ୍ତର କ୍ଷେତ୍ରରେ ଆଗକୁ ଅଗ୍ରସର ହେବୁ ।
ଆମେ ବେସାମରିକ ପରମାଣୁ ଶକ୍ତି ଏବଂ ମହାକାଶ ଭଳି କ୍ଷେତ୍ରରେ ମଧ୍ୟ ସହଯୋଗକୁ ଆଗକୁ ବଢ଼ାଇବୁ ।
ବନ୍ଧୁଗଣ,
ଆମ ଉଭୟ ଦେଶ ମଧ୍ୟରେ କୃଷି ସହଯୋଗର ଏକ ଦୀର୍ଘ ଏବଂ ସଫଳ ଇତିହାସ ରହିଛି । ଆଜି, ଆମେ ଏହି ସହଯୋଗକୁ ଏକ ଭବିଷ୍ୟତମୁଖୀ ଦିଗ ଦେବାକୁ ସଂକଳ୍ପ ନେଇଛୁ ।
ଇସ୍ରାଏଲର ସହଯୋଗରେ ଭାରତରେ ସ୍ଥାପିତ ‘ଉତ୍କର୍ଷତା କେନ୍ଦ୍ରଗୁଡ଼ିକ’ ଆଜି ଆମ ବନ୍ଧୁତାର ଉତ୍କୃଷ୍ଟ ଉଦାହରଣ ପାଲଟିଛି । ଏହାର ସଫଳତାକୁ ଦୃଷ୍ଟିରେ ରଖି, ଆମେ ସେଗୁଡ଼ିକର ସଂଖ୍ୟାକୁ ୧୦୦ ପର୍ଯ୍ୟନ୍ତ ବୃଦ୍ଧି କରିବାର ଲକ୍ଷ୍ୟ ନିର୍ଦ୍ଧାରଣ କରିଛୁ ।
ଏହି ଦିଗରେ ଆଉ ଗୋଟିଏ ପଦକ୍ଷେପ ଆଗକୁ ବଢ଼ାଇ, ଆମେ ‘ଉତ୍କର୍ଷ ଗ୍ରାମ’ ସୃଷ୍ଟି କରିବା ଉପରେ କାମ କରୁଛୁ । ଏହା ଦ୍ୱାରା ଇସ୍ରାଏଲୀ ପ୍ରଯୁକ୍ତିବିଦ୍ୟା ଭାରତର ପ୍ରତ୍ୟେକ ଗାଁ ପର୍ଯ୍ୟନ୍ତ ପହଞ୍ଚିବ, ଲକ୍ଷ ଲକ୍ଷ ଚାଷୀଙ୍କ ଆୟ ବୃଦ୍ଧି ହେବା ସହିତ ଉତ୍ପାଦକତାକୁ ଉଲ୍ଲେଖନୀୟ ସଫଳତା ମିଳିବ ।
ଆମେ ଏକାଠି ଭବିଷ୍ୟତ ପାଇଁ ପ୍ରସ୍ତୁତ କୃଷି ସମାଧାନ ପଦ୍ଧତି ମଧ୍ୟ ବିକଶିତ କରିବୁ । ଭାରତରେ “ଭାରତ-ଇସ୍ରାଏଲ କୃଷି ପାଇଁ ନବସୃଜନ କେନ୍ଦ୍ର” ପ୍ରତିଷ୍ଠା ଏହି ସହଯୋଗ ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରଦାନ କରିବ ।
ବନ୍ଧୁଗଣ,
ଆମର ପାରସ୍ପରିକ ଜନ-ସମ୍ପର୍କ ଆମ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଭାରତ ୨୦୨୩ ମସିହାରେ ହୋଇଥିବା ‘ମାନବଶକ୍ତି ଗତିଶୀଳତା ଚୁକ୍ତିନାମା’ ମାଧ୍ୟମରେ ଇସ୍ରାଏଲର ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି। ଭାରତୀୟ ଶ୍ରମିକମାନେ ସେମାନଙ୍କର କଠିନ ପରିଶ୍ରମ, ପ୍ରତିବଦ୍ଧତା ଏବଂ ଦକ୍ଷତା ମାଧ୍ୟମରେ ବିଶ୍ୱାସ ଅର୍ଜନ କରିଛନ୍ତି ।
ମୁଁ ଅତ୍ୟନ୍ତ ଆନନ୍ଦିତ ଯେ, ଏହି ସହଯୋଗକୁ ବାଣିଜ୍ୟ ଏବଂ ସେବା ଭଳି କ୍ଷେତ୍ରରେ ମଧ୍ୟ ବିସ୍ତାର କରାଯାଉଛି । ଉଭୟ ଦେଶର ଯୁବପିଢ଼ି, ଗବେଷକ ଏବଂ ନବସୃଜନକାରୀଙ୍କୁ ସଂଯୋଗ କରିବା ଆମ ପାଇଁ ଏକ ପ୍ରମୁଖ ପ୍ରାଥମିକତା ପାଲଟିଛି । ଏହି ଲକ୍ଷ୍ୟରେ, ଆଜି ଆମେ ଭାରତ-ଇସ୍ରାଏଲ ଏକାଡେମିକ୍ ଫୋରମ୍ ପ୍ରତିଷ୍ଠା କରୁଛୁ ।
ବନ୍ଧୁଗଣ,
ଆଜି ଆମେ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ଏକ ବିସ୍ତୃତ ଆଲୋଚନା କରିଛୁ । ଆଞ୍ଚଳିକ ସଂଯୋଗୀକରଣକୁ ପ୍ରୋତ୍ସାହିତ କରି, ଆମେ ଭାରତ-ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର-“ଆଇ-ମେକ୍” ଏବଂ ଭାରତ-ଇସ୍ରାଏଲ-ୟୁଏଇ-ୟୁଏସ୍ଏ – “ଆଇ-ଟୁ-ୟୁ-ଟୁ” ପଦକ୍ଷେପ ଉପରେ ନୂତନ ଗତି ସହିତ ଆଗକୁ ବଢ଼ିବୁ ।
ବନ୍ଧୁଗଣ,
ଭାରତ ଏବଂ ଇସ୍ରାଏଲ୍ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ ଯେ :
ବିଶ୍ୱରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ।
ଯେକୌଣସି ରୂପରେ, ଯେକୌଣସି ପ୍ରକାରରେ,
ଆତଙ୍କବାଦକୁ କେବେ ମଧ୍ୟ ସ୍ୱୀକାର କରାଯାଇପାରିବ ନାହିଁ ।
ଆମେ ଆତଙ୍କବାଦ ଏବଂ ଏହାର ସମର୍ଥକମାନଙ୍କ ବିରୁଦ୍ଧରେ କାନ୍ଧକୁ କାନ୍ଧ ମିଳାଇ ଦୃଢ଼ତାର ସହ ଠିଆ ହୋଇଆସିଛୁ, ଏବଂ ଆଗକୁ ମଧ୍ୟ ଏଭଳି ଭାବେ କାର୍ଯ୍ୟ ଜାରି ରଖିବୁ।
ପଶ୍ଚିମ ଏସିଆର ଶାନ୍ତି ଏବଂ ସ୍ଥିରତା ସହିତ ଭାରତର ସୁରକ୍ଷା ସ୍ୱାର୍ଥ ସିଧାସଳଖ ଜଡିତ । ସେଥିପାଇଁ, ଆମେ ଆରମ୍ଭରୁ ଆଲୋଚନା ଏବଂ ଏକ ଶାନ୍ତିପୂର୍ଣ୍ଣ ସମାଧାନକୁ ସମର୍ଥନ କରିଆସିଛୁ। ଏହା ଗ୍ଲୋବାଲ୍ ସାଉଥ ଏବଂ ସମଗ୍ର ମାନବତାର ଆହ୍ୱାନ ଅଟେ ।
ଭାରତର ଚିନ୍ତାଧାରା ସ୍ପଷ୍ଟ :
ମାନବତା କେବେ ମଧ୍ୟ ସଂଘର୍ଷର ଶିକାର ହେବା ଉଚିତ୍ ନୁହେଁ । ‘ଗାଜା ଶାନ୍ତି ଯୋଜନା’ ଦ୍ୱାରା ଶାନ୍ତିର ଏକ ପଥ ସୃଷ୍ଟି ହୋଇଛି । ଭାରତ ଏହି ପ୍ରୟାସଗୁଡ଼ିକୁ ପୂର୍ଣ୍ଣ ସମର୍ଥନ କରିଛି। ଆଗାମୀ ଦିନରେ ମଧ୍ୟ ଆମେ ସମସ୍ତ ଦେଶ ସହିତ ସଂମ୍ପୃକ୍ତି ଏବଂ ସହଯୋଗ ଜାରି ରଖିବୁ ।
ମହାମହିମ, ମୋର ପ୍ରିୟ ବନ୍ଧୁ,
ଆପଣଙ୍କ ଆତ୍ମୀୟତା ଏବଂ ସୌଜନ୍ୟତା ମୋର ଏହି ଗସ୍ତକୁ ସ୍ମରଣୀୟ କରିଦେଇଛି । ଆପଣଙ୍କ ପାଖରୁ ଏବଂ ଇସ୍ରାଏଲର ଲୋକଙ୍କଠାରୁ ମୁଁ ପାଇଥିବା ପ୍ରେମ, ସ୍ନେହ ଏବଂ ସମ୍ମାନ ପାଇଁ ମୁଁ ପୁଣି ଥରେ ମୋର ହୃଦୟରୁ କୃତଜ୍ଞତା ପ୍ରକାଶ କରୁଛି ।
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।
“ତୋଦା ରବ୍ବା”