- ବ୍ୟାପକ ପୋଲିସ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା ହେବ
- ସମ୍ମିଳନୀରେ ନୂଆ ଅପରାଧିକ ଆଇନ କାର୍ଯ୍ୟକାରୀ ପାଇଁ ରୋଡ୍ ମ୍ୟାପ୍ ଉପରେ ଆଲୋଚନା ହେବ
- ବୈଠକରେ ପୋଲିସ ଓ ନିରାପତ୍ତା କ୍ଷେତ୍ରର ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯିବ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୬-୭, ୨୦୨୪ରେ ଜୟପୁର ସ୍ଥିତ ରାଜସ୍ଥାନ ଅନ୍ତର୍ଜାତୀୟ କେନ୍ଦ୍ରରେ ପୋଲିସ ମହାନିର୍ଦ୍ଦେଶକ / ଆଇଜିଙ୍କ ସର୍ବଭାରତୀୟ ସମ୍ମିଳନୀ ୨୦୨୩ରେ ଯୋଗଦେବେ । ଜାନୁୟାରୀ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ସାଇବର କ୍ରାଇମ, ପୁଲିସିଂରେ ଟେକ୍ନୋଲୋଜି, ଆତଙ୍କବାଦ ମୁକାବିଲା ଚ୍ୟାଲେଞ୍ଜ, ବାମପନ୍ଥୀ ଉଗ୍ରବାଦ, ଜେଲ୍ ସଂସ୍କାର ସମେତ ବିଭିନ୍ନ ପୁଲିସ ଓ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା ହେବ । ଏହି ସମ୍ମିଳନୀର ଅନ୍ୟ ଏକ ପ୍ରମୁଖ ଏଜେଣ୍ଡା ହେଉଛି ନୂତନ ଅପରାଧିକ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ରୋଡ୍ ମ୍ୟାପ୍ ଉପରେ ଆଲୋଚନା । ଏହା ବ୍ୟତୀତ ଏହି ସମ୍ମିଳନୀରେ ପୁଲିସ ଏବଂ ନିରାପତ୍ତା କ୍ଷେତ୍ରରେ ଭବିଷ୍ୟତ ଭିତ୍ତିକ ବିଷୟବସ୍ତୁ ଯଥା ଏଆଇ, ଡିପ୍ ଫେକ୍ ଇତ୍ୟାଦି ନୂତନ ଜ୍ଞାନକୌଶଳ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନ ଏବଂ ଏହାର ମୁକାବିଲାର ଉପାୟ ଉପରେ ମଧ୍ୟ ଆଲୋଚନା କରାଯିବ । ପ୍ରତିବର୍ଷ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ ହେଉଥିବା ପ୍ରଯୁଜ୍ୟ ଆକ୍ସନ ପଏଣ୍ଟଗୁଡ଼ିକୁ ଚିହ୍ନଟ କରିବା ଏବଂ ଏହାର ଅଗ୍ରଗତି ଉପରେ ନଜର ରଖିବାର ସୁଯୋଗ ମଧ୍ୟ ଏହି ସମ୍ମିଳନୀ ପ୍ରଦାନ କରିଥାଏ । ଏହି ସମ୍ମିଳନୀରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରର ପୁଲିସ ଓ ଗୁଇନ୍ଦା ଅଧିକାରୀମାନେ ଚିହ୍ନଟ ହୋଇଥିବା ବିଷୟବସ୍ତୁ ଉପରେ ବ୍ୟାପକ ଆଲୋଚନା କରିଛନ୍ତି । ଏହି ସମ୍ମିଳନୀରେ ପ୍ରତ୍ୟେକ ବିଷୟବସ୍ତୁ ଅଧୀନରେ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର ଶ୍ରେଷ୍ଠ ଅଭ୍ୟାସ ଉପସ୍ଥାପନ କରାଯିବ ଯାହା ଦ୍ୱାରା ରାଜ୍ୟମାନେ ପରସ୍ପରଠାରୁ ଶିଖି ପାରିବେ । ୨୦୧୪ରୁ ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଗଭୀର ଆଗ୍ରହ ଦେଖାଇଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତୀକାତ୍ମକ ଉପସ୍ଥିତି ଭଳି ନହୋଇ, ସେ ସମ୍ମିଳନୀର ସମସ୍ତ ପ୍ରମୁଖ ଅଧିବେଶନରେ ଉପସ୍ଥିତ ରହୁଛନ୍ତି । ପ୍ରଧାନମନ୍ତ୍ରୀ କେବଳ ଧୈର୍ଯ୍ୟର ସହ ସମସ୍ତ ସୂଚନା ଶୁଣନ୍ତି ନାହିଁ, ବରଂ ମୁକ୍ତ ଏବଂ ଅନୌପଚାରିକ ଆଲୋଚନାକୁ ମଧ୍ୟ ପ୍ରୋତ୍ସାହିତ କରନ୍ତି ଯାହା ଦ୍ୱାରା ନୂତନ ଚିନ୍ତାଧାରା ଆସିପାରିବ । ଚଳିତ ବର୍ଷର ସମ୍ମିଳନୀରେ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ସମୟରେ ଆଲୋଚନା କରିବାକୁ ମଧ୍ୟ ଯୋଜନା କରାଯାଇଛି । ଏହା ଦ୍ୱାରା ବରିଷ୍ଠ ପୋଲିସ ଅଧିକାରୀମାନେ ଦେଶକୁ ପ୍ରଭାବିତ କରୁଥିବା ପ୍ରମୁଖ ପୋଲିସିଂ ଏବଂ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗ ଉପରେ ସେମାନଙ୍କ ମତାମତ ଏବଂ ସୁପାରିଶ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବାର ସୁଯୋଗ ପାଇବେ । ପ୍ରଧାନମନ୍ତ୍ରୀ ୨୦୧୪ ମସିହାରୁ ସମଗ୍ର ଦେଶରେ ବାର୍ଷିକ ଡିଜିପି ସମ୍ମିଳନୀ ଆୟୋଜନକୁ ପ୍ରୋତ୍ସାହିତ କରିଛନ୍ତି । ୨୦୧୪ ରେ ଗୌହାଟୀରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା । ୨୦୧୫ରେ ଧୋର୍ଡୋ, କଚ୍ଛର ରଣ, ୨୦୧୬ ରେ ନ୍ୟାସନାଲ ପୋଲିସ ଏକାଡେମୀ, ହାଇଦ୍ରାବାଦ, ୨୦୧୭ ରେ ବିଏସ୍ଏଫ୍ ଏକାଡେମୀ, ଟେକାନପୁର, ୨୦୧୮ରେ କେଭାଡିଆ, ଆଇଆଇଏସ୍ଇଆର୍, ୨୦୧୯ରେ ପୁନେ , ୨୦୨୧ରେ ଲକ୍ଷ୍ନୌ ସ୍ଥିତ ପୁଲିସ ମୁଖ୍ୟାଳୟରେ, ଏବଂ ଜାତୀୟ କୃଷି ବିଜ୍ଞାନ କମ୍ପ୍ଲେକ୍ସ, ପୁସା, ଦିଲ୍ଲୀରେ ୨୦୨୩ରେ ସମ୍ମିଳନୀ ହୋଇଥିଲା । ଏହି ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ଜୟପୁରରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି । ଏହି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, ଗୃହ ରାଷ୍ଟ୍ରମନ୍ତ୍ରୀ, କ୍ୟାବିନେଟ୍ ସଚିବ, ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଡିଜିପି ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଓ କେନ୍ଦ୍ରୀୟ ପୁଲିସ ସଂଗଠନର ମୁଖ୍ୟମାନେ ଯୋଗଦେବେ ।