ଭାରତୀୟ ପ୍ରେସ ପରିଷଦ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀର ସ୍କୋପ ସମ୍ମିଳନୀ କେନ୍ଦ୍ର ଠାରେ ବୁଧବାର ଦିନ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ‘‘ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା’’ ବିଷୟବସ୍ତୁକୁ ନେଇ ପ୍ରେସ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସମାରୋହରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘‘ସାମ୍ବାଦିକତା ଆଚାର ମାପଦଣ୍ଡ ୨୦୨୨’କୁ ଉନ୍ମୋଚନ କରିଥିଲେ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସମାରୋହରେ ଯୋଗ ଦେଇଥିବା ଅତିଥି ମାନେ ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା ବିଷୟବସ୍ତୁ ଉପରେ ଗୁରୁତ୍ବପୂର୍ଣ୍ଣ ମତ ଉପସ୍ଥାପନ କରିଥିଲେ । ଭାରତରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଉଥିବା ଗଣମାଧ୍ୟମର ମାନକୁ ସୁରକ୍ଷିତ ରଖିବା ଉପରେ ସେମାନେ ଗୁରୁତ୍ବାରୋପ କରିଥିଲେ ।

ଉଦଘାଟନୀ ଅଧିବେଶନରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ ଯେ ଗଣମାଧ୍ୟମକୁ ଏକ ଶକ୍ତିଶାଳୀ ସ୍ବର ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭରେ ପରିଣତ କରିବାରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କର ଯୋଗଦାନକୁ ସ୍ମରଣ କରିବା ଲାଗି ଆଜିର ଦିନ ହେଉଛି ଏକ ପ୍ରକୃଷ୍ଟ ମୁହୂର୍ତ୍ତ । କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଜରୁରି ପରିସ୍ଥିତି ଭଳି କଳାଦିନ ଭାରତୀୟ ପ୍ରେସ ପରିଷଦର କ୍ଷମତାକୁ ସଙ୍କୁଚିତ କରି ଦେଇଥିଲା । କିନ୍ତୁ ଏଲ. କେ ଆଡଭାଣୀ ସୂଚନା ଓ ପ୍ରସାରଣ ମନ୍ତ୍ରୀ ହେବା ପରେ ଭାରତୀୟ ପ୍ରେସ ପରିଷଦର ପୁନରୁଦ୍ଧାର ହୋଇଥିଲା । ବଡ଼ ସହରରେ ଥିବା ସାମ୍ବାଦିକମାନେ ଛୋଟ ସହରମାନଙ୍କରେ ଥିବା ନିଜର ପ୍ରତିପକ୍ଷମାନଙ୍କୁ ସମ୍ମାନ ଜଣାଇବା ଉଚିତ୍ । ସ୍ଥାନ ନୁହେଁ ବରଂ ଖବର ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି ଶ୍ରୀ ଠାକୁର କହିଥିଲେ ।

କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ବ୍ୟକ୍ତି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ଦେଶରେ ସୂଚନା ପରିଦୃଶ୍ୟକୁ ସୁଦୃଢ଼ କରିଛନ୍ତି । ସରଳ ଓ ପାରଦର୍ଶୀ ପ୍ରକ୍ରିୟା ମାଧ୍ୟମରେ ସରକାରୀ ନିୟମକୁ ବ୍ୟବସ୍ଥିତ କରାଯାଇଛି । ଗଣମାଧ୍ୟମ ଆଗରେ ଦେଖା ଦେଉଥିବା ସମସ୍ୟା ଦୂର କରିବା ଲାଗି ସରକାର ଅନେକ ପଦକ୍ଷେପ ନେଇଛନ୍ତି ।
କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ କହିଥିଲେ ଯେ ଉଚ୍ଚମାନର ସାମ୍ବାଦିକତା ସୁନିଶ୍ଚିତ କରିବା, ଗଣମାଧ୍ୟମର ସ୍ବାଧୀନତା ଓ ଉତ୍ତରଦାୟିତ୍ବକୁ ବଜାୟ ରଖିବା ଦିଗରେ ଜାତୀୟ ପ୍ରେସ ପରିଷଦର ଉଲ୍ଲେଖନୀୟ ଭୂମିକା ରହିଛି ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ସାମ୍ବାଦିକ ସ୍ବପନ ଦାସଗୁପ୍ତା କହିଥିଲେ ଯେ ଇଣ୍ଟରନେଟ ଏବଂ ସୋଶାଲ ମିଡିଆ ଦେଶରେ ସମଗ୍ର ଗଣମାଧ୍ୟମ ପରିଦୃଶ୍ୟକୁ ବଦଳାଇ ଦେଇଛନ୍ତି । ସାରା ବିଶ୍ବରେ ସମ୍ବାଦପତ୍ର ଏବଂ ଟେଲିଭିଜନ ଭଳି ମୁଖ୍ୟଧାରର ଗଣମାଧ୍ୟମର ପ୍ରଭାବ ୧୧% ହ୍ରାସ ପାଇଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ପ୍ରେସ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇ, ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.