ଜଷ୍ଟିସ ଉଦୟ ଉମେଶ ଲଳିତ ଭାରତର ୪୯ତମ ପ୍ରଧାନ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ସମ୍ବିଧାନର ଧାରା ୧୨୪ ଉପଧାରା(୨) ଅଧିନରେ କ୍ଷମତାପ୍ରାପ୍ତ ରାଷ୍ଟ୍ରପତି ସୁପ୍ରିମକୋର୍ଟ ବିଚାରପତି ଉଦୟ ଉମେଶ ଲଳିତଙ୍କୁ ଭାରତର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ଦେଇଛନ୍ତି । ଜଷ୍ଟିସ ଉଦୟ ଉମେଶ ଲଳିତ ଅଗଷ୍ଟ ୨୭, ୨ଠ୨୨ ଦିନ ଭାରତର ୪୯ତମ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ।

ଜଷ୍ଟିସ ଉଦୟ ଉମେଶ ଲଳିତ ଅଗଷ୍ଟ ୨ଠ୧୪ରେ ବାରରୁ ସିଧାସଳଖ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଏପରି ସିଧାସଳଖ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆସନ ଅଳଙ୍କୃତ କରିବାରେ ଜଷ୍ଟିସ ଏସ୍ ଏମ୍ ସିକ୍ରୀଙ୍କ ପରେ ସେ ହେବେ ଦ୍ୱିତୀୟ ପ୍ରଧାନ ବିଚାରପତି । ଜଷ୍ଟିସ ଏସ୍ ଏମ୍ ସିକ୍ରୀ ୧୯୭୧ ମସିହାରେ ଦେଶର ୧୩ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ । ଲଳିତ ଦୁଇଥର ସୁପ୍ରିମକୋର୍ଟ ଆଇନ ସେବା କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି ।

ଜଷ୍ଟିସ ୟୁ ୟୁ ଲଳିତ ଅନେକ ଉଲ୍ଲେଖନୀୟ ରାୟ ଶୁଣାଇଛନ୍ତି । ନଭେମ୍ବର ୯, ୧୯୫୭ରେ ମହାରାଷ୍ଟ୍ରର ସୋଲାପୁରରେ ଜନ୍ମିତ ଜଷ୍ଟିସ ଲଳିତ ଜୁନ ୧୯୮୩ ମସିହାରେ ମହାରାଷ୍ଟ୍ର ଓ ଗୋଆର ବାର କାଉନସିଲରେ ଆଡଭୋକେଟ ଭାବେ ପଞ୍ଜୀକୃତ ହୋଇଥିଲେ । ୧୯୮୫ ମସିହା ଡିସେମ୍ବର ପର୍ଯ୍ୟନ୍ତ ବମ୍ବେ ଉଚ୍ଚ ନ୍ୟାୟାଳୟରେ ଓକିଲାତି କରିବା ପରେ ଜାନୁଆରୀ ୧୯୮୬ରେ ସେ ତାଙ୍କ ଆଇନ ପେଶା ଦିଲ୍ଲୀ ସ୍ଥାନାନ୍ତରିତ କରିଥିଲେ ।

ସେ ଅକ୍ଟୋବର ୧୯୮୬ରୁ ୧୯୯୨ ପର୍ଯ୍ୟନ୍ତ ସୋଲିଜେ ସୋରାବଜୀଙ୍କ ଚାମ୍ବରରେ କାର୍ଯ୍ୟ କରିଥିଲେ । ସୋରାବଜୀ ଦେଶର ମହା ଅଧିବକ୍ତା ଥିବା ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଆଇନଜୀବୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୯୨ରୁ ୨ଠଠ୨ ମସିହା ପର୍ଯ୍ୟନ୍ତ ସେ ବିଧିବଦ୍ଧ ଭାବେ ଆଇନ ବ୍ୟବସାୟ କରିବା ସହ ୨ଠଠ୪ ମସିହା ଏପ୍ରିଲ ମାସରେ ସୁପ୍ରିମକୋର୍ଟଙ୍କ ବରିଷ୍ଠ ଆଇନଜୀବୀ ମାନ୍ୟତା ହାସଲ କରିଥିଲେ । ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ଯେପରିକି ଜଙ୍ଗଲ ବିଷୟ, ଯାନବାହନ ପ୍ରଦୂଷଣ, ଯମୁନା ନଦୀ ପ୍ରଦୂଷଣ ଇତ୍ୟାଦି ବିଷୟରେ କୋର୍ଟ ମିତ୍ର ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ । ସମସ୍ତ ୨-ଜି ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ସିବିଆଇର ସ୍ୱତନ୍ତ୍ର ପବ୍ଲିକ ପ୍ରସିକିଉଟର ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ ।

Leave A Reply

Your email address will not be published.