‘ଆଜାଦି କା ଅମୃତ ମହୋତ୍ସବ’ ପାଳନ ଅବସରରେ ଏନଏଚଏଆଇର ଦେଶ ବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, (ପିଆଇବି) : ‘ଆଜାଦି କା ଅମୃତ ମହୋତ୍ସବ’ ଅନ୍ତର୍ଗତ ଏନଏଚଏଆଇ 17 ଜୁଲାଇ, 2022ରେ ଦେଶବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଳନ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସାରା ଦେଶରେ ଗୋଟିଏ ଦିନରେ ଏକ ଲକ୍ଷ ଚାରା ରୋପଣ କରିବା । ଏନଏଚଏଆଇର ଆଞ୍ଚଳିକ କାର୍ଯ୍ୟାଳୟ ଗୁଡ଼ିକ ବୃକ୍ଷରୋପଣ ପାଇଁ 100 ଟି ସ୍ଥାନର ଚିହ୍ନଟ କରିଛନ୍ତି ଯାହାକି ଜାତୀୟ ରାଜପଥ ପାର୍ଶ୍ବ, ଏନଏଚଏଆଇ ଲ୍ୟାଣ୍ଡ ପାର୍ସଲ୍ ଓ ଟୋଲ୍ ପ୍ଲାଜା ନିକଟରେ ରହିଛି। ଭାରତ ସ୍ୱାଧୀନତାର 75 ବର୍ଷ ପାଳନ ଅବସରରେ ଅମୃତ ମହୋତ୍ସବକୁ ସ୍ମରଣୀୟ କରିବା ପାଇଁ ଏନଏଚଏଆଇ 15 ଅଗଷ୍ଟ 2022 ସୁଦ୍ଧା 75 ଲକ୍ଷ ବୃକ୍ଷରୋପଣ କରିବାର ଲକ୍ଷ୍ୟ ରଖିଛି ।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ, ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଏନଏଚଏଆଇର ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହା ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରସାର କରାଯିବ। ଏହି ଅଭିଯାନରେ ମଧ୍ୟ ଲୋକ ପ୍ରତିନିଧି, ସିଭିଲ୍ ସୋସାଇଟି, ଏନଜିଓ ଓ କଲେଜ୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ରାଜସ୍ଥାନ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଆସାମ, ଆନ୍ଧ୍ର ପ୍ରଦେଶ ରାଜ୍ୟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ଚାରା ରୋପଣ ଓ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ସାମିଲ୍ କରାଯିବ । ପରିବେଶ ଉପଯୋଗୀ ଜାତୀୟ ରାଜପଥର ବିକାଶ ପାଇଁ ଏନଏଚଏଆଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରୁଛି । ଏହାର ଲକ୍ଷ୍ୟ ହେଉଛି ଜନସାଧାରଣ, ରାଜ୍ୟ ସରକାର ଏଜେନ୍ସି, ଘରୋଇ ବୃକ୍ଷ ରୋପଣ ଏଜେନ୍ସି, ମହିଳା ଏସଏଚଜିଙ୍କୁ ଜାତୀୟ ଗ୍ରାମୀଣ ଜୀବିକା ମିଶନ୍ (ଏସଆରଏଲ୍ଏମ୍) ଓ ଜଙ୍ଗଲ ଓ ଉଦ୍ୟାନ କୃଷି ବିଶେଷଜ୍ଞଙ୍କ ମାଧ୍ୟମରେ ସାମିଲ୍ କରି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ।

Leave A Reply

Your email address will not be published.