ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଆନ୍ତର୍ଜାତିକ ଚିନ୍ତା ରୂପରେ ଜନସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣାକୁ ଦୃଷ୍ଟିରେ ରଖି ଏମ୍ ପକ୍ସ ସ୍ଥିତି ଉପରେ ନଜର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପି. କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ
- ତୁରନ୍ତ ଚିହ୍ନଟ ପାଇଁ ଅଧିକ ତଦାରଖ କରିବାକୁ ପରାମର୍ଶ
- ପରୀକ୍ଷାଗାର ପ୍ରସ୍ତୁତ ରଖିବା ଲାଗି ନିର୍ଦ୍ଦେଶ
- ଏହି ରୋଗ ବିରୋଧରେ ପ୍ରତିଷେଧକ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ସଚେତନତା ଅଭିଯାନ ଆରମ୍ଭ କରାଯିବ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ଭାବେ ଏମ୍ ପକ୍ସ ସ୍ଥିତି ଉପରେ ନଜର ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମେ ତାଙ୍କର ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ଦେଶରେ ଏମ୍-ପକ୍ସ ମୁକାବିଲା ପାଇଁ ପ୍ରସ୍ତୁତିର ସ୍ଥିତି ଏବଂ ଆନୁସଙ୍ଗିକ ଜନସ୍ୱାସ୍ଥ୍ୟ ପଦକ୍ଷେପର ସମୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ ।
ସୂଚନାଯୋଗ୍ୟ, ଆଫ୍ରିକାର ବିଭିନ୍ନ ସ୍ଥାନରେ ଏହି ରୋଗର ବ୍ୟାପକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ୧୪ ଅଗଷ୍ଟ ୨୦୨୪ରେ ପୁଣି ଥରେ ଏମ୍-ପକ୍ସକୁ ଆନ୍ତର୍ଜାତୀୟ ସ୍ତରରେ ଚିନ୍ତା ଉଦ୍ରେକକାରୀ ଜରୁରି ପରିସ୍ଥିତି ବା ପବ୍ଲିକ୍ ହେଲ୍ଥ୍ ଇମର୍ଜେନ୍ସି ଅଫ୍ ଇଣ୍ଟରନ୍ୟାସନାଲ କନସର୍ନ (ପିଏଚ୍ଇଆଇସି) ରୂପେ ଘୋଷଣା କରିଛି । ଡବ୍ଲ୍ୟୁଏଚ୍ଓର ପୂର୍ବ ବୟାନ ଅନୁଯାୟୀ, ୨୦୨୨ ପର ଠାରୁ ସମଗ୍ର ବିଶ୍ୱରେ ୧୧୬ଟି ଦେଶରେ ୯୯,୧୭୬ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୨୦୮ ଜଣଙ୍କ ମୃତ୍ୟୁ ଘଟିଛି । ପରବର୍ତ୍ତୀ ସମୟରେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଏମ୍-ପକ୍ସ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସେମାନେ ସୂଚନା ଦେଇଛନ୍ତି । ଗତବର୍ଷ ଏହି ମାମଲା ଯଥେଷ୍ଟ ବୃଦ୍ଧି ପାଇଥିଲା ଏବଂ ଚଳିତ ବର୍ଷ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଗତବର୍ଷର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟାକୁ ଟପିଯାଇଛି, ଯେଉଁଥିରେ ୧୫,୬୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ବେଳେ ୫୩୭ ମୃତ୍ୟୁ ଘଟିଛି । ଡବ୍ଲ୍ୟୁଏଚ୍ଓ ଦ୍ୱାରା ୨୦୨୨ରେ ଆନ୍ତର୍ଜାତୀୟ ଚିନ୍ତାର ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବା ପରଠାରୁ ଭାରତରେ ୩୦ଟି ମାମଲା ସାମ୍ନାକୁ ଆସିଛି । ୨୦୨୪ ମାର୍ଚ୍ଚରେ ଶେଷ ଥର ପାଇଁ ଏମ୍ ପକ୍ସ ମାମଲା ଚିହ୍ନଟ ହୋଇଥିଲା । ଏହି ଉଚ୍ଚସ୍ତରୀୟ ବୈଠକରେ ସୂଚନା ଦିଆଯାଇଥିଲା ଯେ, ବର୍ତ୍ତମାନ ସୁଦ୍ଧା ଦେଶରେ ଏମ୍ ପକ୍ସର କୌଣସି ମାମଲା ସାମ୍ନାକୁ ଆସିନାହିଁ । ବର୍ତ୍ତମାନର ଆକଳନ ଅନୁଯାୟୀ, ନିରନ୍ତର ସଂକ୍ରମଣ ସହିତ ବଡ଼ ଧରଣର ସଂକ୍ରମଣ ହେବାର ଆଶଙ୍କା କମ୍ ରହିଛି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ ଅବଗତ କରାଯାଇଥିଲା ଯେ, ଏମ୍-ପକ୍ସ ସଂକ୍ରମଣ ସାଧାରଣତଃ ୨-୪ ସପ୍ତାହ ପର୍ଯ୍ୟନ୍ତ ବ୍ୟାପୁଥିବା ଏକ ସଂକ୍ରାମକ ବ୍ୟାଧି । ଏମ୍-ପକ୍ସ ରୋଗୀମାନେ ସାଧାରଣତଃ ସହାୟକ ଚିକିତ୍ସା ସେବା ଏବଂ ପରିଚାଳନା ଦ୍ୱାରା ସୁସ୍ଥ ହୁଅନ୍ତି । ସଂକ୍ରମିତ ରୋଗୀଙ୍କ ସହ ଦୀର୍ଘ ସମୟ ରହିବା ଏବଂ ଘନିଷ୍ଠ ସଂସ୍ପର୍ଶରେ ଆସିବା ଦ୍ୱାରା ଏମ୍-ପକ୍ସ ସଂକ୍ରମଣ ହୁଏ । ଏହା ମୁଖ୍ୟତଃ ଯୌନ ମାର୍ଗ, ରୋଗୀର ଶରୀର/କ୍ଷତ ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିବା କିମ୍ବା ସଂକ୍ରମିତ ବ୍ୟକ୍ତିର ଦୂଷିତ ପୋଷାକ/ଲିନେନ୍ ମାଧ୍ୟମରେ ହୋଇଥାଏ । ଗତ ଏକ ସପ୍ତାହ ମଧ୍ୟରେ ନିମ୍ନଲିଖିତ ପଦକ୍ଷେପ ନିଆଯାଇଛି ବୋଲି ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଥିଲେ :
- ଭାରତ ପାଇଁ ବିପଦ ଆକଳନ କରିବା ନିମନ୍ତେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନ୍ସିଡିସି) ଦ୍ୱାରା ୧୨ ଅଗଷ୍ଟ, ୨୦୨୪ରେ ବିଶେଷଜ୍ଞମାନଙ୍କର ଏକ ବୈଠକ ଡକାଯାଇଥିଲା ।
- ଏନ୍ସିଡିସି ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ଏମ୍ପକ୍ସ ଉପରେ ଏକ ସଂକ୍ରାମକ ରୋଗ (ସିଡି) ଆଲର୍ଟକୁ ଅପଡେଟ୍ କରାଯାଉଛି ।
- ଅନ୍ତର୍ଜାତୀୟ ବିମାନବନ୍ଦର (ପୋର୍ଟ ଅଫ୍ ଏଣ୍ଟ୍ରି)ରେ ସ୍ୱାସ୍ଥ୍ୟ ଟିମ୍ର ସଚେତନତା ଆରମ୍ଭ ହୋଇଛି ।
- ଆଜି ସକାଳେ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚ୍ଏସ୍) ପକ୍ଷରୁ ୨୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ନେଇ ଏକ ଭିଡିଓ କନଫରେନ୍ସିଂ ବୈଠକ ଡକାଯାଇଥିଲା । ରାଜ୍ୟରେ ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ (ଆଇଡିଏସ୍ପି) ୟୁନିଟ୍ ଏବଂ ଆନ୍ତର୍ଜାତୀୟ ସୀମାରେ ପ୍ରବେଶ ବନ୍ଦର ଇତ୍ୟାଦି ସମେତ ରାଜ୍ୟସ୍ତରରେ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ସଚେତନ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପି. କେ. ମିଶ୍ର ନିରୀକ୍ଷଣ ବଢ଼ାଇବା ସହ ମାମଲାଗୁଡ଼ିକର ତୁରନ୍ତ ଚିହ୍ନଟ ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଯେ, ଶୀଘ୍ର ରୋଗ ଚିହ୍ନଟ ପାଇଁ ପରୀକ୍ଷାଗାର ନେଟ୍ୱାର୍କ ପ୍ରସ୍ତୁତ କରାଯାଉ । ବର୍ତ୍ତମାନ ୩୨ଟି ପରୀକ୍ଷାଗାର ନମୁନା ପରୀକ୍ଷା ପାଇଁ ପ୍ରସ୍ତୁତ ରହିଛି । ଏହି ରୋଗର ନିରାକରଣ ଓ ଚିକିତ୍ସା ପାଇଁ ନିର୍ଦ୍ଧାରିତ ନିୟମକୁ ବ୍ୟାପକ ଭାବେ ପ୍ରସାରିତ କରିବାକୁ ଡାକ୍ତର ପି.କେ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହି ରୋଗର ଲକ୍ଷଣ ଓ ସଂକେତ ସମ୍ପର୍କରେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ମଧ୍ୟରେ ସଚେତନତା ଅଭିଯାନ ଏବଂ ନିରୀକ୍ଷଣ ବ୍ୟବସ୍ଥାକୁ ଠିକ୍ ସମୟରେ ପ୍ରସାରିତ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ନୀତି ସଦସ୍ୟ ଡାକ୍ତର ଭିକେ ପଲ୍, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଅପୂର୍ବ ଚନ୍ଦ୍ର, ସ୍ୱାସ୍ଥ୍ୟ ଗବେଷଣା ସଚିବ ଡାକ୍ତର ରାଜୀବ ବହଲ, ସଦସ୍ୟ ସଚିବ (ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ) କ୍ରିଷ୍ଣା ଏସ୍ ବତ୍ସ, ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ଏବଂ ଗୃହ ସଚିବ ଗୋବିନ୍ଦ ମୋହନଙ୍କ ସମେତ ଅନ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ ।