centurian jitm

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ

  • ଆଠଗଡ଼ ବ୍ଲକ୍ ଧାଇପୁର ଓ କଟକ ସହରର ମାଛୁଆ ବଜାରଠାରେ ବିକଶିତ ଭାରତ ସଂକଳ୍ପ
    ଯାତ୍ରାକୁ କଲେ ସମ୍ବୋଧିତ
  • ଗତ ଏକ ଦଶନ୍ଧି ଧରି ମୋଦୀ ସରକାର ସବୁ ବର୍ଗର କଲ୍ୟାଣ ପାଇଁ କାମ କରୁଛନ୍ତି
  • ମୋଦୀ ସରକାରଙ୍କ ଦ୍ୱାରା ପ୍ରଣିତ ଯୋଜନାର ଲାଭ ନେବା ଏବଂ ବିକଶିତ ଭାରତ ଗଠନରେ
    ଯୋଗଦାନ କରିବାକୁ ହିତାଧିକାରୀଙ୍କୁ କେନ୍ଦ୍ର ମନ୍ତ୍ରୀ ଦେଲେ ପରାମର୍ଶ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ଏବଂ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆଜି କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଧାଇପୁର ପଞ୍ଚାୟତ ଏବଂ କଟକ ମହାନଗର ନିଗମ ଅଧୀନ ମାଛୁଆ ବଜାରଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ସୋନୱାଲ ଏହି ଅବସରରେ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହିତ କଥା ହୋଇଥିଲେ। ଧାଇପୁରଠାରେ ଆୟୋଜିତ ସଭାକୁ ସମ୍ବୋଧିତ କରି ଶ୍ରୀ ସୋନୱାଲ କହିଥିଲେ, ବିଗତ ପ୍ରାୟ ୧ ଦଶନ୍ଧି ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ସବ୍କା ସାଥ୍, ସବ୍କା ବିଶ୍ୱାସ, ସବ୍କା ବିକାଶ ଏବଂ ସବ୍କା ପ୍ରୟାସ ଲକ୍ଷ୍ୟ ନେଇ ସବୁ ବର୍ଗର ଲୋକମାନଙ୍କ କଲ୍ୟାଣ ପ୍ରତି କାର୍ଯ୍ୟ କରି ଆସୁଛନ୍ତି। ଅରୁଣାଚଳ ପ୍ରଦେଶଠାରୁ ଆରମ୍ଭ କରି ଗୁଜରାଟ ପର୍ଯ୍ୟନ୍ତ, କାଶ୍ମୀରଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳର ଜନତାଙ୍କ କଲ୍ୟାଣ ପାଇଁ ମୋଦୀ ସରକାର କାମ କରିଛନ୍ତି । ଓଡ଼ିଶା ସମ୍ପର୍କରେ ମତବ୍ୟକ୍ତ କରି ଶ୍ରୀ ସୋନୱାଲ କହିଥିଲେ, ଓଡ଼ିଶା ବାସୀ ଖୁବ୍ ପରିଶ୍ରମୀ ଏବଂ ସଚ୍ଚୋଟ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ଦ୍ୱାରା ଓଡ଼ିଶା ଦେଶର ଅନ୍ୟତମ ସମୃଦ୍ଧ ରାଜ୍ୟରେ ପରିଣତ ହେବ ବୋଲି ଶ୍ରୀ ସୋନୱାଲ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ସେ ଆହୁରି କହିଥିଲେ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେଶର ଗରିବମାନଙ୍କୁ ମାଗଣା ରାସନ ଯୋଗାଇବାର ସୁବିଧାକୁ ଆଉ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସବୁ ବର୍ଗର ଲୋକଙ୍କୁ ସମାନ ସୁଯୋଗ, ସମ୍ମାନ, ସହାୟତା ଦିଆଯାଇଛି ଫଳରେ ସାଧାରଣ ଓ ଗରିବ ଲୋକଙ୍କ ଆତ୍ମସମ୍ମାନ ବଢ଼ିଛି। ଆଜି ସାରା ବିଶ୍ୱରେ ଭାରତର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି ବୋଲି ଶ୍ରୀ ସୋନୱାଲ କହିଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଏବଂ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ ଉପରେ ମଧ୍ୟ ସେ ତାଙ୍କ ଅଭିଭାଷଣରେ ଆଲୋକପାତ କରିଥିଲେ । କଟକ ସହରର ମାଛୁଆ ବଜାର ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମାରୋହକୁ ସମ୍ବୋଧିତ କରି ଶ୍ରୀ ସୋନୱାଲ କହିଥିଲେ, ମୋଦୀଙ୍କ ଗ୍ୟାରେଣ୍ଟି ଗାଡ଼ି ଆଜି ଦେଶର ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ପହଞ୍ଚୁଛି । ସରକାରୀ ଯୋଜନାରୁ ବଞ୍ଚିତ ଲୋକଙ୍କୁ ଘର ପାଖରେ ସବୁ ମୌଳିକ ସୁବିଧା ଯୋଗାଇ ଦେବା ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ । ମୋଦୀ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବେଟୀ ବଚାଓ ବେଟୀ ପଢ଼ାଓ ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା, ଆବାସ ଯୋଜନା ଭଳି ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଦ୍ୱାରା ସମାଜର ପ୍ରତ୍ୟେକ ବର୍ଗ ଉପକୃତ ହେଉଛନ୍ତି । କେନ୍ଦ୍ର ମନ୍ତ୍ରୀ ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ମୋଦୀ ସରକାରଙ୍କ ବିଭିନ୍ନ ଯୋଜନା, ଯୁବବର୍ଗଙ୍କ କଲ୍ୟାଣ ପାଇଁ ମାଇ ଯୁବା ଭାରତ ଯୋଜନା ଆଦିର ଉଦାହରଣ ମଧ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ସବୁବର୍ଗର ନାଗରିକ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଆଗେଇ ଆସିବା ପାଇଁ ଶ୍ରୀ ସୋନୱାଲ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.