jayashree

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ‘କେନ୍ଦ୍ରୀୟ ହିନ୍ଦୀ ସମିତି’ର ୩୨ତମ ବୈଠକ ଅନୁଷ୍ଠିତ

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଭାଷାଗୁଡ଼ିକର ସଂରକ୍ଷଣ, ପ୍ରସାର ଏବଂ ବ୍ୟାପକ ବ୍ୟବହାର ପାଇଁ ପ୍ରମୁଖ ପଦକ୍ଷେପ ଗ୍ରହଣ କରିଛନ୍ତି
  • ଆଗାମୀ ୫ ବର୍ଷ ମଧ୍ୟରେ ‘ହିନ୍ଦୀ ଶବ୍ଦସିନ୍ଧୁ’ ଅଭିଧାନ ବିଶ୍ୱର ସର୍ବବୃହତ ଓ ସମୃଦ୍ଧ ଅଭିଧାନରେ ପରିଣତ ହେବ
  • ଭାରତୀୟ ଭାଷାଗୁଡ଼ିକର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ମୋଦୀ ସରକାରଙ୍କ କାର୍ଯ୍ୟକାଳ ଏକ ଗୌରବମୟ ସମୟ
  • ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠି ୧୧ଟି ଶାସ୍ତ୍ରୀୟ ଭାଷା ଅଛି
  • ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ଆନ୍ତର୍ଜାତୀୟ ମଞ୍ଚରେ ହିନ୍ଦୀରେ ନିଜର ବକ୍ତବ୍ୟ ପ୍ରଦାନ କରି ହିନ୍ଦୀ ଭାଷାର ଗୁରୁତ୍ୱ ବଢ଼ାଇଛନ୍ତି
  • ଦେଶର ବିକାଶରେ ଯୁବପିଢ଼ିଙ୍କ ସମ୍ପୂର୍ଣ୍ଣ ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ସେମାନେ ନିଜ ମାତୃଭାଷାରେ ପଢ଼ିବା, ବିଚାର କରିବା, ବିଶ୍ଳେଷଣ କରିବା ଓ ନିଷ୍ପତ୍ତି ନେବା ଜରୁରୀ
  • ‘କେନ୍ଦ୍ରୀୟ ହିନ୍ଦୀ ସମିତି’ର ଉଦ୍ଦେଶ୍ୟ ହେଉଛି ହିନ୍ଦୀ ସାହିତ୍ୟକୁ ପ୍ରୋତ୍ସାହିତ କରିବା ଏବଂ ହିନ୍ଦୀକୁ ଦେଶର ସଂଯୋଗକାରୀ ଭାଷା ଭାବରେ ପ୍ରତିଷ୍ଠା କରିବା
  • ଭାରତୀୟ ଭାଷାରେ ଇଞ୍ଜିନିୟରିଂ, ଡାକ୍ତରୀ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାର ଉପଲବ୍ଧତା ଦେଶର ସମସ୍ତ ଭାଷାର ବିକାଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛି
  • ହିନ୍ଦୀକୁ ସଶକ୍ତ କରିବା ପାଇଁ ଗତ ୫ ବର୍ଷ ମଧ୍ୟରେ ନିଆଯାଇଥିବା ତିନୋଟି ପ୍ରମୁଖ ପଦକ୍ଷେପ ହେଉଛି ହିନ୍ଦୀ ଶବ୍ଦସିନ୍ଧୁ ଅଭିଧାନ ପ୍ରସ୍ତୁତି, ଭାରତୀୟ ଭାଷା ଅନୁଭାଗ ପ୍ରତିଷ୍ଠା ଏବଂ ଦେଶର ବିଭିନ୍ନ ସ୍ଥାନରେ ରାଜଭାଷା ସମ୍ମିଳନୀ ଆୟୋଜନ କରିବା

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ‘କେନ୍ଦ୍ରୀୟ ହିନ୍ଦୀ ସମିତି’ର ୩୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ହିନ୍ଦୀ ସମିତି ହିନ୍ଦୀ ଭାଷାର ବିକାଶ ଓ ପ୍ରସାର ସଂକ୍ରାନ୍ତରେ ମାର୍ଗଦର୍ଶିକା ନିର୍ଦ୍ଧାରଣ କରୁଥିବା ସର୍ବୋଚ୍ଚ ସମିତି ଅଟେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଭାଷାଗୁଡ଼ିକର ସଂରକ୍ଷଣ, ପ୍ରସାର ଏବଂ ବ୍ୟାପକ ବ୍ୟବହାର ପାଇଁ ପ୍ରମୁଖ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ସମୟ ଭାରତୀୟ ଭାଷାର ସଂରକ୍ଷଣ ଓ ପ୍ରସାର ପାଇଁ ଏକ ଗୌରବମୟ ସମୟ । ସେ କହିଛନ୍ତି ଯେ, ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ୫ଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ, ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ୧୧ଟି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଛି । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ଆନ୍ତର୍ଜାତୀୟ ମଞ୍ଚରେ ହିନ୍ଦୀରେ ନିଜର ବକ୍ତବ୍ୟ ପ୍ରଦାନ କରି ସରକାରୀ ଭାଷା ହିନ୍ଦୀର ଗୌରବ ବଢ଼ାଇବା ପାଇଁ କାର୍ଯ୍ୟ କରିଛନ୍ତି । ଭାରତୀୟ ଭାଷାରେ ଇଞ୍ଜିନିୟରିଂ, ଡାକ୍ତରୀ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାର ଉପଲବ୍ଧତା ସମସ୍ତ ଭାଷାର ବିକାଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛି । ଦେଶରେ ଭାଷାର ବିକାଶ ଦିଗରେ ଏହା ଏକ ପ୍ରେରଣାଦାୟୀ ପରିବର୍ତ୍ତନ ଏବଂ ଦେଶର ସାମର୍ଥ୍ୟକୁ ଶତ ପ୍ରତିଶତ ଉପଯୋଗ କରିବା ଏହାର ଲକ୍ଷ୍ୟ ବୋଲି ଶ୍ରୀ ଶାହ କହିଛନ୍ତି । ଦେଶର ବିକାଶରେ ଆମ ପିଲା ଓ ଯୁବକମାନଙ୍କର ପୂର୍ଣ୍ଣ ସାମର୍ଥ୍ୟକୁ ସାକାର କରିବାକୁ ହେଲେ ମାତୃଭାଷାରେ ଅଧ୍ୟୟନ, ବିଶ୍ଳେଷଣ ଓ ନିଷ୍ପତ୍ତି ନେବା ଜରୁରୀ ବୋଲି ସେ କହିଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ, କେନ୍ଦ୍ରୀୟ ହିନ୍ଦୀ ସମିତିର ଉଦ୍ଦେଶ୍ୟ ହେଉଛି ହିନ୍ଦୀ ସାହିତ୍ୟକୁ ପ୍ରୋତ୍ସାହିତ କରିବା ଏବଂ ହିନ୍ଦୀକୁ ଦେଶର ସଂଯୋଗକାରୀ ଭାଷା ଭାବରେ ପ୍ରତିଷ୍ଠା କରିବା । ଶ୍ରୀ ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହିନ୍ଦୀକୁ ସଶକ୍ତ କରିବା ପାଇଁ ଗତ ୫ ବର୍ଷ ମଧ୍ୟରେ ତିନୋଟି ପ୍ରମୁଖ କାର୍ଯ୍ୟ କରାଯାଇଛି । ପ୍ରଥମ ପ୍ରମୁଖ କାର୍ଯ୍ୟ ହେଉଛି ହିନ୍ଦୀ ଶବ୍ଦସିନ୍ଧୁ ଅଭିଧାନ ପ୍ରସ୍ତୁତି । ଆଗାମୀ ୫ ବର୍ଷ ମଧ୍ୟରେ ଶବ୍ଦସିନ୍ଧୁ ବିଶ୍ୱର ସବୁଠାରୁ ସମୃଦ୍ଧ ଅଭିଧାନରେ ପରିଣତ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି । ଭାରତୀୟ ଭାଷା ବିଭାଗ ପ୍ରତିଷ୍ଠା ଦ୍ୱିତୀୟ ପ୍ରମୁଖ କାର୍ଯ୍ୟ ବୋଲି ଶ୍ରୀ ଶାହ କହିଛନ୍ତି, ଯେପର୍ଯ୍ୟନ୍ତ ଆମେ ସମସ୍ତ ଭାରତୀୟ ଭାଷାକୁ ସୁଦୃଢ଼ କରିବା ନାହିଁ, ଆମେ ଆଗକୁ ବଢ଼ିପାରିବା ନାହିଁ । ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଅନୁବାଦ କରିବା ଦିଗରେ ଭାରତୀୟ ଭାଷା ବିଭାଗ ପଦକ୍ଷେପ ନେଇଛି ବୋଲି ସେ କହିଛନ୍ତି । ତୃତୀୟ ପ୍ରମୁଖ କାର୍ଯ୍ୟ ହେଉଛି ଦେଶର ବିଭିନ୍ନ ସ୍ଥାନରେ ରାଜଭାଷା ସମ୍ମିଳନୀ ଆୟୋଜନ କରିବା, ଯାହା ସରକାରୀ ଭାଷାର ମହତ୍ତ୍ୱକୁ ସହଜରେ ବୁଝିବା ସମ୍ଭବ ହେବ ବୋଲି ଗୃହମନ୍ତ୍ରୀ କହିଛନ୍ତି । ଅମିତ ଶାହ ହିନ୍ଦୀକୁ ସୁଦୃଢ଼ କରିବା ଲାଗି ଦୁଇଟି ପ୍ରମୁଖ କାର୍ଯ୍ୟ ପାଇଁ ଆହ୍ୱାନ ଦେଇଥିଲେ । ପ୍ରଥମତଃ ହିନ୍ଦୀ ସାହିତ୍ୟର ସୁଦୃଢ଼ୀକରଣ, ସଂରକ୍ଷଣ ଓ ବ୍ୟାକରଣ ପାଇଁ ଏକ ଦୀର୍ଘମିଆଦୀ ନୀତି ପ୍ରଣୟନ କରିବାର ଆବଶ୍ୟକତା ରହିଛି । ଏହା ସହିତ ଆଧୁନିକ ଶିକ୍ଷାର ସମସ୍ତ ପାଠ୍ୟକ୍ରମକୁ ହିନ୍ଦୀ ସମେତ ସମସ୍ତ ଭାରତୀୟ ଭାଷାରେ ଅନୁବାଦ କରିବାର ଆବଶ୍ୟକତା ରହିଛି । ହିନ୍ଦୀକୁ ଗ୍ରହଣୀୟ ଏବଂ ନମନୀୟ କରିବା ଉପରେ ମଧ୍ୟ ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସଦୀୟ ସରକାରୀ ଭାଷା ସମିତିର ଉପାଧ୍ୟକ୍ଷ ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ । ସଂସଦ ସରକାରୀ ଭାଷା ସମିତିର ତିନିଟି ଯାକ ଉପସମିତିର ଆବାହକ, ସରକାରୀ ଭାଷା ବିଭାଗ ସଚିବ ଶ୍ରୀମତୀ ଅଂଶୁଲି ଆର୍ଯ୍ୟ ଓ ଯୁଗ୍ମ ସଚିବ ଡ. ମୀନାକ୍ଷୀ ଜଲି ଯୋଗ ଦେଇଥିଲେ । ଉଲ୍ଲେଖଯୋଗ୍ୟ, ହିନ୍ଦୀର ପ୍ରଚାର ଓ ପ୍ରଗତିଶୀଳ ବ୍ୟବହାର ସମ୍ପର୍କରେ ମାର୍ଗଦର୍ଶିକା ପ୍ରଦାନ କରୁଥିବା ସର୍ବୋଚ୍ଚ ସଂସ୍ଥା ହେଉଛି କେନ୍ଦ୍ରୀୟ ହିନ୍ଦୀ ସମିତି । ଏହି ସମିତିର କାର୍ଯ୍ୟ ହେଉଛି ହିନ୍ଦୀର ବିକାଶ ଓ ପ୍ରସାର କ୍ଷେତ୍ରରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟ ଏବଂ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା । ଏହି ସମିତିର କାର୍ଯ୍ୟ ସମ୍ପାଦନରେ ସହଯୋଗ କରିବା ପାଇଁ ଆବଶ୍ୟକ ଅନୁଯାୟୀ ଉପସମିତି ଏବଂ ସହକାରୀ ଅତିରିକ୍ତ ସଦସ୍ୟ ନିଯୁକ୍ତ କରିବାର ଅଧିକାର ରହିଛି । ସମିତିର କାର୍ଯ୍ୟକାଳ ସାଧାରଣତଃ ୩ ବର୍ଷ ହୋଇଥାଏ । ୨୦୨୧ ନଭେମ୍ବର ୯ ତାରିଖରେ ବର୍ତ୍ତମାନର ସମିତିର ପୁନର୍ଗଠନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ବର୍ତ୍ତମାନର କେନ୍ଦ୍ରୀୟ ହିନ୍ଦୀ ସମିତିରେ ୯ ଜଣ କେନ୍ଦ୍ରମନ୍ତ୍ରୀ, ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସଂସଦୀୟ ସରକାରୀ ଭାଷା ସଂକ୍ରାନ୍ତ ସମିତିର ଉପାଧ୍ୟକ୍ଷ ଏବଂ ତିନି ଜଣ ଆବାହକଙ୍କୁ ମିଶାଇ ୨୧ ଜଣ ସଦସ୍ୟ ରହିଛନ୍ତି ।

Leave A Reply

Your email address will not be published.