କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ସମୀକ୍ଷା ବୈଠକ ଅନୁଷ୍ଠିତ

  • ସମୀକ୍ଷା ବୈଠକରେ ଜମା ସଂଗ୍ରହ, ଡିଜିଟାଲ୍ ପେମେଣ୍ଟ୍ ଏବଂ ସାଇବର ସୁରକ୍ଷା, ନୂଆ କ୍ରେଡିଟ୍ ପ୍ରଡକ୍ଟ / ସ୍କିମ୍‌ର କାର୍ଯ୍ୟକାରିତା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅଧୀନରେ ଋଣ ପ୍ରଦାନ ଭଳି ବିଭିନ୍ନ ଆର୍ଥିକ ମାନଦଣ୍ଡ ଉପରେ ବିସ୍ତୃତ ଆଲୋଚନା
  • ଜମା ରାଶି ହାସଲ ପାଇଁ ସ୍ବତନ୍ତ୍ର ଅଭିଯାନ ଚଳାଇବାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ; ଦକ୍ଷ ଗ୍ରାହକ ସେବା ପ୍ରଦାନ ଉପରେ ଧ୍ୟାନ ଦେବା ଏବଂ ଗ୍ରାମୀଣ ଏବଂ ଅର୍ଦ୍ଧ-ସହରାଞ୍ଚଳରେ ଗ୍ରାହକଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ
  • ଶ୍ରୀମତୀ ସୀତାରମଣ ଠକେଇ ଏବଂ ସାଇବର ସୁରକ୍ଷା ବିପଦ ବିରୋଧରେ ବ୍ୟାଙ୍କ, ସରକାର, ନିୟାମକ ଏବଂ ସୁରକ୍ଷା ଏଜେନ୍ସି ମଧ୍ୟରେ ସହଯୋଗୀ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ
  • ଡିଜିଟାଲ କାରବାର ଏବଂ ନଗଦ ପ୍ରବାହ ଉପରେ ଆଧାରିତ ଏମ୍‌ଏସ୍‌ଏମ୍‌ଇଗୁଡିକ ପାଇଁ ଏକ ନୂତନ ଋଣ ମୂଲ୍ୟାଙ୍କନ ମଡେଲ ସମେତ ନିକଟରେ ହୋଇଥିବା ବଜେଟ୍ ଘୋଷଣାଗୁଡ଼ିକୁ ବ୍ୟାଙ୍କଗୁଡିକ ଶୀଘ୍ର କାର୍ଯ୍ୟକାରୀ କରିବା ଉଚିତ୍‌ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି
  • ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଏବଂ ପିଏମ୍ ବିଶ୍ୱକର୍ମା ଯୋଜନା ଭଳି ପଦକ୍ଷେପ ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ଋଣ ପ୍ରବାହକୁ ଆହୁରି ବୃଦ୍ଧି କରିବା ଉପରେ ଧ୍ୟାନ ଦେବାକୁ ଶ୍ରୀମତୀ ସୀତାରମଣ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଆର୍ଥିକ ମାନଦଣ୍ଡ, ଜମା ସଂଗ୍ରହ, ଡିଜିଟାଲ୍ ପେମେଣ୍ଟ ଏବଂ ସାଇବର ସୁରକ୍ଷା ଢାଞ୍ଚା ଉପରେ ପ୍ରଦର୍ଶନର ସମୀକ୍ଷା କରିବା ସହିତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅଧୀନରେ ଋଣ ଉପଲବ୍ଧତା ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ସହିତ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗ ଗୁଡ଼ିକର ସମୀକ୍ଷା କରିଛନ୍ତି । ବୈଠକରେ ସଚିବ ଡ. ବିବେକ ଯୋଶୀ, ଆର୍ଥିକ ସେବା ବିଭାଗର ମନୋନୀତ ସଚିବ ଏମ୍ ନାଗାରାଜୁ; ରାଷ୍ଟ୍ରାୟତ୍ତ ବ୍ୟାଙ୍କମୁଖ୍ୟଙ୍କ (ପିଏସ୍‍ବି) ସମେତ ଆର୍ଥିକ ସେବା ବିଭାଗ (ଡିଏଫ୍ଏସ୍)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ଉଲ୍ଲେଖ କରାଯାଇଥିଲା ଯେ, ଆର୍ଥିକ ବର୍ଷ ୨୪ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ସମସ୍ତ ଆର୍ଥିକ ମାନଦଣ୍ଡରେ ଭଲ ପ୍ରଦର୍ଶନ କରିଛନ୍ତି, ଯାହାର ପ୍ରମାଣ ହେଉଛି ନିଟ୍ ଏନ୍‌ପିଏ (ଏନ୍‌ଏନ୍‌ପିଏ) ୦.୭୬%କୁ ହ୍ରାସ ପାଇଛି, ବ୍ୟାଙ୍କଗୁଡ଼ିକର ସୁଦୃଢ଼ ପୁଞ୍ଜି ପର୍ଯ୍ୟାପ୍ତତା ୧୫.୫୫%, ବ୍ୟାଙ୍କଗୁଡ଼ିକର ନିଟ୍ ସୁଧ ସୀମା (ଏନ୍ ଆଇଏମ୍) ୩.୨୨% ଏବଂ ଅଂଶଧନଧାରୀମାନଙ୍କୁ ୨୭,୮୩୦ କୋଟି ଟଙ୍କାର ଲାଭାଂଶ ସହିତ ସର୍ବାଧିକ ୧.୪୫ ଲକ୍ଷ କୋଟି ଟଙ୍କାର ନିଟ୍ ସମୁଦାୟ ଲାଭ ହୋଇପାରିଛି । ବିଭିନ୍ନ ମାନଦଣ୍ଡରେ ଉନ୍ନତି ମଧ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ବଜାରରୁ ପୁଞ୍ଜି ସଂଗ୍ରହ କରିବାର କ୍ଷମତାକୁ ବୃଦ୍ଧି କରିଛି । ଜମା ସଂଗ୍ରହ ଉପରେ ଆଲୋଚନା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ ଯେ, ଋଣ ଅଭିବୃଦ୍ଧି ବୃଦ୍ଧି ପାଇଥିବା ବେଳେ ଋଣ ଅଭିବୃଦ୍ଧିକୁ ସ୍ଥାୟୀ ଭାବେ ପାଣ୍ଠି ଯୋଗାଇବା ପାଇଁ ଜମା ସଂଗ୍ରହରେ ଆହୁରି ଉନ୍ନତି କରାଯାଇପାରିବ ଏବଂ ବ୍ୟାଙ୍କଗୁଡ଼ିକ ସ୍ୱତନ୍ତ୍ର ଅଭିଯାନ ଚଳାଇ ଜମା ହାସଲ ପାଇଁ ମିଳିତ ପ୍ରୟାସ କରିବାକୁ କହିଛନ୍ତି । ଶ୍ରୀମତୀ ସୀତାରମଣ ଦକ୍ଷ ଗ୍ରାହକ ସେବା ପ୍ରଦାନ ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ଗ୍ରାହକଙ୍କ ସହିତ ଉତ୍ତମ ସମ୍ପର୍କ ରଖିବାକୁ ପରାମର୍ଶ ଦେଇଥିଲେ । ବିଶେଷକରି ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳରେ କର୍ମଚାରୀମାନେ ଯେପରି ସେମାନଙ୍କ ଗ୍ରାହକଙ୍କ ସହ ଯୋଗାଯୋଗ କରିପାରିବେ ତାହା ସୁନିଶ୍ଚିତ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛନ୍ତି । ଶ୍ରୀମତୀ ସୀତାରମଣ ଉଦୀୟମାନ କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସ ବାଣ୍ଟି ସମ୍ପୃକ୍ତ ଶକ୍ତିର ଉପଯୋଗ କରିବା ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପରିବର୍ତ୍ତନ ସହିତ ତାଳ ଦେଇ ନିଜକୁ ସଶକ୍ତ କରିବା ପାଇଁ ସହଯୋଗର ଅନୁସନ୍ଧାନ କରିବାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଥିଲେ । ସମ୍ପତ୍ତିର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ବ୍ୟାଙ୍କଗୁଡିକ କରିଥିବା ପ୍ରୟାସକୁ ସ୍ୱୀକାର କରିବା ସହିତ ଶ୍ରୀମତୀ ସୀତାରମଣ ଏନ୍‌ସିଏଲ୍‌ଟି ଏବଂ ଏନ୍‌ଏଆର୍‌ସିଏଲ୍‌ ଦ୍ୱାରା ପ୍ରଦାନ କରାଯାଇଥିବା ସମାଧାନ ଏବଂ ପୁନରୁଦ୍ଧାରର ପରିସରକୁ ଅନୁକୂଳ କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ଡିଜିଟାଲ ପେମେଣ୍ଟ ଏବଂ ସାଇବର ସୁରକ୍ଷା ଢାଞ୍ଚା ସହ ଜଡିତ ପ୍ରସଙ୍ଗଉପରେ ମଧ୍ୟ ଆଲୋଚନା ହୋଇଥିଲା । କେନ୍ଦ୍ର ଅର୍ଥମନ୍ତ୍ରୀ ସାଇବର ନିରାପତ୍ତା ପ୍ରସଙ୍ଗକୁ ବ୍ୟବସ୍ଥାଗତ ଦୃଷ୍ଟିକୋଣରୁ ଦେଖିବାକୁ ପରାମର୍ଶ ଦେବା ସହ ସାଇବର ବିପଦ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବ୍ୟାଙ୍କ, ସରକାର, ନିୟାମକ ଏବଂ ସୁରକ୍ଷା ଏଜେନ୍ସିମାନଙ୍କ ମଧ୍ୟରେ ମିଳିତ ଆଭିମୁଖ୍ୟ ଆବଶ୍ୟକ ବୋଲି ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ର ଅର୍ଥମନ୍ତ୍ରୀ ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ, ଆଇଟି ବ୍ୟବସ୍ଥାର ପ୍ରତ୍ୟେକ ଦିଗକୁ ସାଇବର ସୁରକ୍ଷା ଦୃଷ୍ଟିକୋଣରୁ ସମୟ ସମୟରେ ଏବଂ ଭଲ ଭାବରେ ସମୀକ୍ଷା କରାଯିବା ଉଚିତ ଯାହା ଦ୍ୱାରା ବ୍ୟାଙ୍କ ବ୍ୟବସ୍ଥାର ନିରାପତ୍ତା ଉଲ୍ଲଂଘନ କିମ୍ବା ବାଧାପ୍ରାପ୍ତ ନହୁଏ । ଶ୍ରୀମତୀ ସୀତାରମଣ ଉଲ୍ଲେଖ କରିଥିଲେ ଯେ, ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସମାଜର ତଳ ସ୍ତରରେ ଥିବା ନାଗରିକମାନଙ୍କୁ ସେମାନଙ୍କ ଜୀବିକା ଏବଂ ଜୀବନରେ ଉନ୍ନତି ଆଣିବା ପାଇଁ ଋଣ ପହଞ୍ଚାଇବାପାଇଁ ସର୍ବଦା ପ୍ରୟାସ କରିଆସିଛନ୍ତି । ଡିଜିଟାଲ କାରବାର ଏବଂ ନଗଦ ପ୍ରବାହ ଉପରେ ଆଧାରିତ ଏମ୍‌ଏସ୍‌ଏମ୍‌ଇ ପାଇଁ ଏକ ନୂତନ ଋଣ ମୂଲ୍ୟାୟନ ମଡେଲ ସମେତ ନିକଟରେ ବଜେଟ୍ ଘୋଷଣାକୁ ତ୍ୱରାନ୍ୱିତ କରିବାକୁ ସେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଏବଂପିଏମ୍‌ ବିଶ୍ୱକର୍ମା ଯୋଜନା ପରି ବିଭିନ୍ନ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ଋଣ ପ୍ରବାହକୁ ଆହୁରି ବୃଦ୍ଧି କରିବା ଉପରେ ଧ୍ୟାନ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଥିଲେ । ଋଣ ପରିଶୋଧ ପରେ ସୁରକ୍ଷା କାଗଜପତ୍ର ହସ୍ତାନ୍ତର ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗାଇଡଲାଇନ ପାଳନ ସୁନିଶ୍ଚିତ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେବା ସହ ଗ୍ରାହକଙ୍କୁ ଦସ୍ତାବିଜ ହସ୍ତାନ୍ତର କରିବାରେ ବିଳମ୍ବ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.