ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖପ୍ରାଖୋଲ ଅନ୍ତର୍ଗତ ଶାନ୍ତିପୁର ଗ୍ରାମରେ ଘଟିଥିବା ଡକାୟତି ଘଟଣା ସମ୍ପୃକ୍ତିରେ ଆଜି ବଲାଙ୍ଗିର ପୋଲିସ ଆଉ ୨ ଜଣକୁ ଗିରଫ କରିବା ସହ ସେମାନଙ୍କ ପାଖରୁ ପ୍ରାୟ ୪୬ ଗ୍ରାମ ସୁନା ଜବତ କରିଛି । ଗିରଫ ଅଭିଯୁକ୍ତମାନେ ନୟାଗଡ଼ ଜିଲ୍ଲାର କାଳିଆ ସୁବୁଦ୍ଧି (୪୮) ଓ କଟକ ଜିଲ୍ଲାର ସଚିନ ଲିଗଡ଼େ (୩୦) ବୋଲି ଜଣାପଡ଼ିଛି । ଘଟଣାର ତଦନ୍ତ ସମୟରେ ଲୁଟ ସୁନାକୁ କାଳିଆ କଟକର ସୁନା ବ୍ୟବସାୟୀ ସଚିନକୁ ବିକ୍ରି କରିଥିବା ଜଣାପଡିଥିବା ବେଳେ ପୋଲିସ ଉଭୟଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ପ୍ରାୟ ୪୬ ଗ୍ରାମର ସୁନା ଅଳଙ୍କାର ଜବତ କରିଥିବା ସୂଚନା ଦେଇଛି । ପ୍ରକାଶ ଯୋଗ୍ୟ ଯେ, ଗତ ଜାନୁଆରି ୨୩ ତାରିଖରେ ଖପ୍ରାଖୋଲ ଅନ୍ତର୍ଗତ ଶାନ୍ତିପୁର ଠାରେ ଏକ ବଡ ଧରଣର ଡକାୟତି ଘଟଣା ଘଟିଥିଲା । ଯେଉଁଥିରେ ପ୍ରାୟ ୨୦ ଜଣ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହି ଘଟଣାର ଛାନ ଭିନ କରୁ କରୁ ପୋଲିସ ହାତରେ ଏକ ଆନ୍ତଃ ଜିଲ୍ଲା ଡକାୟତି ର୍ୟାକେଟ ଧରା ପଡିଥିଲା । ପ୍ରଥମେ ୬ ଫେବୃଆରିରେ ପୋଲିସ ଉକ୍ତ ଘଟଣାରେ ଅଭିଯୁକ୍ତ ୭ ଜଣଙ୍କୁ ଗିରଫ କରିବା ପରେ ଫେବୃଆରି ୭ ଓ ୯ ତାରିଖରେ ଆଉ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାରେ ବ୍ୟବହୃତ ଗାଡି, ମାରଣାସ୍ତ୍ର ଜବତ କରିଥିଲା ।
Prev Post