- ଭର୍ଚୁଆଲ ମୋଡରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି-୬ର ବୈଠକ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବିଭାଗୀୟ ଗୃହ କମିଟି-୬ର ଦ୍ୱିତୀୟ ବୈଠକ ଭର୍ଚୁଆଲ ମୋଡରେ କମିଟିର ଅଧ୍ୟକ୍ଷ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ୧୨ ଜଣ ସଭ୍ୟ ବିଶିଷ୍ଟ ଏହି କମିଟିର ଆଜିର ବୈଠକରେ ଅଧ୍ୟକ୍ଷଙ୍କ ସମେତ ୬ ଜଣ ସଭ୍ୟ ଉପସ୍ଥିତ ଥିଲେ । ସମବାୟ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଉପରେ ଆଜିର ଏହି ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ଆଜେଣ୍ଡା ମୁତାବକ ଆଜି ପ୍ରଥମେ ରବି ଫସଲ ପାଇଁ ଧାନ କିଣା ଉପରେ ଅଧ୍ୟକ୍ଷ ଶ୍ରୀ ମିଶ୍ର ଉପସ୍ଥିତ ଥିବା ଗୃହ କମିଟିର ସଭ୍ୟ, ବିଭାଗୀୟ ସଚିବ ତଥା ଅନ୍ୟାନ୍ୟ ଅଧିକାରୀଙ୍କୁ ବୈଠକକୁ ନିମନ୍ତ୍ରଣ କରିବା ସହ ଜଣ ଜଣ କରି ଆଲୋଚନା କରିବାକୁ ଅନୁରୋଧ କରିଥିଲେ । ବୈଠକ ଆରମ୍ଭରେ ଗୃହ କମିଟି-୬କୁ ଆହୁରି ଦୃଢ କରିବା ପାଇଁ ଯେପରି ସାରା ଓଡିଶାରେ ଠିକ୍ ହିସାବରେ ତାର କାର୍ୟ୍ୟ କରିପାରିବ, କମିଟିକୁ ୪ଟି ଭାଗରେ ୪ଟି ସବ୍ କମିଟି ତିଆରି କରାଯାଇଥିଲା । ସବ୍ କମିଟି-୧ରେ ଅଧ୍ୟକ୍ଷ ନିଜେ ଚେୟାରମେନ ଥିବା ବେଳେ ସବ୍ କମିଟି-୨ ଟିରେ ବିଧାୟକ ବଦ୍ରିନାରାୟଣ ପାତ୍ର, ସବ୍ କମିଟି-୩ରେ ବିଧାୟକ ଅରବିନ୍ଦ ଢାଲି ଓ ସବ୍ କମିଟି-୪ରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସର୍ବ ସମ୍ମତି କ୍ରମେ ଅଧ୍ୟକ୍ଷ ଭାବରେ ମନୋନୀତ କରାଯାଇଥିଲା । ଉପସ୍ଥିତ ସଭ୍ୟମାନେ ଧାନର ଅଭାବୀ ବିକ୍ରି ଉପରେ ସବିଶେଷ ଆଲୋଚନା କରିଥିଲେ । ସାରା ରାଜ୍ୟରେ ପଞ୍ଜିକୃତ ହୋଇଥିବା ଚାଷୀଙ୍କ ଧାନ କିଣିବା ପାଇଁ ସରକାର ଯେତେ ଟାର୍ଗେଟ୍ ଦେଇଥିଲେ ତଥା ତା’ ପାଇଁ ଟୋକନ୍ ଇସ୍ୟୁ କରିବା କଥା ସେଥିରୁ ବହୁତ କମ ଟାର୍ଗେଟ ଆସୁଛି ବୋଲି ବିଧାୟକମାନେ ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉତ୍ତରରେ ଖାଦ୍ୟ ଯୋଗାଣ ବିଭାଗ ସଚିବ କହିଥିଲେ ଯେ, ଟାର୍ଗେଟ କିମ୍ବା ଟୋକନ୍ ଯୋଗାଇବାରେ କୌଣସି ସମସ୍ୟା ନାହିଁ । ଯଦି କୌଣସି ଜାଗାରେ ଚଷୀଙ୍କ ଧାନ ଟେର୍ଗେଟ କିମ୍ବା ଟୋକନ ଇସ୍ୟୁ ହୋଇ ନ ପାରିବାରୁ ମଣ୍ଡିରେ ପଡିରହୁଛି, ତେବେ ତତ୍କ୍ଷଣାତ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଲେ ଚାଷୀଙ୍କ ସେ ସମସ୍ତ ଧାନ କିଣିବାର ବ୍ୟବସ୍ଥା କରାଯିବ । ଆହୁରି ମଧ୍ୟ ରବି ଧାନ କିଣା ସମୟରେ ୫ ଏକରରୁ ଅଧିକ ଜମି ଥିବା ଚାଷୀଙ୍କଠୁ ଚାଷୀଙ୍କ ଧାନ କିଣିବା ପାଇଁ ବିଭାଗ ତରଫରୁ ପଞ୍ଜିକରଣ କରାଯାଉନାହିଁ । ଉଦାହରଣ ଦେଇ ସେଭଳି ଅନେକ ଚାଷୀ ବଲାଙ୍ଗିରରେ ଶ୍ରୀ ମିଶ୍ରଙ୍କୁ ଅଭିଯୋଗ କରିଛନ୍ତି । ଏପରି ଚାଷୀ ସାରା ରାଜ୍ୟରେ ଅଛନ୍ତି । ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ ୫ ଏକରରୁ ଅଧିକ ଜମି ଥିବା ଚାଷୀମାନେ ତାଙ୍କ ଧାନ ବିକିବେ କେଉଁଠି । ଏହି ସମସ୍ୟାକୁ ନେଇ ବିଭାଗୀୟ ସଚିବ ତଥା ଜିଲ୍ଲା ଯୋଗାଣ ଅଧିକାରୀ ପ୍ରତ୍ୟେକେ ବିପରୀତମୁଖୀ ଉତ୍ତର ଦେଉଥିବା ଦେଖାଯାଉଥିଲା । ଏ ବର୍ଷ ରବିଧାନ କିଣିବା ପାଇଁ ଧାନକିଣା ସମୟ ୧୨ ଦିନ ଧାର୍ୟ୍ୟ ହୋଇଥିବା ବେଳେ ଉପସ୍ଥିତ ଥିବା ଗୃହ କମିଟି ସଭ୍ୟମାନେ ଆହୁରି କିଛି ଦିନ ବଢେଇବା ପାଇଁ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯେହେତୁ ବିଭିନ୍ନ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ତେଣୁ ଚାଷୀମାନେ ମଣ୍ଡିକୁ ଧାନ ଆଣିବାରେ ଅସୁବିଧା ହୋଇପାରେ ବୋଲି ଆଖି ଆଗରେ ରଖି ବିଭାଗୀୟ ସଚିବ ପୂର୍ବରୁ ସେହି ଆଧାରରେ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି ବୋଲି ନିଜ ଉତ୍ତରରେ କହିଥିଲେ । ଜିଲ୍ଲାସ୍ତରୀୟ କିମ୍ବା ରାଜ୍ୟସ୍ତରୀୟ ଖାଉଟି ସୁରକ୍ଷା କମିଟି ଆଜି ପର୍ୟ୍ୟନ୍ତ ତିଆରି ହୋଇନଥିବାରୁ ଅଧ୍ୟକ୍ଷ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ । ଏପରିକି ବିଭିନ୍ନ ସମବାୟ ସମିତି ଯେପରି କି ଜରାସିଂହାରେ ଥିବା ସମବାୟ ସମିତି ଏବଂ ବ୍ୟାଙ୍କରେ ଅନେକ ଦୁର୍ନୀତିର ପର୍ଦ୍ଦାଫାସ ହୋଇଥିବା ସତ୍ତେ୍ୱ ସେମାନଙ୍କ ଉପରେ କୌଣସି କାର୍ୟ୍ୟାନୁଷ୍ଠାନ କରାଯାଇନଥିବାରୁ ଏ ସମସ୍ତ ଦୁର୍ନୀତିରେ ବିଭାଗରେ ତଳୁ ଉପର ପର୍ୟ୍ୟନ୍ତ ସମସ୍ତେ ଲିପ୍ତ ଅଛନ୍ତି ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର କ୍ଷୋଭର ସହିତ କହିଛନ୍ତି । ଆହୁରି ମଧ୍ୟ ଗତ ଧାନକିଣା ସେସନ୍ରେ ଜିଲ୍ଲାରେ ଅନେକ ନକଲି ଚାଷୀ ରେଜିଷ୍ଟ୍ରେସନ କରି ଧାନ କିଣିଥିଲେ । ଏହାର ତଦନ୍ତ ପରେ ନକଲି ଚାଷୀଙ୍କ ପ୍ରତି କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରିବା ଏବଂ ଯେଉଁ ଅଧିକାରୀମାନେ ଏହି ନକଲି ଚାଷୀଙ୍କୁ ଧାନ କିଣିବା ପାଇଁ ପଞ୍ଜିକୃତ କରିଥିଲେ ସେମାନଙ୍କ ବିରୁଦ୍ଧରେ କାହିଁକି ଫୌଜଦାରୀ ମକଦ୍ଦମା କରାଯାଇନାହିଁ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଏ ସବୁ ପ୍ରଶ୍ନର ଉତ୍ତର ଆସନ୍ତା ଗୃହ କମିଟି ବୈଠକରେ ଗୃହକୁ ଦିଆଯିବାର ନିଷ୍ପତ୍ତି ହୋଇଥିଲା । ଶେଷରେ ଶ୍ରୀ ମିଶ୍ର ଉପସ୍ଥିତ ସମସ୍ତ ବିଧାୟକଙ୍କୁ ଓ ଅଧିକାରୀଙ୍କୁ ଧନ୍ୟବାଦ ଦେଇ ସଭା ଶେଷ ଘୋଷଣା କରିଥିଲେ ।