- ରଶ୍ମି ରଞ୍ଜିତା ସିଂହ
ସୃଷ୍ଟିର ଦାନ ସ୍ୱରୂପ ଆମେ ସମସ୍ତେ ପ୍ରାଣୀ ଜଗତ, ସମସ୍ତେ ଆପଣା ଆପଣା କର୍ମରେ ବନ୍ଧା ଏଇ ପୃଥିବୀ ରଙ୍ଗମଞ୍ଚରେ । ଅଭିନୟ ସାରିବା ପରେ ନିଜ ନିଜ ରାସ୍ତାରେ ବାହୁଡ଼ିବା ବିଧେୟ । କିନ୍ତୁ କିଏ ବି ଜାଣନ୍ତିନି ସେ ବାହୁଡ଼ିବାର ବେଳା ଯେ କେତେବେଳେ କାହା ପାଖରେ କେମିତି ଭାବରେ ପହଞ୍ଚି ଯାଏ । ସେତେବେଳେ ଭାରି କଷ୍ଟ ଲାଗେ ପରିବାର, ଆତ୍ମୀୟ ସ୍ୱଜନର ମୋହକୁ ତୁଟେଇ କାହାକୁ ଛାଡିବାକୁ ଆରପାରିକୁ । ହେଲେ ବିଧିର ନିୟମକୁ କିଏ ବା ଅଟକେଇ ପାରିବ ।
ଯେବେ ଆସିଥାଉ ଏକା ଯିବାକୁ ହୁଏ ଏକା ଏକା । ସାରା ବିଶ୍ୱ ରେ ଆଜି କରୋନା ତାଣ୍ଡବ ଲୀଳା କରି ଚାଲିଛି । ସମସ୍ତ ସାମାଜିକ, ପାରିବାରିକ, ରାଜନୈତିକ, ଅର୍ଥନୈତିକ ଓ ଶିକ୍ଷା ସ୍ତରକୁ ଚିପୁଡ଼ି ସାରିଲାଣି ତା କରାଳ ଗତିରେ । କିଏ ଜ୍ଞାନୀ, ଅଜ୍ଞାନୀ କିଏ ଧନୀ, ଗରିବ, କେହି ବର୍ତ୍ତୀ ଯାଇପାରୁ ନାହାନ୍ତି ତା କବଳୁ । ସତେ ଯେମିତି ପୃଥିବୀ ପୃଷ୍ଟରେ ପଦାର୍ପଣ କରିଛି ଏବେ ମଣିଷ ମାନଙ୍କ ଛାଡ଼ଖାଇ ମନାଇବାକୁ । କେତେ ପରିବାର ଯେ ଉଜୁଡି ଗଲାଣି ତାର ପ୍ରକୃତ ହିସାବ ନାହିଁ । କେତେ ଗୁଣି, ଜ୍ଞାନୀ, ବୁଦ୍ଧିଜୀବୀ, ଡାକ୍ତର, କଳାକାର, ରାଜନେତା, ସାମ୍ବାଦିକ, ସରକାରୀ-ବେସରକାରୀ କର୍ମଚାରୀ, ମଧ୍ୟବିତ୍ତ, ନିମ୍ନବିତ୍ତ ପରିବାର ଲୋକଙ୍କ ମୁଣ୍ଡ ଖାଇସାରିଲାଣି । ଦେଖୁ ଦେଖୁ ସଂସାର ଉଜୁଡି ଯାଉଛି କ୍ଷଣିକେ । କୋଉଠି ବୃଦ୍ଧ ବାପା ମାଆ ଆଗରେ ଯବାନ ରୋଜଗାରିଆ ପୁଅ ଚାଲି ଗଲାଣି ତ କେଉଁଠି ବାଳୁତ ଛୁଆ ବାପା ମାଆ ଛେଉଣ୍ଡ ହୋଇଗଲେଣି । ଆଉ କୋଉଠି ନବ ବିବାହିତା ସ୍ତ୍ରୀର ଶଙ୍ଖା ସିନ୍ଦୁର ଉଜୁଡି ଗଲାଣି । ନୂଆ ଜୀବନ ଆରମ୍ଭ ହେବା ଆଗରୁ ଶେଷ ହେଇ ଗଲାଣି । ତା ଉପରେ ଜୀବନ ଜୀବିକାରେ ତାଲା । ବେରୋଜଗାର ପରିସ୍ଥିତିରେ ଦିନ ମଜୁରିଆଙ୍କ ଦୁଃଖ କହିଲେ ନ ସରେ । ପରିବାର ପ୍ରତିପୋଷଣର ଭାର ତାଠୁଁ ବଳି ଯାଉଛି । ବୋଝ ଉପରେ ନଳିତା ବିଡା ସଦୃଶ । ବାସ୍ତବିକ ଖୁବ ବିଷମ ପରିସ୍ଥିତିରେ ସଂସାର ଏବେ ଉବୁଟୁବୁ । ଯାହା ହୋଇଗଲେ ମଧ୍ୟ ସମୟର ଚକ କି ଅଖ କେବେ ଥକେନି । ଗଡି ଚାଲିଥାଏ ଆଗକୁ ଆଗକୁ । ଜନ୍ମ ନେଇଛୁ ଏ ଧରା ପୃଷ୍ଟରେ ଯେତେବେଳେ ମୃତ୍ୟୁ ତ ସୁନିଶ୍ଚିତ । ପ୍ରତ୍ୟେକ ସଜୀବ ପ୍ରାଣୀଙ୍କ କ୍ଷେତ୍ରରେ ସେ ହେଉ ଗଛ ଲତା, କୀଟ ପତଙ୍ଗ, ଜୀବ ଜନ୍ତୁ କି ମଣିଷ । ତେବେ ବଞ୍ଚିଥିବା ପର୍ୟ୍ୟନ୍ତ ଆମେ ସମସ୍ତେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାଉ । ପୁଣି ସେଥିରୁ ମୁକୁଳିବାର ଉପାୟ ବାହାର କରୁ ଏବଂ ଧୀରେ ଧୀରେ ସବୁ ଜିନିଷ ପୁଣି ସାଧାରଣ ପ୍ରକିୟାରେ ପରିଚାଳିତ ହୋଇଥାଏ । ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ଚକ୍ର ତ ଘୁରିବା ସ୍ୱାଭାବିକ ପ୍ରକିୟା ଠିକ୍ ସେମିତି ସାରା ବିଶ୍ୱରେ ବର୍ତ୍ତମାନ ଗୋଟେ ଦୁଃଖଦ ସମୟ, କଷ୍ଟ ଦାୟକ ସମୟରେ ଅତିକ୍ରାନ୍ତ କରୁଛି । ଧୈର୍ୟ୍ୟର ସହକାରେ ଆମକୁ ଏ ସମୟକୁ ସାମ୍ନା କରିବାକୁ ହେବ ଏବଂ ଆଗକୁ ବଞ୍ଚିବାକୁ ମଧ୍ୟ୍ୟ ହେବ । ତେବେ ଆମକୁ ସୁଦୃଢ କରିବାକୁ ହେବ । ନିଜର ମାନସିକ ଅବସ୍ଥାକୁ ସକାରାତ୍ମକ ଦିଗରେ ସୁଦୃଢ କରିବାକୁ ହେବ ଏବଂ ନିଜ ନିଜ କର୍ତ୍ତବ୍ୟ ପଥରେ ପରିଚାଳିତ ହେବାକୁ ପଡିବ । ପରସ୍ପର ପ୍ରତି ସମ୍ବେଦନଶୀଳ ଓ ସହଯୋଗର ହାତ ବଢାଇବା, ଏ ପ୍ରକାର ବିଷମ ପରିସ୍ଥିତିରେ ନିହାତି ଆବଶ୍ୟକ । ରୋଗକୁ ଘୃଣା କରିବା.. ରୋଗୀକୁ କି ତା ପରିବାରକୁ ଘୃଣା କରି ଅମାନବିକତାର ପରିଚୟ ସୃଷ୍ଟି କରିବା ଉଚିତ ନୁହେଁ । ଯଥା ସମ୍ଭବ ନିଜକୁ ସୁରକ୍ଷିତ ରଖିବା ସହିତ ଅନ୍ୟକୁ ମଧ୍ୟ୍ୟ ସହଯୋଗ କରିବା ।
“ଏକତା ର ବଳ “କୁ ଭାଙ୍ଗି ଦେଇଛି ଏ ମହାମାରୀ କରୋନା କିନ୍ତୁ ମୂଳମନ୍ତ୍ରକୁ କେବେ ବି ଚୁନା କରି ପାରିବନି ଯଥେଷ୍ଟ ବିଶ୍ୱାସ ଅଛି । ମନ୍ତ୍ର ଗୁଡିକ ଭିତରେ ହେଲା (୧)ସରକାରଙ୍କ ନିୟମକୁ ମାନି ଚାଲିବା (୨)ଯେହେତୁ ଆମେ ପରସ୍ପରକୁ ଭଲପାଉ, କାହାର କ୍ଷତି ନ ହେଉ ସେଥିପାଇଁ ସାଙ୍ଗଠନିକ ବା ଏକତ୍ରିତ ନ ହୋଇ ଦୂରତା ରକ୍ଷା କରିବା (୩)ନିୟମିତ ବ୍ୟାୟାମ କରିବା (୪)ଟୀକା କରଣ ପ୍ରକିୟାକୁ ଆମୋଗ ଅସ୍ତ୍ର ରୂପେ ଆପଣେଇ ବା ଓ ନିଜ ମାନସିକ ଅବସ୍ଥାକୁ ସୁଦୃଢ କରିବା ଏବଂ ଧୈର୍ୟ୍ୟ ସହକାରେ ଏ ପ୍ରକାର କଠିନ ସମସ୍ୟାର ସମାଧାନ କରିବାରେ ସହଭାଗିତା କରିବା । କିନ୍ତୁ ଏ କଥାକୁ ଏଡ଼େଇ ହେବ ନାହିଁ ଯେ ଆମ ଦ୍ୱାରା ହୋଇଥିବା ମାରାତ୍ମକ ଭୁଲର ଶିକାର ମଧ୍ୟ ଆମେ ନିଜେ ଭୋଗୁଛୁ କିଛି ମାତ୍ରାରେ । ନିଶ୍ୱାସରେ ବ୍ୟାଘାତ ଜନିତ ମୃତ୍ୟୁକୁ ବାଧ୍ୟ ହୋଇ ଆପଣେଇବାକୁ ପଡୁଛି । ଯଦି ଆମେ ଅନୁଶୀଳନ କରିବାକୁ ଯାଇ କିଛି ବର୍ଷ ପଛକୁ ଫେରି ଯିବା ତ ନିଶ୍ଚୟ ବୁଝି ପାରିବା ଯେ ଆମ ପରିବେଶକୁ ଆମେ କିପରି ନିଜେ ଭାଙ୍ଗି ରୁଜି ଚୁନା କରିଦେଇଛୁ । ପ୍ରକୃତିର ପ୍ରତିରକ୍ଷା ବାହିନୀ ଯିଏ କି ଆମ ସୁରକ୍ଷା ନିମନ୍ତେ ଆମ ଚତୁପାର୍ଶ୍ୱରେ ଦଣ୍ଡାୟ ମାନ, ଆମେ ତାକୁ ନିଜ ହାତରେ ନିଜେ ନଷ୍ଟ କରିଛୁ । “ଆପଣା ହସ୍ତେ ଜିହ୍ୱା ଛେଦି “
ସୌର ଜଗତର ଆଠ ଗୋଟି ଗ୍ରହ ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ଇଉରେନ୍ସ, ନେପଚୁନ ଏବଂ ବାମନ ଗ୍ରହ ରୂପେ ପରିଗଣିତ ପ୍ଲୁଟୋ ସମେତ ସମସ୍ତ ନକ୍ଷତ୍ର ପୁଞ୍ଜକୁ ନେଇ ଗଠିତ ଆମ ସୌରମଣ୍ଡଳ । ସମସ୍ତ ଗ୍ରହ ମଧ୍ୟରୁ ସବୁଠୁ ସୁନ୍ଦର ଆମର ଏଇ ପୃଥିବୀ ମଣ୍ଡଳ । ପ୍ରାକୃତିକ ସୌନ୍ଦର୍ୟ୍ୟରେ ଭରପୁର ପାହାଡ଼, ପର୍ବତ, ନଦୀ, ଝରଣା, ବୃକ୍ଷ ଲତା, ପଶୁ ପକ୍ଷୀର କାକଳି, ମାଟିର ବାସ୍ନା, ସାଗରର ନୀଳ ଜଳରାଶି, ଖୋଲା ଆକାଶ ତଳେ ବେଶ ରାଜତ୍ୱ କରି ଚାଲିଛନ୍ତି ନିଜ ନିଜ ଧର୍ମକୁ ନିଭେଇ କାହିଁ କେଉଁ ପ୍ରାଚୀନ କାଳରୁ । ବଞ୍ଚିବାର ମୁଖ୍ୟ ତିନୋଟି ଆବଶ୍ୟକତାକୁ ଅନାୟାସରେ ସାଉଁଟି ଆଣୁ ଏଇ ପ୍ରକୃତି କୋଳରୁ । ଆହାର, ବସ୍ତ୍ର, ବାସଗୃହ, ନିଶ୍ୱାସ ପ୍ରଶ୍ୱାସ ସମସ୍ତ ବଞ୍ଚିବାର ଶୈଳୀ ଯୋଗେଇ ଦିଏ ଏଇ ପ୍ରକୃତି । ତଥାପି ତା ମନଲୋଭା ଉପମାରୁ କ୍ଷୁର୍ଣ୍ଣ ହୁଏନି କିଛି । ଆଉ ଆଜି ଯଦି ସୌନ୍ଦର୍ୟ୍ୟରେ କମି ଦିଶୁଚି ତ ଦାୟୀ କେବଳ ମନୁଷ୍ୟ ସଭ୍ୟତା ପାଇଁ । ଆମ ଜୀବନ ଶୈଳୀ ବଦଳିବା ସହିତ ଧୀରେ ଧୀରେ ପରିବେଶ, ପାଣିପାଗ ବଦଳିବାରେ ଲାଗିଛି । ପରିବେଶ ପ୍ରଦୂଷିତର ଭୂମିକା ଶୀର୍ଷରେ ସେଇ ମଣିଷ । ବିଶୁଦ୍ଧ ଜଳରାଶିକୁ ବିଭିନ୍ନ ଆବର୍ଜନା, କଳକାରଖାନାରୁ ନିର୍ଗତ ଦୂଷିତ ପଦାର୍ଥକୁ ନଦୀ ଜଳରେ ଛାଡି ଦେଇ ଦୂଷିତ କରିବା ପଛରେ ସେଇ ମଣିଷ । ଅତ୍ୟାଧୁନିକ ପ୍ରଣାଳୀ ପ୍ରୟୋଗ କରି ଅଧିକ ଉତ୍ପାଦନ ଲୋଭରେ ମୃତ୍ତିକାର ଉତ୍କୃଷ୍ଟ ଗୁଣକୁ ନଷ୍ଟ କରିବା ପଛରେ ବି ସେଇ ମଣିଷ । ବର୍ତମାନ ପରିବେଶରେ ଋତୁ ଅନୁଯାଇ ପାଣିପାଗର ଅନିମିୟତା ପରିଲକ୍ଷିତ ହେବାରେ ଲାଗିଛି । ଅର୍ଥାତ ଧରା ଶ୍ରାବଣରେ ବି ଗ୍ରୀଷ୍ମର ପ୍ରକୋପ, ହାଡ଼ ଭଙ୍ଗା ଶୀତ ଅନୁଭବ ହେବା ସମୟରେ ଅଦିନିଆ ବର୍ଷା ଏବଂ ଗ୍ରୀଷ୍ମ ଦିନେ ଅତ୍ୟଧିକ ତାତିରେ ଜନଜୀବନ ହନ୍ତସନ୍ତ ହେବାରେ ଲାଗିଛି । ଓଜନସ୍ତରରେ ରନ୍ଧ୍ର ସୃଷ୍ଟି ହେବା କାରଣରୁ ସୂର୍ୟ୍ୟଙ୍କର ଅତିବାଇଗଣୀ ରଶ୍ମି ସିଧା ସଳଖ ପୃଥିବୀ ଉପରେ ପଡୁଛି, ଯାହା ଫଳରେ କି ବିଭିନ୍ନ ଚର୍ମ ରୋଗ ଓ କ୍ୟାନ୍ସର ଭଳି ମାରାତ୍ମକ ରୋଗ ବଢ଼ି ଚାଲିଛି । ବିଳାସ ପୂର୍ଣ୍ଣ ଜୀବନ ଅତିବାହିତ କରିବା ଏବଂ ଅଧିକ ଅର୍ଥ ଲାଗି ବିଭିନ୍ନ କଳକାରଖାନା ସ୍ଥାପନ କରିବାକୁ ଯାଇ ଉପକାରୀ ବୃକ୍ଷକୁ କାଟି ସଫା କରି ଦେଉଛୁ । ଯଦ୍ୱାରା ଅମ୍ଳଜାନର ଅଭାବ ମଧ୍ୟ ହେବାରେ ଲାଗିଲାଣି । ତା ଛଡା ପ୍ରାକୃତିକ ବିପର୍ୟୟରେ ଯେତିକି ଗଛ ନଷ୍ଟ ହେଉଛି ପ୍ରତିବଦଳରେ ପ୍ରତିରୋପଣର ଘୋର ଅଭାବ ହେଉଛି । ଏପରି ପ୍ରକିୟାରେ ଯଦି ପରିବର୍ତନ କରାନଯିବ, ତେବେ ଭବିଷ୍ୟତରେ ସାଧାରଣ ଜୀବନ ଯାପନ କଷ୍ଟ ସାଧ୍ୟ ହୋଇ ପଡିବ ।
ଏଣୁ ବେଳ ଥାଉ ଥାଉ ଆମକୁ ସତର୍କ ହେବାକୁ ପଡିବ । ଆମ ଦ୍ୱାରା ହେଉଥିବା ତ୍ରୁଟିକୁ ସଂଶୋଧନ କରିବାକୁ ପଡିବ । ସୁସ୍ଥ ପରିବେଶକୁ ବଂଚେଇବାକୁ ହେବ । ସମସ୍ତେ ମିଳିମିଶି ନିଜ ଅଂଚଳରେ ଯଥା ସମ୍ଭବ ବୃକ୍ଷରୋପଣ କରିବାକୁ ହେବ ଏବଂ ଆଗାମୀ ପୀଢ଼ିକୁ ସୁସ୍ଥତାର ସହ ବଂଚେଇ ବାକୁ ପଡିବ । ସେଥିପାଇଁ ଆମ ସମସ୍ତଙ୍କ ପ୍ରଚେଷ୍ଟା ଏକାନ୍ତ କାମ୍ୟ ।