ଗଞ୍ଜାମ ଜିଲ୍ଲାର ୧୦୩୨ଟି ଗ୍ରାମ ବାଲ୍ୟ ବିବାହମୁକ୍ତ ହେଲା : ଜିଲ୍ଲାପାଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ୧୦୩୨ଟି ଗ୍ରାମ ବାଲ୍ୟ ବିବାହମୁକ୍ତ ହେଲା ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ଜିଲ୍ଲାଭାବେ ପରିଚିତ କରାଇବା ନେଇ ବିଭିନ୍ନ କାର୍ୟ୍ୟକ୍ରମ ମାନ ହାତକୁ ନିଆଯିବ । ଯଦି ବାଲ୍ୟ ବିବାହ ହୁଏ ତେବେ ତାହାକୁ ମାଜିଷ୍ଟ୍ରିଆଲ୍ ତଦନ୍ତଭୁକ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୁଦୂର ଗ୍ରାମାଞ୍ଚଳ ସ୍ତରରୁ ବାଲ୍ୟ ବିବାହ ରୋକିବା ନେଇ ଅଧିକ ଫୋକସ୍ ଦିଆଯିବ । ଆସନ୍ତାଶୁକ୍ରବାରଠାରୁ ଶୁକ୍ରବାର ପର୍ୟ୍ୟନ୍ତ ଜିଲ୍ଲାରେ ବାଲ୍ୟ ବିବାହମୁକ୍ତ ଶପଥ ସପ୍ତାହ ପାଳନ ହେବ । ଏଥି ସକାଶେ ଆଜି ଅପରାହ୍ନରେ ନିର୍ଭୟକଢି ଓ ମୋ ଗେହ୍ଲାଝିଅ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଜୁମ୍ ଭିଡିଓ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ଜଣାଇଥିଲେ ଯେ’ ଝିଅ କାହାପାଇଁ ବିପଦ ନୁହେଁ, ଝିଅ ହିଁ ସମ୍ପଦ । ସମସ୍ତ ଅଙ୍ଗନଓ୍ବାଡି ଦିଦିଙ୍କ ଠାରେ ଶିଶୁ ଜନ୍ମ ତାଲିକା ରହିଛି ସେଥିରୁ ଝିଅ ମାନଙ୍କ ତଥ୍ୟ ଜିଲ୍ଲା ସମାଜ ମଙ୍ଗଳ ଅଧିକରୀଙ୍କ ଜରିଆରେ ସଂଗ୍ରହ କରି ତାଲିକାଭୁକ୍ତ କରାଯିବ । ୧୪ ବର୍ଷରୁ ୧୮ ବର୍ଷ ଝିଅ ମାନଙ୍କ ତଥ୍ୟ ରଖାଯିବ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ଅଧା ପାଠ ଛାଡୁଥିବା ଝିଅ ମାନଙ୍କ ତଥ୍ୟ ସଂଗ୍ରହ କରି ଡାଟାବେସ୍ ପ୍ରସ୍ତୁତ କରାଯିବ । ଗଞ୍ଜାମ ଜିଲ୍ଲାରେ ଅଦ୍ୟାବଧି ୧୦୩୨ଟି ଗ୍ରାମକୁ ବାଲ୍ୟ ବିବାହମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି । ଝିଅମାନେ ଯେପରି ସୁସ୍ଥ ରହିବେ ସେ ଦିଗରେ ଦୃଷ୍ଟି ଦିଆଯିବ । ଯେଉଁ ଝିଅମାନେ ମୋବାଇଲ୍ ବ୍ୟବହାର କରୁଛନ୍ତି ସେମାନଙ୍କୁ ସଚେତନ କରଯାଇ ସେମାନଙ୍କ ପରିବାର ବର୍ଗ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଯଦି ୧୮ ବର୍ଷରୁ କମ୍ ବୟସରେ ବିବାହ କରୁଆନ୍ତି ତାହାହେଲେ ସେମାନେ ପ୍ରଶାସନକୁ ଫୋନ୍ ମାଧ୍ୟମରେ ଜଣାଇବେ । ତେବେ ବାଲ୍ୟ ବିବାହକୁ ରୋକିବା ନେଇ ପଦକ୍ଷେପ ଗ୍ରହଣ କରାଯିବ । ଯେଉଁ ପରିବାରରେ ଝିଅ ଅଛନ୍ତି ସେମାନଙ୍କ ଅଭିଭାବକ ମାନଙ୍କ ଠାରୁ ଲିଖିତ ଆକାରରେ ରଖାଯାଉ ଯେ ସେମାନେ ୧୮ ବର୍ଷରୁ କମ୍ ବୟସର ଝିଅଙ୍କୁ ବିବାହ ଦେବେ ନାହିଁ । ବିବାହ କାର୍ୟ୍ୟ ସମ୍ପନ୍ନ କରୁଥିବା ବ୍ରାହ୍ମଣ ମାନଙ୍କ ଠାରେ ଲିଖିତ ଶପଥପାଠ ରଖାଯାଉ ସେମାନେ ୧୮ ବର୍ଷରୁ କମ୍ ବୟସର ଝିଅଙ୍କ ବିବାହ କରିବା ଦିଗରେ ସହଯୋଗ କରିବେ ନାହିଁ । ୧୮ ବର୍ଷରୁ କମ୍ ବୟସର ଝିଅମାନେ ଶାରିରୀକ ସୁସ୍ଥ ନଥିଲେ ମଧ୍ୟ ସେମାନଙ୍କୁ ବିବାହ କରାଯାଉଛି ଏବଂ ସେମାନେ ଗର୍ଭବତୀ ହୋଇ ଅସୁସ୍ଥ ଶିଶୁର ଜନନୀ ହେଉଛନ୍ତି । ଯେଉଁ ମାନଙ୍କ ପରିବାରରେ ଝିଅ ଜନ୍ମ ହୁଅନ୍ତି ସେମାନଙ୍କ ପରିବାରେ ଝିଅର ଜନ୍ମ ଉତ୍ସବ ପାଳନ ଦିଗରେ ଆଶା ଓ ଅଙ୍ଗନଓ୍ବାଡି କର୍ମୀଗଣ ସଚେତନତା ସୃଷ୍ଟି କରାନ୍ତୁ । ଝିଅ ଜନ୍ମ ହେତୁ ପରିବାରର ବିକାଶ ନିଶ୍ଚିତ ହେବ ଏହି ବାର୍ତ୍ତାର ପ୍ରଚାର ପ୍ରସାର କରିବା ନେଇ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ଝିଅ ଥିବା ଗରୀବ ପରିବାର ବର୍ଗଙ୍କ ଆର୍ଥିକ ଉନ୍ନତି ଦିଗରେ ଦକ୍ଷତା ବିକାଶ କାର୍ୟ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ କଟକଣା ମଧ୍ୟରେ ନିର୍ଭୟ କଢି ଓ ମୋ ଗେହ୍ଲାଝିଅ ସଚେତନତା କର୍ୟ୍ୟକ୍ରମକୁ ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କ ମୁଖ୍ୟଭୂମିକା ରହିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ସମସ୍ତେ ମିଳି ମିଳିମିଶି ଝିଅ ମାନଙ୍କ ସକାଶେ କାର୍ୟ୍ୟ କରିବାର ଅଛି ବୋଲି ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ ।

Leave A Reply

Your email address will not be published.